ଧାନକିଣାରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ

ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ମଣ୍ଡିରେ ଧାନକିଣାରେ ଅନୀୟମିତତା ନେଇ ଆଜି ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ତେଲକୋଇ ଲ୍ୟାମ୍ପ୍ସରେ ଖୋଲା ଯାଇଥିବା ସରକାରୀ ମଣ୍ଡିରେ ମାସ୍ (ମିଲର ଅଥୋରିଟି ସ୍ଲିପ୍) ନ ଥିବା ଦର୍ଶାଇ ଚାଷୀଙ୍କ ଠାରୁ ମଣ୍ଡି କର୍ତ୍ତୃପକ୍ଷ ଧାନ କିଣୁ ନାହାଁନ୍ତି । ଆଗରୁ ଟୋକନ ପାଇଥିବା ଚାଷୀଙ୍କ ଧାନ କିଣା ନ ଯାଇ ପଛୁଆ ଟୋକନ ପାଇଥିବା ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ଧାନକୁ ଚଞ୍ଚକତା କରି କିଣା ଯାଉଅଛି। ଚାଷୀ ଦର୍ଶାଇ ବେପାରୀଙ୍କ ଧାନକିଣା ହେଉଛି । ଅଳ୍ପ ଜମିଥିବା ଚାଷୀର ଅଧିକ ପରିମାଣର ଧାନ ବିକ୍ରି ପାଇଁ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇଛି। ୧୦ ଏକରରୁ ଊର୍ଦ୍ଧ୍ବ ଜମିଥିବା ଚାଷୀମାନେ ଟୋକନ ପାଉନାହାଁନ୍ତି । ଲ୍ୟାମ୍ପ୍ସ କର୍ମଚାରୀ ଚାଷୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ତଥା ଧାନକିଣାରେ ଅନିୟମିତତା ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ମାସ୍ ଯୋଗାଇ ଦେବାକୁ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

ତେବେ ଖୁବ ଶୀଘ୍ର ମାସ୍ ଯୋଗାଇ ଦେବା ସହିତ ସୋମବାର ଦିନ ସମସ୍ତ ଅଭିଯୋଗ ଗୁଡିକର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସିଏସଓ ହାଡିବନ୍ଧୁ ସେଠୀ ଚାଷୀ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଆବଶ୍ୟକ ମାସ୍ ଓ ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ କରାଯାଇ ପଦକ୍ଷେପ ନିଆ ନ ଯାଏ, ତେବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଚାଷୀ ପ୍ରତିନିଧି ମଣ୍ଡଳୀରେ ଡମ୍ବରୁଧର ବିଶ୍ବାଳ, ଶୈଳେନ୍ଦ୍ର କୁମାର ପ୍ରଧାନ, ବାବୁଲାଲ ପ୍ରଧାନ, ଅରକ୍ଷିତ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ଲୋକନାଥ ପ୍ରଧାନ, ବଳଭଦ୍ର ପ୍ରଧାନ, ଚୈତନ୍ୟ ସାହୁ, ଦିଲ୍ଲୀପ କୁମାର ସାହୁ, ନାରାୟଣ ପ୍ରଧାନ, ଲୋକନାଥ ବିଶ୍ବାଳ, କ୍ଷମାନିଧି ସାହୁ, ବିଭୂତି ଭୂଷଣ ସାହୁ, ହେମନ୍ତ କୁମାର ବିଶ୍ବାଳ, ସରୋଜ କୁମାର ମହାନ୍ତି, ବିଭୂତି ଭୂଷଣ ପ୍ରଧାନ, ବେଣୁଧର ବେହେରା, ଅରୁଣ କୁମାର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର