ଝାରସୁଗୁଡ଼ା ବିମାନ ବନ୍ଦର: ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ବିକାଶରେ କେତେ ସହାୟକ

ଝାରସୁଗୁଡ଼ା(ପ୍ରଶାନ୍ତ କୁମାର ମିଶ୍ର): ଉତ୍ତରାଖଣ୍ତ ଏକ ଛୋଟ ରାଜ୍ୟ ହୋଇଥିବା ବେଳେ ଏଠାରେ କେବଳ ପର୍ଯ୍ୟଟନ କ୍ଷେତ୍ରହିଁ ଏହି ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିପାରିଛି। ପର୍ଯ୍ୟଟନକୁ  ଗୁରୁତ୍ବ ଦେଇ ସେଠାକାର ସରକାର ରାଜ୍ୟର ବିକାଶ କରି ପାରିଛନ୍ତି।  ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳି ମାତ୍ର ଏହାର ବିକାଶ ନେଇ ସେପରି କୌଣସି ଉଦ୍ୟମ କରାଯାଇ ନାହିଁ। ବିଭିନ୍ନ ସରକାର ଏଥିପାଇଁ ଆଦୌ ଆନ୍ତରିକତା ଦେଖାଇ ନାହାନ୍ତି।

ପୂର୍ବ ଓଡ଼ିଶାରେ ଯାତାୟତର ସୁବିଧା 

ପୂର୍ବ ଓଡ଼ିଶାରେ ଯାତାୟତର ସୁବିଧା ଦୃଷ୍ଟିରୁ  କିଛି ପର୍ଯ୍ୟଟନ ସ୍ଥଳିର ଉନ୍ନତି ହୋଇ ପାରିଛି ସତ ମାତ୍ର ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ସ୍ଥଳି ଗୁଡ଼ିକର ବିକାଶ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଭାରତର ପର୍ଯ୍ୟଟନ ମାନଚିତ୍ରରେ ପଶ୍ଚିମ ଓଡ଼ିଶାର ହରିଶଙ୍କର, ନୃସି˚ହନାଥ, ବିଶ୍ବ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର, ମନ୍ଦିର ମାଳିନୀ ସୋନପୁର, ଚରଦାର ଶିବ ମନ୍ଦିର,  ପୀଠ ରାଣିପୁର ଝରିଆଲ ଚଉଶଠି ଯୋଗୀନି , ଡେ଼ାକ୍ରିଚଞ୍ଚରା, ନୂଆପଡ଼ା ନିକଟସ୍ଥ ଉଷ୍ମପ୍ରସ୍ରବଣ, ଗୁପ୍ତେଶ୍ବର ମନ୍ଦିର, ଡ଼ୁଡ଼ୁମା, ହୀରାକୁଦ ଜଳଭଣ୍ତାର, ସମ୍ବଲପୁର ସମଲେଶ୍ବରୀ, ଘଣ୍ଟେଶ୍ବରୀ, ପ୍ରଧାନପାଟ, ଗୁଦ୍‌ଗୁଦା, ରେଙ୍ଗାଲି ନଦୀବନ୍ଧ, ଉଷାକୋଠୀ ଅଭୟାରଣ୍ୟ, ଦେବଝରଣ, ଗୁଜାପାହାଡ଼, ବିକ୍ରମଖୋଲ, କୋଇଲି ଘୁଘର, ପାକେଲପଡ଼ା ବାବାଡେରା ଗୁମ୍ଫା ଭଳି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି। ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହରିଶଙ୍କର, ନୃସି˚ହନାଥ, କୋଇଲି ଘୁଘର, ଗୁଦ୍‌ଗୁଦା ଭଳି ପ୍ରାକୃତିକ ପରିବେଶ ଉଜୁଡ଼ି ଯିବାକୁ ବସିଲାଣି। ଅନେକ ପର୍ଯ୍ୟଟନ ସ୍ଥଳିକୁ ଏ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ମଧ୍ୟ ନିମାର୍ଣ ହୋଇ ପାରିନାହିଁ।

ହରିଶଙ୍କରକୁ ସିଧାସଳଖ ନାହିଁ ବସ୍‌ ସେବା 

ବଲାଙ୍ଗୀର ଜିଲ୍ଲାରେ ଥିବା ହରିଶଙ୍କରକୁ ସିଧାସଳଖ ବସ୍‌ ସେବା ନାହିଁ। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏଠାରେ ଥିବା ଝରଣାର ଝର ଶୁଖିଯିବାକୁ ଲାଗିଲାଣି। ନୃସି˚ହନାଥର ଅବସ୍ଥା ମଧ୍ୟ ସେପରି। ଉଭୟ ପର୍ଯ୍ୟଟନ ସ୍ଥଳିରେ ରହିବା ପାଇଁ ବିଭିନ୍ନ ବିଭାଗର ବଙ୍ଗଳା ତିଆରି ହୋଇଥିଲେ ମଧ୍ୟ ତାହା ରହିବା ଉପଯୋଗୀ ହୋଇନାହିଁ। ମହାମାରୀ କରୋନା ‌ଫଳରେ ଗତ ୪ ମାସ ହେଲା ଲକ୍‌ଡାଉନ୍‌ କଟକଣା ଯୋଗୁଁ  ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ବହୁ କ୍ଷତିଗ୍ରସ୍ତ ହୋଇଛି। ଆଗକୁ ଏହି କ୍ଷେତ୍ର ଗୁଡ଼ିକ କିଭଳି ବିକାଶ କରିବ ସେ ନେଇ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି।

ଝାରସୁଗୁଡ଼ା ପର୍ଯ୍ୟଟନ ସ୍ଥଳି ଆହୁରି ଶୋଚନୀୟ

ଝାରସୁଗୁଡ଼ା ଠାରେ ଥିବା ପର୍ଯ୍ୟଟନ ସ୍ଥଳି ଗୁଡ଼ିକର ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଛି। ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟାପ୍ତ ଖଣିଜ ସଂପଦ ଭରି ରହିଥିବା ବେଳେ ଏଠାକାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ବାହାର ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇ ପାରୁନାହିଁ। କୌଣସି ପର୍ଯ୍ୟଟନ କ୍ଷେତ୍ରକୁ ଏହି ଜିଲ୍ଲାରେ ଭଲ ମ ରାସ୍ତାଟିଏ ମଧ୍ୟ ନିମାର୍ଣ ହୋଇ ପାରିନାହିଁ। ଶିଳ୍ପରେ ବିକାଶକୁ ନେଇ ଜିଲ୍ଲାରେ ଅନେକ ହୋଟେଲ ଗଢ଼ି ଉଠିଥିବା ବେଳେ ଧିରେ ଧିରେ ଶିଳ୍ପ କାରଖାନା ଗୁଡ଼ିକ ବନ୍ଦ ହୋଇ ଯାଇଥିବାରୁ  ହୋଟେଲ ଶିଳ୍ପ ଗୁଡ଼ିକ ଏବେ କ୍ଷତିଗ୍ରସ୍ତ ହୋଇଛି।

ଦ୍ବିତୀୟ ବିଶ୍ବ ଯୁଦ୍ଧ ଓ ଝାରସୁଗୁଡ଼ା ବିମାନ ବନ୍ଦର

ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବ୍ୟବହାର ହେଉଥିବା ଝାରସୁଗୁଡ଼ା ବିମାନ ବନ୍ଦର ଏବେ  ରାଜ୍ୟର ଦ୍ବିତୀୟ ବିମାନ୍ଦ ବନ୍ଦରର ମାନ୍ୟତା ପାଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ନାମିତ ହୋଇଛି। ଏଠାରୁ ପ୍ରତ୍ୟେହ ଦେଶର ରାଜଧାନୀ ସହିତ କଲୋକାତା, ହାଇଦ୍ରାବାଦ, ରାୟପୁର ଓ ଭୁବନେଶ୍ବରକୁ ସଂଯୋଗ କରୁଛି। ଶହ ଶହ ଯାତ୍ରୀ ପ୍ରତିଦିନ ଝାରସୁଗୁଡ଼ା ଠାରେ ଓହ୍ଲାଉଛନ୍ତି ମାତ୍ର ଝାରସୁଗୁଡ଼ାରେ ସେଭଳି କିଛି ‌ଦର୍ଶନୀୟ ସ୍ଥାନ ନଥିବାରୁ ଏହି ଯାତ୍ରୀଙ୍କୁ ଝାରସୁଗୁଡ଼ା ପର୍ଯ୍ୟଟନ ବାନ୍ଧି ରଖି ପାରୁନାହିଁ।

ଉତ୍କଳ ଉପୋବନ

ବନ୍ଦ ହୋଇଥିବା ଲିଲାରୀ କୋଇଲା ଖଣିକୁ  କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ‘ଉତ୍କଳ ଉପୋବନ’ ନାମରେ ଏକ ପର୍ଯ୍ୟଟନ କ୍ଷେତ୍ର କରିବାକୁ  ଯୋଜନା ରଖିଛି। ଗତ ୨୩ ତାରିଖ ଦିନ ଏହାର ଭୂମିପୂଜା ମଧ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ସାହା କରିଛନ୍ତି। ଯଦି ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରାଯାଇ ପାରନ୍ତା ତେବେ ବିମାନ ବନ୍ଦରର ଲାଭ ସ୍ଥାନୀୟ ଲୋକେ ପାଇ ପାରନ୍ତେ । ସମ୍ବଲପୁର, ଝାରସୁଗୁଡ଼ା  ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଏ। ଉଭୟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପରେ ଏହି ଅଞ୍ଚଳର ବିକାଶ ହୋଇ ପାରିଛି। ଲୋକଙ୍କ ଚଳନୀରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ କାରଣରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହୋଇଯାଇଛି। ଏବେ ହାତଗଣତି ୩/୪ ଶିଳ୍ପକୁ ଛାଡ଼ି ଦେଲେ ପ୍ରାୟତଃ ସବୁ ବନ୍ଦ ହୋଇଯାଇଛି।

ବିକାଶରେ ପୂର୍ଣ୍ଣଛେଦ

ଶିଳ୍ପର ବିକାଶକୁ ଦେଖି ଏହି ଅଞ୍ଚଳର ଆନୁସଙ୍ଗିକ ବିକାଶ ଘଟିଥିଲା। ଯେପରି ଦୋକାନ ବଜାର ବୃଦ୍ଧି, ହୋଟେଲ ଶିଳ୍ପ, ସହରୀ ସଭ୍ୟତାର ଦୃତ ଅଭିବୃଦ୍ଧି ଘଟିଥିଲା ମାତ୍ର କାରଖାନା ଗୁଡ଼ିକ ବନ୍ଦ ହୋଇ ଯିବାପରେ ଏହି ଅଞ୍ଚଳର ବିକାଶରେ ପୂର୍ଣ୍ଣଛେଦ ପଡ଼ି ଯାଇଛି।  ବିମାନ ବନ୍ଦର ଚାଲୁହେଲେ ଅଞ୍ଚଳର ପୁଣି ବିକାଶ ହେବ ବୋଲି ବ୍ୟବସାୟୀ ମହଲରେ ସାମାନ୍ୟ ଆଶା ସ˚ଚାର ହୋଇଥିଲା ମାତ୍ର ବିମାନ ବନ୍ଦର ଚାଲୁ ରହିଥିବା ବେଳେ ଜିଲ୍ଲାକୁ ଏହାର ଲାଭ ସେପରି କିଛି ମିଳିନଥିବା କୁହାଯାଉଛି। ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକୁ ଏବେ ସଜାଡ଼ିବାର ସମୟ ଆସିଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ କଲେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ହେବ ଓ ଏହି ଅଞ୍ଚଳରେ ଥିବା ଅର୍ଥନୀତିରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର