କରୋନା ମୁକାବିଲା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି ବ୍ରହ୍ମପୁର ଆଇଟିଆଇ

ସଂକ୍ରମଣକୁ ପ୍ରତିହତ ପାଇଁ ଗୋଟିଏ ପରେ ଗୋଟିଏ ଉପକରଣ ପ୍ରସ୍ତୁତି କରୁୁଛି

ବ୍ରହ୍ମପୁର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନ (ଆଇଟିଆଇ) ନିରନ୍ତର ଉଦ୍ୟମ ଜାରି ରଖିଛି। ପ୍ରଥମେ ବଜାରରେ ହ୍ୟାଣ୍ଡସାନିଟାଇଜର୍‌ର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ଆଇଜର୍‌ ସହ ମିଶି ହ୍ୟାଣ୍ଡ ସାନିଟାଇଜର୍‌ ପ୍ରସ୍ତୁତ କରି ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିଥିଲା। ଏହାପରେ ମାସ୍କ ପ୍ରସ୍ତୁତ କରିଥିଲେ। ଗତମାସରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ସ୍ବଳ୍ପ ଖର୍ଚ୍ଚରେ କରୋନା ଚିକିତ୍ସାରେ ସହାୟକ ହେଲାଭଳି ଏରୋସଲ୍ ବକ୍ସ, ଫେସ୍‌ସିଲ୍ଡ, ଭ୍ରାମ୍ୟମାଣ କୋଭିଡ୍‌ ନମୁନା ସଂଗ୍ରହ ଯାନ ପ୍ରସ୍ତୁତ କରାଯାଇଥିଲା। ଯାହାକି କରୋନା ମୁକାବିଲାରେ ଉପଯୋଗୀ ହେବ। ଏବେ ପୁଣି କମ୍‌ ଖର୍ଚ୍ଚରେ ୟୁଭି (ଅଲ୍‌ଟ୍ରା ଭାଓଲେଟ୍) ଲାଇଟ୍‌ ସାନିଟାଇଜର୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି।

ଏକ ଅବ୍ୟବହୃତ ଓଭନ୍‌କୁ ନେଇ ଏହି ୟୁ.ଭି.ଲାଇଟ୍‌ ସାନିଟାଇଜର୍‌ ପ୍ରସ୍ତୁତ କରିଛନ୍ତି। ଏହା ଦ୍ବାରା ମୋବାଇଲ୍ ଫୋନ୍, ଲାପ୍‌ଟପ୍, ଟାବଲଏଡ୍‌, ମନିପର୍ସ, ଗାଡ଼ି ଚାବି ଆଦି ବହୁଳ ବ୍ୟବହୃତ ସାମଗ୍ରୀ ଗୁଡ଼ିକ ମାତ୍ର ୧୫ମିନିଟ୍‌ ମଧ୍ୟରେ ବିଶୋଧିତ ହୋଇ ଭୂତାଣୁ ମୁକ୍ତ ହୋଇପାରିବ। ଏଥିପାଇଁ ଏକ ଟାଇମର୍‌ ସର୍କିଟ୍‌ ମଧ୍ୟ ସଂଯୁକ୍ତ କରାଯାଇଛି। ଓଭନ୍‌ର ଚାମ୍ବରରେ ଲାଗିଥିବା ଅତିବାଇଗେଣୀ ଆଲୋକ ତରଙ୍ଗ ଦ୍ବାରା ଏହି ବି‌େଶାଧନ ପ୍ରକ୍ରିୟା ଅନୁଷ୍ଠିତ‌ ହେବ। ମାତ୍ର ୧୨ଶହ ଟଙ୍କା ଖର୍ଚ୍ଚରେ ଏହି ୟୁଭି ଲାଇଟ୍‌ ସାନିଟାଇଜର୍‌ ପ୍ରସ୍ତୁତ କରାଯାଇଛି। କୋଭିଡ୍‌ ହସ୍ପିଟାଲ୍‌ରେ ବ୍ୟବହାର ପାଇଁ ଏହାର ଗୁଣବତ୍ତା ପରୀକ୍ଷା କରି ସ୍ବକୃତୀ ପ୍ରଦାନ କରିବା ପାଇଁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)କୁ ଆବେଦନ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏଭଳି ନୂଆନୂଆ ଉପକରଣ ପ୍ରସ୍ତୁତିରେ ନିୟୋଜିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ସେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର