ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସ୍ବାଭାବିକ ମୌସୁମୀ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନାହିଁ। ପାଣି ନଥିବାରୁ ତଳି ପୋଡ଼ି ଜମି ଫାଟି ଆଁ କଲାଣି। ଏଭଳି ସ୍ଥିତିରେ ଉଠା ଜଳସେଚନ ପ୍ରକଳ୍ପ ହିଁ ଚାଷୀଙ୍କ ଏକମାତ୍ର ସାହା ଭରସା। ହେଲେ ଗଞ୍ଜାମ ଜିଲ୍ଲାରେ ଉଠାସେଚ ପ୍ରକଳ୍ପଗୁଡ଼ିକ ଏକ ପ୍ରକାର ରୁଗ୍‌ଣ ଅବସ୍ଥାରେ ରହିଛି। ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଉଠା ଜଳସେଚନ ପ୍ରକଳ୍ପ ବିଭିନ୍ନ କାରଣରୁ ଅକାମୀ ହୋଇ ପଡ଼ିଥିବା ଚାଷୀ ସଙ୍ଗଠନ ତରଫରୁ ଅଭିଯୋଗ କରାଯାଇଛି। ଏପରିକି ଗତ ୨ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ କୌଣସି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନାହିଁ। ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଉ ନଥିବା ଜଣେ ଅଧିକାରୀ କହିଛନ୍ତି। ଏଣୁ ଜିଲ୍ଲାରେ ଅକାମୀ ହୋଇ ପଡ଼ିଥିବା ସମସ୍ତ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରି ତାହା କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।

Advertisment

ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ ପାଇଁ ବିଶେଷ କରି ବର୍ଷା ପାଣି ଉପରେ ନିର୍ଭର କରନ୍ତି। ବର୍ଷା ନହେଲେ ଜିଲ୍ଲାର ଚାଷ କାର୍ଯ୍ୟ ଠପ୍‌ ହୋଇଯାଉଛି। ଗଞ୍ଜାମ ଜିଲ୍ଲାରେ ଜୁନ୍‌ ମାସରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ଗତମାସ ଶେଷ ଆଡ଼କୁ କେତେକ ବ୍ଲକ୍‌ରେ ବର୍ଷା ହୋଇଥିଲା। ଏଣୁ ଚାଷୀ ତଳି ପକାଇଥିଲେ। ଏବେ ବର୍ଷାର ଦେଖା ମିଳୁ ନାହିଁ। ଫଳରେ ତଳି ନଷ୍ଟ ହୋଇ ଗଲାଣି। ତଳିକୁ ବଞ୍ଚାଇବା ପାଇଁ ଉଠା ଜଳସେଚନର ଘୋର ଆବଶ୍ୟକତା ରହିଛି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ରେ ୧୮୪୬ ଉଠାସେଚ ପ୍ରକଳ୍ପ ରହିଛି। ତନ୍ମଧ୍ୟରୁ ୪୬୮ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଏବେ ୧୩୭୮ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବା ଉଠା ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ। ଏଠାରୁ ପ୍ରାୟ ୨୫ହଜାର ହେକ୍ଟର୍‌ ଜମିକୁ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାଣି ପଞ୍ଚାୟତ ଅଧୀନରେ ରହୁଛି। ହେଲେ ତନ୍ମଧ୍ୟରୁ କେତେକ ପ୍ରକଳ୍ପ ବର୍ତ୍ତମାନ ଅକାମୀ ହୋଇଯାଇଛି। ଏହାର ମୁଖ୍ୟ କାରଣ ହେଲା ବିଦ୍ୟୁତ ସମସ୍ୟା। ବହୁ ପ୍ରକଳ୍ପର ବିଲ୍‌ ବକେୟା ପଡ଼ିଥିବାରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ପୁଣି କେତେକ ପ୍ରକଳ୍ପ ନଦୀ ପାଣି ଉପରେ ନିର୍ଭର କରୁଛି। ନଦୀରେ ପାଣି ନଥିବାରୁ ତାହା ମଧ୍ୟ ଅକାମୀ ହୋଇ ପଡ଼ିଛି। ଗଭୀର ନଳକୂପ ଦ୍ବାରା ସଂଯୋଗ ଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବା ଜଣାପଡ଼ିଛି।

publive-image Mint

ବିଭିନ୍ନ କାରଣ ଯୋଗୁଁ ପ୍ରାୟ ୪୦ ପ୍ରତିଶତ ପ୍ରକଳ୍ପ ଅକାମୀ ହୋଇ ପଡ଼ିଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଅଭିଯୋଗ କରିଛନ୍ତି। ସେହିପରି ପାଣି ପଞ୍ଚାୟତର ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ ଚାଷୀ ପାଣି ପାଇପାରୁ ନଥିବା ବେଳେ ପମ୍ପଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଖରାପ୍‌ ହୋଇ ଗଲାଣି। ଏଭଳି ସମସ୍ୟାକୁ ବିଭାଗୀୟ ଅଧିକାରୀ ସ୍ବୀକାର କରୁଥିଲେ ସୁଦ୍ଧା କିଛି ଠୋସ୍‌ ପଦକ୍ଷେପ ନେଇପାରୁ ନାହାନ୍ତି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଘରୋଇ ଭାବେ ୨୬୮୬ଟି ଗଭୀର ନଳକୂପ ରହିଛି। ସେଥିରୁ ୧୪ହଜାର ୩୫୫ ହେକ୍ଟର୍‌ ଜମିକୁ ପାଣି ମଡ଼ାଯାଇ ପାରୁଛି।

ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ଗଞ୍ଜାମ ଜିଲ୍ଲାରେ ଗତ ଦୁଇବର୍ଷ ହେଲା କୌଣସି ସରକାରୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ନାହିଁ। ଚଳିତ ବର୍ଷ ମେ ମାସରେ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ ଗ୍ରହଣ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୬୮୯ଟି ଆବେଦନ ଆସିଥିଲା। ଯାଞ୍ଚ ପରେ ତନ୍ମଧ୍ୟରୁ ୩୭୦ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ତାଲିକା ପ୍ରସ୍ତୁତ କରାଯାଇଛି। କିନ୍ତୁ ଭୂତଳ ଜଳର ସ୍ଥିତିକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏବେ ଆସିକା ବ୍ଲକ୍‌ରେ ସର୍ବାଧିକ ୧୫୬ଟି ପ୍ରକଳ୍ପ ରହିଥିବା ବେଳେ ପୁରୁଷୋତ୍ତମପୁରରେ ୧୪୮, ହିଂଜିଳିକାଟୁରେ ୧୧୬, ‌ଶେରଗଡ଼ରେ ୧୧୦ ଓ ସୋରଡ଼ାରେ ୧୦୭ ପ୍ରକଳ୍ପ ରହିଛି। ସେହିପରି କୁକୁଡ଼ାଖଣ୍ଡିରେ ସର୍ବନିମ୍ନ ୫ଟି ପ୍ରକଳ୍ପ ରହିଥିବା ବେଳେ ରଂଗେଇଲୁଣ୍ଡା ବ୍ଲକ୍‌ରେ ୬ଟି ପ୍ରକଳ୍ପ ରହିଛି।