ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ,୨ ଆହତ

ବୈପାରିଗୁଡା : ଗତକାଲି ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ଜଣ ଆହତ ହୋଇଛନ୍ତି ।  ତେବେ ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକରୁ ବିଭିନ୍ନ ଯନ୍ତ୍ରପାତି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ଅନୁଯାୟୀ, ଟିଏସ୍ ୦୭ ୟୁଇ ୩୫୮୭ ନମ୍ବର ବିଶିଷ୍ଟ ୧୪ ଚକିଆ ମାଲବାହୀ ଟ୍ରକ ଝାରସୁଗୁଡ଼ା ଠାରୁ ହାଇଦ୍ରାବାଦକୁ ଲୁହାପଥର ବୋଝେଇ କରି ଯାଉଥିବା ବେଳେ ଗତ ରାତି ପ୍ରାୟ ଦଶଟା ସମୟରେ ରାଞ୍ଚି ବିଜୟଓ୍ବାଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଲଙ୍ଗଳପାଖନା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିର ବ୍ରେକ ଫେଲ୍ ହେବା ଫଳରେ ଗାଡିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଡ୍ରାଇଭର ନିକଟରୁ ଜଣାପଡିଛି । କେ. ମାଧୁ ଏବଂ ସିଏଚ୍. ଦିନେଶ ନାମକ ଦୁଇ ଜଣ ଡ଼୍ରାଇଭର ଟ୍ରକରେ ଥିବା ବେଳେ ଉଭୟେ ଆହାତ ହୋଇଛନ୍ତି । କେ. ମାଧୁଙ୍କ ଗାଲରେ ଗଭୀର ଆଘାତ ଲାଗିଥିବା ବେଳେ ସିଏଚ୍. ଦିନେଶର ମୁଣ୍ଡ ଫାଟିବା ସହ ଡ଼ାହାଣ ହାତ ଜଖମ ହୋଇଛି। ଉଭୟେ ବୈପାରିଗୁଡା ଥାନାରେ ପହଞ୍ଚି ଦୁର୍ଘଟଣା ସଂପର୍କରେ ଖବର ଦେବା ପରେ ପୋଲିସ ସେମାନଙ୍କୁ ଡ଼ାକ୍ତରଖାନାକୁ ନେଇ ଚିକିତ୍ସାର ବ୍ୟବସ୍ଥା କରାଇଥିଲେ। ଆଜି ଭୋର ସକାଳୁ ଦୁଇ ଡ଼୍ରାଇଭର ଟ୍ରକ୍ ନିକଟରେ ପହଞ୍ଚିବା ପରେ ଦେଖିଲେ ଯେ ଗାଡ଼ିର ବହୁ ଯନ୍ତ୍ରପାତି ଚୋରି ହୋଇଛି । ଚୋରି ସାମଗ୍ରୀ ମଧ୍ୟରେ ରହିଛି ଟ୍ରକ୍ ବ୍ୟାଟେରି, ଜାକି ରଡ୍, କାଟା ପ୍ଲେଟ୍,ଦରି ତଥା ବିଭିନ୍ନ ଲୁହା ଯନ୍ତ୍ରପାତି  । ଏହା ଛଡ଼ା ଗାଡ଼ିରେ ବୋଝେଇ ହୋଇଥିବା ଲୁହାପଥର ମଧ୍ୟ ଲୋକେ ମାନେ ଚୋରି କରି ନେଇଥିବା ଡ୍ରାଇଭର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର