ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅର୍ଜୁନପୁର ପ୍ୟାକ୍ସରେ ସମ୍ପାଦକ ନିଯୁକ୍ତିରେ ଅନିୟମିତତା ଅଭିଯୋଗର ବୁଧବାର ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗୀର ଡିଆର୍‌ସିଏସ୍‌ ଅଭିଯୋଗକାରୀ ଓ ପ୍ୟାକ୍ସ ପରିଚାଳନା କମିଟିକୁ ତାଙ୍କ କାର୍ଯ୍ୟାଳୟକୁ ଡାକି ନିଯୁକ୍ତି ସଂକ୍ରାନ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି। ହେଲେ ଏହି ତଦନ୍ତ ବେଳେ ପ୍ରଥମ ସ୍ଥାନରେ ଥିବା ଅଭିଯୋଗକାରୀ ସୀତାକାନ୍ତ ମାଝୀ ଦେଖାଉଥିବା ଦଲିଲକୁ ଗୁରୁତ୍ୱ ନଦେଇ ଏକପାଖିଆ ଭାବେ ତଦନ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଏହି ତଦନ୍ତରେ ଅସନ୍ତୋଷ ଥିବା ଯୁବକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲା ପରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ୟାକ୍ସରେ ଜାଲିଆତି ଅଭିଯୋଗ ଆସିବା ପରେ ଅନିୟମିତତାରେ ଛନ୍ଦି ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଘଟଣାକୁ ଚପେଇ ଦେବା ପାଇଁ ତଳୁ ଉପର ସମସ୍ତେ ଲାଗିପଡ଼ିଥିବା ଆଲୋଚନା ହେଉଛି। ଅର୍ଜୁନପୁର ପ୍ୟାକ୍ସ ସମ୍ପାଦକ ପଦରେ ନିଯୁକ୍ତି ଦେବା ପାଇଁ ସଭାପତି ଟଙ୍କା କାରବାରରେ ଲିପ୍ତ ଥିବା ଅଭିଯୋଗ ସତ ପ୍ରମାଣିତ ହୋଇଥିବାରୁ ଆଗକୁ ଏହା କେଉଁ ମୋଡ଼ ନେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାଲିଆତିରେ ବ୍ୟବହାର ହୋଇଥିବା କାଗଜପତ୍ରକୁ ଏପଟସେପଟ କରିଥିବା ସମ୍ପାଦକଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ଏହାର କିଛି ଦଲିଲ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଯାହାକି ଏହି ଅନିୟମିତତାର ଗୁମର ଖୋଲିଦେବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ସାଧାରଣରେ ଦାବି ହେଉଛି।