ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କେବେ?

ଜୟପୁର: ବିବାଦ ପରେ ଗତ ଜାନୁଆରି ମାସରେ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ସ୍ଥାପିତ ମହାରାଜା ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ପୂର୍ତ୍ତ ବିଭାଗ କାଡି ନେଇଥିଲା। ୩ମାସ ପରେ ବି ଏହି ସ୍ଥାନରେ ସ୍ଥାପନ କରିବାକୁ ଥିବା ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ବସାଯାଇ ନାହିଁ। ଏହି ସ୍ଥାନଟି ଏବେ ଖାଲି ଖାଲି ଲାଗୁଛି। ବ୍ରୋଂଜ ମୂର୍ତ୍ତି ନିର୍ମାଣ ପାଇଁ ବିଳମ୍ବ ହେଉଥିବା ଦର୍ଶାଇ ପ୍ରଶାସନ ସମୟ ଗଡ଼ାଇ ଗଡ଼ାଇ ଚାଳିଛି। ବୁଦ୍ଧିଜୀବୀ, ପୁରାତନ ଛାତ୍ର, ବିଭିନ୍ନ ସଂଗଠନ ପକ୍ଷରୁ ଏବେ ପ୍ରଶାସନ ଏଠାରେ ରାଜଶ୍ରୀଙ୍କ ପ୍ରତିମୂର୍ତ୍ତି କେବେ ସ୍ଥାପନ କରିବ ତାହାକୁ‌ ନେଇ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟମ୍ବର ୧୭ତାରିଖ ଦିନ ଜୟପୁର ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଫୁଟ ଓଭର ବ୍ରିଜ ସହ ମହାରାଜା ବିକ୍ରମ ଦେବ ବର୍ମାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଥିଲା। ଏହି ପ୍ରତିମୂର୍ତ୍ତିଟି ଆକାରେ ବହୁ ଛୋଟ ରହିଥିବା ବେଳେ ଏହା ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କର ନୁହେଁ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ପରେ ଏହାକୁ ଧଳା‌ କନାରେ ଘୋଡାଇ ରଖାଯାଇଥିଲା। ତେବେ ଗତ ଜାନୁଆରି ୧୬ରେ ଏହି ପ୍ରତିମୂର୍ତ୍ତିକୁ ଏଠାରୁ ପୂର୍ତ୍ତବିଭାଗ ପକ୍ଷରୁ ବାହାର କରି କାଡ଼ି ନେଇଥିଲେ। ଏଠାରୁ ବାହାର କରି ନେଇଥିବା ପ୍ରତିମୂର୍ତ୍ତି ସହରରେ ସ୍ଥାପନ କରାଯିବାକୁ ଥିବା ଯୋଜନା ବି କାର୍ଯ୍ୟକାରୀ ହୋଇପାରିନି।

ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ବବିଦ୍ୟାଳୟ ପରିସରରେ ଜୟପୁର କଲେଜ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନ୍ସ ବ୍ଲକ ସମ୍ମୁଖରେ ଥିବା ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିର ଅବିକଳ ପୁର୍ଣ୍ଣାଙ୍ଗ ବ୍ରୋଂଜର ମୂର୍ତ୍ତି ନିର୍ମାଣ କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାୟକ ପାଣ୍ଠିରୁ ୨୫ଲକ୍ଷ ଟଙ୍କା ସେ ପୌରପାଳିକାକୁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ଦାୟିତ୍ବ ଦେଇଥିବା କହିଛନ୍ତି ବିଧାୟକ। ପୌରପାଳିକାକୁ ଏହି ଦାୟିତ୍ବ ମିଳିବା ପରେ ଏହି ବ୍ରୋଂଜ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ହାଇଦ୍ରାବାଦର ଏକ ସଂସ୍ଥାକୁ ଅର୍ଡର ଦିଆଯାଇଛି, ସଂପ୍ରତି ନିର୍ମାଣ ଚାଳିଛି, ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ତେବେ ନିର୍ମାଣ କାମ ସରିବାକୁ ଆଉ କେତେ ଦିନ ସମୟ ଲାଗିବ ତାହା ସ୍ପଷ୍ଟ ଭାବେ କହି ପାରୁନାହାନ୍ତି ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ। ଅପରପକ୍ଷରେ ମହାରାଜା ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ‌ପୂର୍ତ୍ତ ବିଭାଗ ନେଇକି ଗୋଟିଏ ରୁମ ମଧ୍ୟରେ ପକାଇ ରଖିଛି। ଏହାକୁ ସହରର ରାଜନଅର ଅଂଚଳରେ ସ୍ଥାପନ କରାଯିବା ଯୋଜନା ରହିଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ବାଭିମାନ ଓ ପୂଜ୍ୟପୂଜାର ନିଦର୍ଶନ ରାଜଶ୍ରୀ ବିକ୍ରମ ଦେବ ବର୍ମା ଓ ମହାରାଜା ବିକ୍ରମ ଦେବଙ୍କ ପ୍ରତି ଏଭଳି ଚରମ ଅବହେଳା ଠିକ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

ସମ୍ବନ୍ଧିତ ଖବର