ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଣି ସମସ୍ୟାର ସମାଧାନ ହେଉ ନାହିଁ। ବିଶେଷ କରି ଚାଷ ଓ ପାନୀୟ ଜଳ ପାଇଁ ଗଞ୍ଜାମ ଜିଲ୍ଲାବାସୀ ଋଷିକୁଲ୍ୟା ନଦୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଖରାଦିନରେ ଋଷିକୁଲ୍ୟା ଶୁଖିଯିବା ପରେ ପାନୀୟ ଜଳ ସହିତ ଚାଷ କାର୍ଯ୍ୟ ପାଇଁ ପାଣିର ଅଭାବ ସମସ୍ୟା ଦେଖା ଦେଇଥାଏ।
ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା ସମେତ ୭ଟି ଛୋଟବଡ଼ ନଦୀ ବହି ଯାଇଛି। ଗଞ୍ଜାମର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟାରୁ ୧୮୯୦ ମସିହାରେ ତତ୍କାଳୀନ ବ୍ରିଟିସ୍ ସରକାର ଅମଳରେ ଗଞ୍ଜାମ ଜିଲ୍ଲାରେ କେନାଲ ଯୋଗେ ଜଳସେଚନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାର ଦେଢ଼ଶହ ବର୍ଷ ବର୍ଷ ପାଖେଇଲାଣି, ବର୍ତ୍ତମାନ ଋଷିକୁଲ୍ୟାରୁ ମାତ୍ର ୬୦ହଜାର ହେକ୍ଟର୍ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିଛି। ନଦୀଗୁଡ଼ିକର ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏବେ ପାଣି ଅଭାବ ସମସ୍ୟା ଦେଖା ଦେଉଛି। ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି। ଏବେ ବର୍ଷା ନଥିବାରୁ ନଦୀଗୁଡ଼ିକ ଶୁଖିଲା ପଡ଼ିଛି। ସେପଟେ ଭୂତଳ ଜଳସ୍ତର ଖସି ଯାଉଥିବାରୁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ କାମ କରୁ ନାହିଁ। ଏଣୁ ଗଞ୍ଜାମ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଏକ ପ୍ରକାର ଆଣ୍ଠେଇ ପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ଷା ନଥିବାରୁ ଚାଷ ଜମି ଫାଟି ଆଁ କରିଛି।
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ରେ ମୋଟ ୪ଲକ୍ଷ ୫ହଜାର ୫୭୦ ହେକ୍ଟର୍ରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରୁ ୧ଲକ୍ଷ ୭୯ହଜାର ୯୪୯ ହେକ୍ଟର୍ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୋଟ ଚାଷ ଜମି ମଧ୍ୟରୁ ୩ଲକ୍ଷ ୨ହଜାର ହେକ୍ଟର୍ ଜମିକୁ ବିଭିନ୍ନ ଜଳ ପ୍ରକଳ୍ପ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯାଇଛି। ତନ୍ମଧ୍ୟରେ ଋଷିକୁଲ୍ୟା ସିଷ୍ଟମ୍ରୁ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ହେକ୍ଟର୍ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି।
ସେହିପରି ଘୋଡ଼ାହାଡ଼ ନଦୀରୁ ୭ହଜାର ୭୫୮ ହେକ୍ଟର୍ ଜମିକୁ ଜଳସେଚନ ସୁବିଧା ରହିଥିବା ବେଳେ ବାଘୁଆରୁ ୮ହଜାର ୩୬୭ ହେକ୍ଟର୍, ଧନେଇରୁ ୪ହଜାର ୫୦୮ ହେକ୍ଟର୍, ଜୟମଙ୍ଗଳ କେନାଲ୍ରୁ ୭ହଜାର ୩୪୮ ହେକ୍ଟର୍, ଡହରୁ ୬ହଜାର ୫୮୦ ହେକ୍ଟର୍ ଓ ବାଘଲଟିରୁ ୫ହଜାର ୪୮୮ ହେକ୍ଟର୍ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ଏହି ସବୁ ଦନୀର ପାଣି ଶେଷରେ ଋଷିକୁଲ୍ୟାରେ ପଡ଼ୁଛି। ୬ଟି ନଦୀର ପାଣି ଋଷିକୁଲ୍ୟାରେ ପ୍ରବାହିତ ହେଉଥିଲେ ସୁଦ୍ଧା ତା’ର ସଦ୍ବିନିଯୋଗ କରାଯାଇପାରୁ ନାହିଁ। ଋଷିକୁଲ୍ୟା ପାଣିର ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପ୍ରାୟ ୭୦/୮୦ ପ୍ରତିଶତ ପାଣି ସମୁଦ୍ରକୁ ଯାଉଛି। ଏବେ ରାଜ୍ୟ ସରକାର ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟାପ୍ତ ନଦୀ, ନାଳ ରହିଛି। କିନ୍ତୁ ତା’ର ପାଣିକୁ ସଠିକ୍ ଭାବେ ବିନିଯୋଗ କରାଯାଇପାରୁ ନଥିବାରୁ ଜିଲ୍ଲାରେ ଜଳସେଚନ ସମସ୍ୟା ଦେଖା ଦେଇଛି। ବର୍ଷା ପାଣି ହିଁ ଚାଷୀଙ୍କ ଭରସା ପାଲଟିଥିବା ବେଳେ ଜିଲ୍ଲାରେ ଦୋ’ ଫସଲି ଚାଷ ସ୍ବପ୍ନ ପାଲଟିଛି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଜିଲ୍ଲାରେ ଥିବା ଜଳ ଉତ୍ସର ରକ୍ଷଣାବେକ୍ଷଣ ସହିତ ସମସ୍ତ ନଦୀ, ନାଳ, ପୋଖରୀର ଜଳକୁ କିପରି ସଂରକ୍ଷିତ ରଖାଯାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ମୌସୁମୀ ବର୍ଷା ହୋଇ ନାହିଁ। ଗତ ଜୁନ୍ ମାସରେ ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ଯାହାକି ଗତ ୬ବର୍ଷରେ ସର୍ବନିମ୍ନ। ବର୍ଷା ନଥିବାରୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଜୁଲାଇ ମାସରେ ହାରାହାରି ୨୨୦.୮ମିମି ବର୍ଷା ହୋଇଥାଏ। ଜୁନ୍ରେ ହୋଇଥିବା ନିଅଣ୍ଟିଆ ବର୍ଷା ଜୁଲାଇରେ ଭରଣା ନହେଲେ ମରୁଡ଼ି ପରିସ୍ଥିତି ଦେଖାଦେବ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।