ଦେଓଗାଁ ବ୍ଲକ୍‌ରେ ଧାନକିଣା ଅବ୍ୟବସ୍ଥା; ଟାଗେର୍ଟ ଅଛି ଟୋକନ ନାହିଁ, ରବି ଧାନ ପାଇଁ ପଞ୍ଜୀକରଣ ଆରମ୍ଭ

୧୨ ମଣ୍ତିରେ ପଡ଼ିରହିଛି ୫୦ ହଜାର ବସ୍ତା

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ ଧାନମଣ୍ଡି ଅବ୍ୟବସ୍ଥା ଏବେ ବି ଜାରି ରହିଛି। ଖରିଫ୍‌ ଧାନ ଆଜି ଯାଏ ମଣ୍ଡିରୁ ଉଠି ପାରିନାହିଁ। ଅନ୍ୟପଟେ ରବି ଧାନ ସଂଗ୍ରହ ପାଇଁ ଏବେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି। ଏହାକୁ ନେଇ ଚା‌ଷୀ ମହଲରେ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। ପ୍ରକାଶ ଯେ, ଗତ ଖରିଫ୍‌ ଧାନ ସଂଗ୍ରହ ସମୟରେ ଦଲାଲମାନେ ଆଗତୁରା ସେମାନଙ୍କ ଧାନ ବିକ୍ରି କରି ଦେଇଥିଲେ। ଫଳରେ ଟାର୍ଗେଟ ସରିଯିବାରୁ ପ୍ରକୃତ ଚାଷୀମାନେ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଏବେ ବି ବିଭିନ୍ନ ମଣ୍ଡିରୁ ଧାନ ଉଠି ପାରି ନାହିଁ। ବ୍ଲକ୍‌ର ଧଣ୍ତାମାଲ ପେକ୍ସରେ ୨୦୩୫ ବସ୍ତା ଧାନ ଦୁଇମାସ ହେଲା ପଡ଼ିରହିଛି।

ଏହି ପେକ୍ସରେ ଟାଗେର୍ଟ ଥିଲେ ମଧ୍ୟ ଟୋକନ ନାହିଁ। ପୂର୍ବରୁ ଆସିଥିବା ୪୮ଟି ଟୋକନ ଲେପ୍ପ ହୋଇଯାଇଛି। ଅର୍ଜୁନପୁର ପେକ୍ସରେ ୬୨ଜଣ ଚାଷୀଙ୍କ ୬୫୪୨ ବସ୍ତା ପଡ଼ିରହିଛି। ଏଠାରେ ଟୋକନ ନାହିଁ କି ଟାର୍ଗେଟ ନାହିଁ। ମୋଟ ପଞ୍ଜୀକୃତ ୫୫୦ଜଣ ଚାଷୀଙ୍କ ମଧ୍ୟରୁ ୧୦୪ଜଣଙ୍କ ଟୋକନ ଆସିନାହିଁ। ବନ୍ଧପଡ଼ା ପେକ୍ସରେ ୬ଜଣ ଚାଷୀଙ୍କ ୭ଶହ ବସ୍ତା ଧାନ ପଡ଼ିରହିଛି। ଏଠାରେ ପଞ୍ଜୀକୃତ ୩୭୨ଚାଷୀଙ୍କ ମଧ୍ୟରୁ ୨୭୭ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ବଡ଼ବନ୍ଧ ପେକ୍ସରେ ୩୦ଜଣ ଚାଷୀଙ୍କ ୨୯୬୦ ବସ୍ତା ଧାନ ପଡ଼ିରହିଛ। ବର୍ତ୍ତମାନ ୧୧ଶହ କୁଇଣ୍ଟାଲ ଟାଗେର୍ଟ ଥିଲେ ମଧ୍ୟ ଟୋକନ ନାହିଁ। ମୋଟ ୩୯୮ଚାଷୀ ମଧ୍ୟରୁ ୩୬ଜଣଙ୍କ ଟୋକନ ଲେପ୍ସ ହୋଇଛି। ସେହିପରି ଦେଓଗାଁ, ଜରାସିଂହା, ମହଲାଇ, ଉପରଝର, କୁତୁର୍ଲା, ରାମଚନ୍ଦ୍ରପୁର, ଗୌଡ଼ଗୋଠ, ସାରସମାଲ ପେକ୍ସର ମଧ୍ୟ ସମାନ ସ୍ଥିତି ଥିବା ଜଣାପଡ଼ିଛି।

୧୨ଟି ମଣ୍ଡିରେ ପ୍ରାୟ ୫ହଜାର ବସ୍ତା ଧାନ ପଡ଼ିରହିଛି। ଅନ୍ୟପକ୍ଷରେ ୨୦୨୧-୨୨ ରବି ଋତୁରେ ଉତ୍ପାଦନ ହେବାକୁ ଥିବା ଧାନ ପାଇଁ କଳା ବେପାରୀମାନେ ଜାଲ ବିଛାଇବା ଆରମ୍ଭ କଲେଣି। କିଣିଥିବା ଖରିଫ ଧାନକୁ ରବିରେ ଉତ୍ପାଦିତ ଧାନ ବୋଲି ଦର୍ଶାଇ ଆଗାମୀ ଦିନରେ ବିକିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ମଣ୍ଡିରେ ଧାନ ପଡ଼ିଥିବା ବିଷୟରେ ଏଆର୍‌ସିଏସ୍‌ ରବୀନ୍ଦ୍ର ପଣ୍ତାଙ୍କୁ ପଚାରିବାରୁ ସେ କହିଥିଲେ, ଯାହା ହେବ ଉପର ମହଲର ନିଷ୍ପତ୍ତି, ଯଦି ଟୋକନ ରିଜେନେରେଟ କରିବେ ଓ ଟାର୍ଗେଟ ଆସିବ ତାହା ହେଲେ କିଣାଯିବ। ବିଧାନସଭା ପରେ ଜଣାପଡ଼ିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ମଣ୍ତିରେ ଧାନ ପକାଇଥିବା ପଞ୍ଜୀକୃତ ଚାଷୀମାନେ କଣ କରିବେ ତାହାକୁ ନେଇ ଚିନ୍ତାରେ। ତେଣୁ ବଲାଙ୍ଗୀର ଜିଲ୍ଲାପାଳ ଏହାର ତଦନ୍ତ କରି ସମାଧାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର