ସରକାରୀ ଡାକ୍ତରଖାନାରେ ରୋଗୀ ଅସୁରକ୍ଷିତ! ଶବକୁ କୁକୁର ଖାଉଛି

କେତେବେଳେ ରୋଗୀକୁ ହତ୍ୟା ତ କେତେବେଳେ ରୋଗୀର ଆତ୍ମହତ୍ୟା,

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଓ ପଡ଼ୋଶୀ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କ ଅନ୍ୟତମ ଭରସାଯୋଗ୍ୟ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଛି। ବି‌ଗତଦିନରେ ନିମ୍ନମାନର ଚିକିତ୍ସା, ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ, ଚିକିତ୍ସା ସେବାରେ ଅବହେଳା ଆଦି ଏକାଧିକ କାରଣ ପାଇଁ ଅପବାଦ ମୁଣ୍ଡେଇଛି। ଏସବୁ ଭିତରେ ଆର୍‌ଜିଏଚ୍‌ରେ ଏବେ ରୋଗୀଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେବେଳେ ଜଣେ ରୋଗୀ ଆଉଜଣେ ରୋଗୀକୁ ହତ୍ୟା କରୁଛି ତ କେତେବେଳେ ଖୋଦ୍‌ ରୋଗୀ ଆତ୍ମହତ୍ୟା କରୁଛି; ପୁଣି କେତେବେଳେ ଶବକୁ କୁକୁର ଖାଉଥିବା ଭଳି ସମ୍ବେଦନଶୀଳ ଘଟଣା ଘଟୁଛି। ଏସବୁକୁ ତର୍ଜମା କଲେ ଆର୍‌ଜିଏଚ୍‌ରେ ରୋଗୀ ଯେ ଅସୁରକ୍ଷିତ; ତାହା ଆଉ କାହାକୁ ଅଛପା ନାହିଁ।

ବିଗତ ଦିନରେ ଏଠାରେ ଜଣେ ରୋଗୀ ଆଉ ଜଣେ ରୋଗୀକୁ ହତ୍ୟା କରିବାଭଳି ଘଟଣା ଦେଖିବାକୁ ମିଳିଥିଲା। ୨୦୧୭ ଜାନୁଆରୀ ୨୯ ତାରିଖ। ଧରଣୀଧରପୁର ଗାଁର ଶମ୍ଭୁନାଥ ମୁଣ୍ଡା(୬୦) ଟ୍ୟୁବରକ୍ୟୁଲୋସିସ୍‌ରେ ଆକ୍ରାନ୍ତ ହୋଇ ଆର୍‌ଜିଏଚ୍‌ ଇନ୍‌ଫେକ୍ସନ ୱାର୍ଡରେ ଚିକିତ୍ସାଧୀନ ଥିଲେ। ଉକ୍ତ ୱାର୍ଡରେ ରାଉରକେଲା ଓରାମପଡ଼ାର ଯାଦବ ମୁଣ୍ଡା(୨୫) ମଧ୍ୟ ଭର୍ତ୍ତି ହୋଇଥିଲେ। ଘଟଣା ଦିନ ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ସାମାନ୍ୟ କାରଣରୁ ବଚସା ହୋଇଥିଲା। ପରେ ଆପୋଷବୁଝାମଣା ହେବାସହ ସହ ସମସ୍ତେ ରାତ୍ରୀଭୋଜନ ସାରି ଶୋଇବାକୁ ଯାଇଥିଲେ। ତେବେ ଶମ୍ଭୁନାଥ ଶୋଇଥିବାବେଳେ ଯାଦବ ଏକ ଲୁହା ରଡ୍‌ରେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିଲା। ମୁଣ୍ଡାରେ ନିର୍ଘାତ୍‌ ମାଡ଼ ମାରିବାରୁ ହସପିଟାଲ ଶଯ୍ୟାରେ ହିଁ ଶମ୍ଭୁନାଥଙ୍କ ପରଲୋକ ଘଟିଥିଲା। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ଶିରୋଣାମା ପାଲଟିଥିଲା। ଏତଦ୍‌ବ୍ୟତୀତ ଆଉ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଥିଲା ୨୦୨୧ ଡିସେମ୍ବର ୧୨ ତାରିଖରେ। ମାଲଗୋଦାମ ଅଞ୍ଚଳରେ ଏକ ଅଜଣା ଗାଡ଼ି ଧକ୍କାରେ ଡିସେମ୍ବର ୯ ତାରିଖରେ ଗୋପବନ୍ଧୁପଲ୍ଲୀର ରାଜେଶ ଯାଦବ(୪୦)ଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ଉଦ୍ଧାର କରି ପୁଲିସ ଆର୍‌ଜିଏଚ୍‌ ମର୍ଗ ହାଉସରେ ରଖିଥିଲା। ତା’ପରଦିନ ଏନେଇ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। ତେବେ ଅନ୍ୟ ପ୍ରିୟଜନଙ୍କ ଅନୁପସ୍ଥିତି ଯୋଗୁଁ ସେମାନେ ଉକ୍ତଦିନ ହସପିଟାଲକୁ ଯାଇପାରିନଥିଲେ। ୧୨ ତାରିଖ ପୂର୍ବାହ୍ନରେ ପରିବାରବର୍ଗ ଆର୍‌ଜିଏଚ୍‌ ମର୍ଗ ହାଉସ୍‌ରେ ପହଞ୍ଚିବାପରେ ଶବର ମୁଣ୍ଡ ଖଣ୍ଡିଆଖାବରା ଥିବା ଦେଖିବାକୁ ପାଇଥିଲେ। ଠିକ୍‌ ସେତିକିବେଳେ ମର୍ଗ ହାଉସ୍‌ ଭିତରୁ ଏକ କୁକୁର ବାହାରୁଥିବା ଦେଖି ପରବର୍ତ୍ତୀ ସମୟରେ ଶବକୁ କୁକୁର ଖାଇଦେଇଥିବା ସ୍ପଷ୍ଟ ହୋଇଥିଲା। କିଛିଦିନ ପୂର୍ବେ ହସପିଟାଲ ଭିତରେ ଜଣେ ରୋଗୀର ହତ୍ୟା ପୁଣିଥରେ ଅପବାଦ ଆଣିଦେଇଛି। କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁ ଅଞ୍ଚଳର ସହର ଝରା (୪୫)ଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ସେ ୱାର୍ଡ ବାହାରକୁ ଆସି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ଏହାର କାରଣ ଜଣାପଡ଼ିନଥିଲେ ମଧ୍ୟ ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଥିଲା।

ଏତଦ୍‌ ବ୍ୟତୀତ ଚିକିତ୍ସା ସେବାରେ ଅବହେଳା କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି। ଜଣେ ରୋଗୀଙ୍କୁ ଭୁଲ୍‌ ରକ୍ତ ଦିଆଯିବାରୁ ତାଙ୍କର ପରଲୋକ ଘଟିଥିବା ଅଭିଯୋଗ ହୋଇଥିଲା। କୁତ୍ରା ବ୍ଲକ ବୁଡ଼ାକଟା ଗାଁର ବିରିଙ୍ଗାଟୋଲିର ସରୋଜୀନୀ କାକ୍‌ ଗତ ନଭେମ୍ବର ୧୧ ତାରିଖରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବ୍ଲଡ୍‌ ଗ୍ରୁପ୍‌ ‘ଓ ପଜିଟିଭ୍‌’ ଥିବାବେଳେ ତାଙ୍କୁ ଭୁଲ୍‌କ୍ରମେ ‘ବି ପଜିଟିଭ୍‌’ ବ୍ଲଡ୍‌ ଦିଆଯାଇଥିଲା। ଫଳରେ ତାଙ୍କର ଅକାଳ ବି‌ୟୋଗ ଘଟିଥିବା ପରିବାରବର୍ଗ ଅଭିଯୋଗ ଆଣିଥିଲେ। ନିୟମିତଭାବେ ଏଠାରେ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଏକ ବେସରକାରୀ ସଂସ୍ଥାର ୨୪ ଜଣ ସୁରକ୍ଷା କର୍ମୀ ନିଯୁକ୍ତ ଅଛନ୍ତି। ତଥାପି ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ ବାସ୍ତବରେ ଏହି ସୁରକ୍ଷା କର୍ମୀ କେତେ ପାରଙ୍ଗମ ଓ ସେବା ଯୋଗାଇବାରେ କେତେ ତତ୍ପର ତାହା ସ୍ପଷ୍ଟ ଅନୁମେୟ। ଅପରପକ୍ଷରେ ଏତେସବୁ ଅଘଟଣ ପରେ ମଧ୍ୟ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଧି ନ କରିବା, ଖାମଖିଆଲି ମନୋବୃତ୍ତିର ଜ୍ବଳନ୍ତ ଉଦାହାରଣ ବ୍ୟତିତ ଅନ୍ୟ କିଛି ହୋଇନପାରେ।

ସମ୍ବନ୍ଧିତ ଖବର