ଘରେ ନପଶୁଣୁ ମୁଣ୍ଡରେ ଚାଳ : ବିଜେଡିରେ କୋଣଠେସା ହେଉଛନ୍ତି କି ପ୍ରଫୁଲ୍ଲ !

ସୁନ୍ଦରଗଡ଼ : ୨୦୨୧ ଡିସେମ୍ବର ୧୦ରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଡ. ପ୍ରଫୁଲ୍ଲ ମାଝୀ। ତଳସରାର ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା ଡ. ମାଝୀ ବିଜେଡିରେ ସନ୍ତୁଷ୍ଟ ଅଛନ୍ତି କି। ବିଜେଡିରେ ପ୍ରଫୁଲ୍ଲ ଯୋଗ ଦେବାର ୩ ମାସ ମଧ୍ୟରେ ଏପରି ପ୍ରଶ୍ନ ମନରେ କିଛିଟା ଦ୍ବନ୍ଦ୍ବ ସୃଷ୍ଟି କରିପାରେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ମନକୁ ଆନ୍ଦୋଳିତ କଲା ଭଳି ଘଟିଥିବା କିଛି ଘଟଣାକ୍ରମ ସ୍ବାଭାବିକ ଭାବେ ଏ ପ୍ରଶ୍ନ ଛିଡ଼ା କରିଛି।

୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟରେ ଚତୁର୍ଥ ଥର ପାଇଁ ତଳସରା ବିଧାନସଭାରୁ ଲଢ଼ିଥିବା ଡ. ମାଝୀ ପରାଜିତ ହେବା ପରେ ବିଜେଡିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ମନସ୍ଥ କରିଥିଲେ। ବର୍ଷେ ପରେ ସେ ଯୋଗ ଦେଇଥିଲେ ବିଜେଡିରେ। ଏହା ପରେ ଦଳ ତାଙ୍କୁ ରାଜ୍ୟ ସାଧାରଣସମ୍ପାଦକ ଭଳି ଗୁରୁଦାୟିତ୍ବ ଦେଇଥିଲା। କିନ୍ତୁ ସ୍ଥାନୀୟ ବିଜେଡି ଡ. ମାଝୀଙ୍କ ଯୋଗଦାନରେ ସନ୍ତୁଷ୍ଟ ନଥିବା ମନେ ହୋଇଥିଲା। କିନ୍ତୁ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ବିରୋଧ କରିପାରି ନଥିବା ଚର୍ଚ୍ଚା ହୋଇଥିଲା। ସେ ଅସନ୍ତୋଷର ଝଲକ ଦେଖିବାକୁ ମିଳିଥିଲା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ। ଏଥିରେ ପ୍ରଫୁଲ୍ଲ ନିଜ ଧର୍ମପତ୍ନୀ ତ୍ରିବେଣୀ ମାଝୀଙ୍କୁ ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା ଆସନରେ ବସାଇବାକୁ ଚାହିଥିଲେ। ଏଥିପାଇଁ ସେ ତଳସରା ପଞ୍ଚାୟତ ସମିତିସଭ୍ୟା ଆସନରେ ତ୍ରିବେଣୀଙ୍କୁ ପ୍ରାର୍ଥୀ କରିଥିଲେ। ପୂର୍ବରୁ ୨୦୧୭ରେ ବିରୋଧୀ କଂଗ୍ରେସରେ ଥାଇ ସୁଦ୍ଧା ତ୍ରିବେଣୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବାରୁ ଏଥର ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ତାଙ୍କ ବିଜୟ ସହଜ ହୋଇଯିବ ବୋଲି ସେ ଭାବି ନେଇଥିଲେ। କିନ୍ତୁ ତଳସରା ସମିତିସଭ୍ୟା ନିର୍ବାଚନରେ ତାଙ୍କୁ ସ୍ଥାନୀୟ ମୂଳ ବିଜେଡି ସମର୍ଥନ ଦେଇ ନଥିଲା। ଦଳର କିଛି ନେତା ତ୍ରିବେଣୀଙ୍କ ପ୍ରତିପକ୍ଷଙ୍କୁ ଭିତିରିଆ ସମର୍ଥନ ଦେଇଥିଲେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରଫୁଲ୍ଲ। ଏ ପ୍ରସଙ୍ଗରେ କିଛି ନେତାଙ୍କ ଉପରେ ସେ ପ୍ରବଳ ବର୍ଷିଥିଲେ। ଏପରିକି ତୃତୀୟ ମହଲା ଯାଏ କଥା ଯାଇଥିଲା। କିନ୍ତୁ ନିର୍ବାଚନ ଶେଷ ଯାଏ ଏକ୍ଲା ପଡ଼ିଯାଇଥିଲେ ପ୍ରଫୁଲ୍ଲ। ଅବଶ୍ୟ ତ୍ରିବେଣୀ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ କିନ୍ତୁ ଅସଲ ଖେଳ ଆରମ୍ଭ ହୋଇଥିଲା। ତ୍ରିବେଣୀ ଅଧ୍ୟକ୍ଷା ପ୍ରାର୍ଥୀ ହେବା ନିଶ୍ଚିତ ଥିବା ବେଳେ ବିଜେଡି ସମର୍ଥିତ ଆଉ ଜଣେ ପ୍ରାର୍ଥୀ ବାଲିଶଙ୍କରା ପଞ୍ଚାୟତସମିତିରେ ଦୁଇ ଥର ଅଧ୍ୟକ୍ଷା ଥିବା କିଞ୍ଜିରକେଲା ସମିତିସଭ୍ୟା କୁଞ୍ଜଲତା ଭିତିରିଆ ମୈଦାନକୁ ଓହ୍ଲାଇଥିଲେ। ବିଜେଡି ବନାମ ବିଜେଡି ଟକ୍କର ହୋଇଥିଲା। କୌଣସି ମତେ ତ୍ରିବେଣୀଙ୍କୁ ଅଧ୍ୟକ୍ଷା କରାଇ ନଦେବାକୁ ମୂଳ ବିଜେଡିର ଏକ ଗୋଷ୍ଠୀ ଜୋର୍ ଲଗାଇ ଦେଇଥିଲେ। ଏହା ମଧ୍ୟରେ ରୋଚକସ୍ଥିତିକୁ ପହଞ୍ଚି ଯାଇଥିଲା ଲଢ଼େଇ। କୁଞ୍ଜଲତା ନିର୍ବାଚିତ ୧୦ ସମିତିସଭ୍ୟଙ୍କୁ ନେଇ ଅଜ୍ଞାତବାସକୁ ଚାଲି ଯାଇଥିଲେ। ତ୍ରିବେଣୀଙ୍କ ପାଖରେ ୮ ସମିତିସଭ୍ୟ ରହିଥିଲେ। ଯାହା ପ୍ରଫୁଲ୍ଲଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଅଧ୍ୟକ୍ଷା ନିର୍ବାଚନ ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୧୧ ତାରିଖରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଏନଏଚ ୫୭ ସିଙ୍ଗାରି ଛକରେ ସମିତିସଭ୍ୟଙ୍କୁ ନେଇ ଅଜ୍ଞାତବାସରୁ ଫେରୁଥିବା କୁଞ୍ଜଲତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋଇଥିଲା ଓ ତାଙ୍କ ଭାଇ ରଞ୍ଜନ ମାଝୀ ଓ ଦିଅର ବିଶ୍ବଜିତ ଭିତିରିଆଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନିଆଯାଇଥିଲା। ପ୍ରଫୁଲ୍ଲଙ୍କ ଉପସ୍ଥିତିରେ ଆକ୍ରମଣ କରାଯାଇଥିବା କୁଞ୍ଜଲତା ସିଧାସଳଖ ଅଭିଯୋଗ କରିଥିଲେ। ଘଟଣା ପରେ ପୁଲିସ ସୁରକ୍ଷା ବଳୟରେ କୁଞ୍ଜଲତା ସମିତିସଭ୍ୟଙ୍କୁ ଧରି ବାଲିଶଙ୍କରା ଆସି ଅଧ୍ୟକ୍ଷା ନିର୍ବାଚନରେ ବାଜି ମାରିଥିଲେ। ଏହା ପର ଦୃଶ୍ୟ ମଧ୍ୟ ପ୍ରଫୁଲ୍ଲଙ୍କ ପାଇଁ ସତର୍କ ଘଣ୍ଟି ଥିଲା ବୋଲି କୁହାଯାଇପାରେ। କୁଞ୍ଜଲତାଙ୍କ ବିଜୟ ଶୋଭାଯାତ୍ରାରେ ବିଜେଡି ଦଳର କର୍ମକର୍ତ୍ତୀ ଓ କର୍ମୀମାନେ ପ୍ରଫୁଲ୍ଲ ଓ ତ୍ରିବେଣୀଙ୍କ ବିରୋଧରେ ନାରାବାଜି କରିଥିଲେ। ବଡ଼ କଥା ହେଲା, ଶୋଭାଯାତ୍ରାରେ ଖୋଦ୍ ଜିଲ୍ଲା ସଭାପତି ବିନୟ ଟପ୍ପୋ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପଟେ ଗୁଳିକାଣ୍ଡକୁ ଜିଲ୍ଲାରେ କେହି ସହଜରେ ଗ୍ରହଣ କରୁ ନଥିବା ବେଳେ ଅଧ୍ୟକ୍ଷା ନିର୍ବାଚନ ପ୍ରଫୁଲ୍ଲଙ୍କ ପାଇଁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ଅବସ୍ଥା ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର