ଖୋର୍ଦ୍ଧା: କରୋନା ସଂକ୍ରମଣ ଓ କଟକଣା ଯୋଗୁଁ ଗତ ପ୍ରାୟ ଦୁଇ ବର୍ଷ ଧରି ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ରହିଛି । ବର୍ତମାନ କରୋନା ସଂକ୍ରମଣ ହ୍ରାସ ପାଇଛି କଟକଣା ହଟିଛି, କିନ୍ତୁ ଅଧିକାରୀଙ୍କ ଶୁଣାଣି ଉପରେ ଆଜି ଯାଏଁ କରୋନା ଭୟ ହଟିନାହିଁ । ଲୋକଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ଆସି ଅଭିଯୋଗ କରିବା ସୁଯୋଗ ରହିଥିଲେ ମଧ୍ୟ ଅଭିଯୋଗ ପତ୍ର ଗ୍ରହଣ ହେଉଛି କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ । ଏପରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ହତାଶ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କରିଥିବା ଆବେଦନର ମଧ୍ୟ ସମାଧାନ ହୋଇପାରୁନାହିଁ ।

Advertisment

ଖୋର୍ଦ୍ଧା ଗ୍ରାମାଂଚଳରେ ଲୋକଙ୍କ ସମସ୍ୟା ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସଂକ୍ରମଣ ପୂର୍ବରୁ ବ୍ଲକ, ପୌରପାଳିକା, ଉପଜିଲ୍ଲାପାଳ, ଜିଲ୍ଲାପାଳସ୍ତରରେ ଯେଉଁ ସାପ୍ତାହିକ ଅଭିଯୋଗ ଶୁଣାଣି ହେଉଥିଲା । ଶୁଣାଣିରେ ସମସ୍ୟା ସମାଧାନ ନହେଲେ ଜନଆକ୍ରୋଶର ଶିକାର ହେବେ ବୋଲି ସରକାରୀ ଅଧିକାରୀଙ୍କ ଭୟ ଥିଲା । ଏଣୁ ଲୋକଙ୍କ ସମସ୍ୟା ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରାଯାଉଥିଲା । ବର୍ତମାନ ଆଉ ସେଇ ଭୟ ନାହିଁ କି ସମସ୍ୟା ସମାଧାନ କରିବା ପାଇଁ ଅଧିକାରୀଙ୍କ ନିକଟରେ ଆଉ ଇଚ୍ଛା ନଥିବା ପରିଲକ୍ଷିତ ହେଉଛି ।

ସୁଦୂର ଗ୍ରାମାଂଚଳରୁ ଆସୁଥିବା ଲୋକଙ୍କ ସମସ୍ୟା କଥା ଦୂରରେ ଥାଉ ଖୋଦ୍ ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ସହରର ଲୋକଙ୍କ ସମସ୍ୟା ସମାଧାନ ହେଉନାହିଁ । ଗତ ଦୁଇ ବର୍ଷ ଧରି ରାସ୍ତା, ଜଳ ନିଷ୍କାସନ ପାଇଁ ନାଳ, ଜବରଦଖଲ ଉଚ୍ଛେଦ, ପ୍ରମାଣପତ୍ର ଆଦି ଶତାଧିକ ଅଭିଯୋଗ ଓ ଆବେଦନ ସମାଧାନ ନହୋଇ ପଡ଼ିରହିଛି । ବୁଢ଼ିବଗିଚା, ନବୀନାବାଗ, ବରୁଣେଇ କଲୋନୀର ଲୋକ ରାସ୍ତାଘାଟ, ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ପୌର କାର୍ଯ୍ୟାଳୟ ଦୌଡ଼ି ନୟାନ୍ତ ହେବା ପରେ ବର୍ତମାନ ଏକାଧିକ ଥର ଜିଲ୍ଲାପାଳଙ୍କ ଠାରେ ଏନେଇ ଅବେଦନ କରିଛନ୍ତି, କିନ୍ତୁ କୌଣସି ଫଳ ହୋଇନାହିଁ ।

ଯେଉଁମାନେ ଜିଲ୍ଲା, ଉପଖଣ୍ଡ, ପୌର କିମ୍ବା ବ୍ଲକ ସ୍ତରର ଅଧିକାରୀଙ୍କ ନିକଟରେ ଅଭିଯୋଗ ଦେଇଛନ୍ତି ସେମାନଙ୍କ ସମସ୍ୟା କଥା ଦୂରରେ ଥାଉ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଯାଉଥିବା ଅଭିଯୋଗର ମଧ୍ୟ ସମାଧାନ ହୋଇନପାରି ବର୍ଷ ବର୍ଷ ଧରି ପଡ଼ିରହୁଛି । ଚଳିତ ମାସ ୨୦ ତାରିଖରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଜିଲ୍ଲାପାଳଙ୍କ ନିକଟକୁ ଏନେଇ ପତ୍ର ଲେଖି ତାଗିଦ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ୧୩ଟି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା । ଏହା ମଧ୍ୟରୁ ୫ଟିର ସମାଧାନ ହୋଇଥିଲେ ମଧ୍ୟ ୮ଟିର ସମାଧାନ ହୋଇପାରିନାହିଁ । ଏଣୁ ବଳକା ଅଭିଯୋଗର ଆକ୍ସନ ଟେକନ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

କେବଳ ଏହାନୁହେଁ, ରାସନକାର୍ଡ଼, ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଆଦି ସମ୍ପର୍କିତ ଅଭିଯୋଗ ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲା ଯୋଗାଣ ବିଭାଗ ନିକଟରେ ରାଜ୍ୟର ତୃତୀୟ ସର୍ବାଧି ଅଭିଯୋଗ ୧୪୮୯ଟି ସମାଧାନ ନହୋଇ ପଡ଼ିରହିଛି । ଏହିଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ୨ ବର୍ଷ ମଧ୍ୟରେ ଜିଲ୍ଲା ଯୋଗାଣ ବିଭାଗକୁ ୯ଟି ପତ୍ର ଲେଖାଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଲୋକଙ୍କ ଅଭିଯୋଗ ହେଲା, କାର୍ଯ୍ୟାଳୟକୁ ଆସିଲେ ଗହଳି ବଢ଼ିବ ଏହି ଆଶଙ୍କାରେ ୱାଟସଅପ୍ ଓ ଅନ୍ଲାଇନ୍ରେ ଅଭିଯୋଗ ଦାଖଲ କରିବାର ବ୍ୟବସ୍ଥା ହୋଇଥିଲେ ହେଁ ତାହା ଠିକ୍ରେ କାମ କରୁନାହିଁ । ଲୋକଙ୍କୁ ଯୋଗାଡ଼ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଯାଇ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କ ନିକଟରେ ପହଂଚୁଛନ୍ତି ନଚେତ୍ ଲୋକଙ୍କ କଥା ଶୁଣିବାକୁ ସେମାନଙ୍କ ନିକଟରେ ସମୟ ନାହିଁ । ବର୍ତମାନ ସଂକ୍ରମଣ ହ୍ରାସ ପାଇଥିବାରୁ ପୁଣି ସାପ୍ତାହିକ ଅଭିଯୋଗ ପ୍ରକୋଷ୍ଠ ଚାଲୁ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।