ଖୋର୍ଦ୍ଧା : ମାର୍ଚ୍ଚ ମାସ ଶେଷ ବେଳକୁ ଧାନମଣ୍ଡି ମଧ୍ୟ ଶେଷ ହେବ । ଧାନମଣ୍ଡିରେ ଚାଷୀଙ୍କ ଟୋକେନ୍ ଦ୍ୱାରା ଧାନ ବିକ୍ରି କରିବା ନିୟମରେ ଆଉ ମାତ୍ର ୪ ସପ୍ତାହର ୪ଟି ଦିନ ରହିଛି । କିନ୍ତୁ ଅନେକ ପଂଜିକୃତ ଚାଷୀଙ୍କୁ ଟୋକେନ୍ ମିଳିନାହିଁ କି ଧାନମଣ୍ଡିର ଟାର୍ଗେଟ୍ ପୂରଣ ହୋଇଯିବା ଆଳରେ ଧାନମଣ୍ଡି ମଧ୍ୟ ଆଉ ଖୋଲୁନାହିଁ । ଯଦି ଚାଷୀ ସେମାନଙ୍କର ଧାନ ବିକ୍ରି କରିନପାରିବେ ତେବେ ନିଜ ନିଜର ଧାନ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଆଜି ବେଗୁନିଆ ବ୍ଲକ ଗଡ଼ମାଣତ୍ରୀ ସେବା ସମବାୟ ସମିତିର ଚାଷୀମାନେ ଚେତାବନୀ ଦେଇଥିବା ବେଳେ ବୋଲଗଡ଼ ଫାସିଓଦା ଓ ପିଚୁକୁଳି ସେବା ସମବାୟ ସମିତିରେ ଚାଷୀ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି ।
ଆଜି ପୂର୍ବାହ୍ଣରେ ଗଡ଼ମାଣତ୍ରୀ ସେବା ସମବାୟ ସମିତିର ପ୍ରାୟ ୧୫୦ଜଣ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଜିଲ୍ଲାପାଳଙ୍କ ସହ ଏକ ପ୍ରତିନିଧି ଦଳ ସାକ୍ଷାତ କରି ନିଜର ଅସନ୍ତୋଷ ଜଣାଇଛନ୍ତି । ଚାଷୀ ପବିତ୍ରମୋହନ ପଣ୍ଡା କହିଛନ୍ତି ଯେ ଏହି ସେବା ସମବାୟ ସମିତିରେ ବୋତଳମା, ଗଡ଼ମାଣତ୍ରୀ ଓ ଗୋବିନ୍ଦପୁର ପଂଚାୟତର ଚାଷୀମାନେ ନିର୍ଭର୍ର କରିଥାନ୍ତି । ଚଳିତ ବର୍ଷ ୫୬୫ଜଣ ଚାଷୀ ପଂଜୀକରଣ କରିଥିଲେ । ସେବା ସମବାୟ ସମିତି ଦ୍ୱାରା ୨୫ହଜାର କ୍ୱିଂଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତମାନ ସୁଦ୍ଧା ୩୭୯ଜଣ ଚାଷୀ ଧାନ ମଣ୍ଡିରେ ୧୪ ହଜାର କ୍ୱିଂଟାଲ୍ ଧାନ ବିକ୍ରି କରିସାରିଛନ୍ତି । ବଳକା ୧୮୬ଜଣ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି । କିନ୍ତୁ ସମିତି ସମ୍ପାଦକ କହୁଛନ୍ତି ନୂଆ ଟାର୍ଗେଟ୍ ଆସିନାହିଁ, ଆସିଲେ ଧାନ କିଣାଯିବ । ଅନ୍ୟଜଣେ ଚାଷୀ ମଧୁସୂଦନ ଦାଶ କହିଛନ୍ତି ଯେ ଏହା ମଧ୍ୟରେ ଗୋଟିଏ ମଣ୍ଡି ପାଳି ଚାଲିଯାଇଛି, କିନ୍ତୁ ସେମାନଙ୍କୁ ଟୋକେନ୍ ଆସିନାହିଁ କିମ୍ବା ଧାନ ବିକ୍ରି କରିପାରିନାହାନ୍ତି । ଯଦି ସମିତି ଧାନମଣ୍ଡିର ଟାର୍ଗେଟ୍ ନବଢ଼ାଏ ତେବେ ସେମାନେ ଆଗାମୀ ଦିନରେ ନିଜ ନିଜର ଧାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ।
୍ଣସହିଭଳି ଫାସିଓଦା ସେବା ସମବାୟ ସମିତିର ଚାଷୀ ବ୍ରଜ କିଶୋର ପାତ୍ର କହିଛନ୍ତି ଯେ ତାଙ୍କ ମଣ୍ଡିରେ ୧୪,୫୦୦ କ୍ୱିଂଟାଲ୍ ଧାନ ନେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବର୍ତମାନ ସୁଦ୍ଧା ଚାଷୀଙ୍କ ଠାରୁ ୫୯୦୦ କ୍ୱିଂଟାଲ୍ ଧାନ ହିଁ କିଣାଯାଇଛି । ବର୍ତମାନ ସୁଦ୍ଧା ଫେବ୍ରୁଆରୀ ୬ ତାରିଖରେ ଟୋକେନ୍ ମିଳିଥିବା ୮ଜଣଙ୍କ ୨୦୦ କ୍ୱିଂଟାଲ୍, ୧୩ ତାରିଖରେ ଟେକେନ୍ ମିଳିଥିବା ୪୫ଜଣ ଚାଷୀଙ୍କ ୧୨୬୦ କ୍ୱିଂଟାଲ୍, ୨୦ ତାରିଖର ୬୬ ଜଣଙ୍କ ୧୯୦୦ କ୍ୱିଂଟାଲ୍ ଧାନ କିଣାଯାଇପାରିନାହିଁ । ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିଛି । ବର୍ତମାନ ୨୭ ତାରିଖରେ ପୁଣି ଟୋକେନ୍ ଦିଆଯିବ । ପୂର୍ବର ଧାନ ଏଯାଏଁ କିଣା ହୋଇନଥିବା ବେଳେ ନୂତନ ଭାବେ କିଭଳି ଧାନ କିଣିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । କେବଳ ଏହାନୁହେଁ ସିଏସ୍ଓ କହିଛନ୍ତି ଯେ ବୋଳଗଡ଼ରୁ ୯୦% ଧାନ କିଣାଯାଇଥିବା ଯୋଗାଣ ଅଧିକାରୀ କହିଥିବା ବେଳେ ତାଙ୍କ ସମତିରେ ମାତ୍ର ୩୫% ଧାନ କିଣାଯାଇଛି । ଯଦି ୨୭ ତାରିଖରେ ଗତ ୪ଟି ମଣ୍ଡିଦିବସର ବଳକା ଧାନ କିଣାନଯାଏ ତେବେ ଚାଷୀମାନେ ଧାନବସ୍ତା ସହ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ପିଚୁକୁଳି ସେବା ସମବାୟ ସମିତିରେ ଅନୁରୂପ ଭାବେ ଅବ୍ୟବସ୍ଥା ଓ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମାନସିଂହ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସମିତି ଅଧୀନରେ ଥିବା ଚାଷୀଙ୍କ ଧାନ କିଣାନଗଲେ ଖୋର୍ଦ୍ଧା ଜିଲ୍ଲାରେ ଚାଷୀମାନେ ଧାନବସ୍ତା ସହ ଧାରଣା ଦେବେ ବୋଲି କହିଛନ୍ତି ।
ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଜିଲ୍ଲାରେ ପୁଣି ଟାର୍ଗେଟ୍ ବୃଦ୍ଧି କରିବା ପାଇଁ ଲେଖିବେ ଓ ସେମାନଙ୍କ ଧାନ ନିଶ୍ଚିତ ଭାବେ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।