ଭଦ୍ରକ: କର୍ମଚାରୀଙ୍କ ଦରମା ବିଲକୁ ନେଇ ଟ୍ରେଜେରୀ ଅଫିସର ଓ ପୌର କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଗତ ଅକ୍ଟୋବର ମାସ ଦରମା ବିଲ ପାଇଁ ଗତ ଏକ ସପ୍ତାହ ପୂର୍ବରୁ ଟ୍ରେଜେରୀରେ ଦରମା ବିଲ ଦାଖଲ କରାଯାଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଟ୍ରେଜେରୀ ଅଫିସର ତାକୁ ପାସ ନକରି ବିଭିନ୍ନ ଆଳରେ ପକାଇ ରଖିଛନ୍ତି । ଫଳରେ କର୍ମଚାରୀମାନେ ସେମାନଙ୍କ ମାସିକ ଦରମା ଏବଂ ପେନସନ ନପାଇ ହଇରାଣ ହେଉଛନ୍ତି ।ଏହାର ପ୍ରତିବାଦ କରି ଆଜି ଭଦ୍ରକ ପୌରପାଳିକା ଏବଂ ଭଦ୍ରକ ଜିଲ୍ଲା ପରିଷଦର ଶତାଧିକ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଛାଡି ଟ୍ରେଜେରୀ ଅଫିସରେ ହଟ୍ଟଗୋଳ କରିଛନ୍ତି । କର୍ମଚାରୀମାନେ ଟ୍ରେଜେରୀ ଅଫିସରଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ଏନେଇ ପ୍ରବଳ ହୋହଲ୍ଲା କରିବା ସହିତ ତୁରନ୍ତ ଦରମା ବିଲ ପାସ କରିବାକୁ ଅଡ଼ି ବସିଥିଲେ । କର୍ମଚାରୀଙ୍କ ହୋହଲ୍ଲା ପାଟିତୁଣ୍ଡ ଏବଂ ଯୁକ୍ତିତର୍କ ସତ୍ୱେ ଟ୍ରେଜେରି ଅଫିସର ଦରମା ବିଲରେ ଦସ୍ତଖତ କରିନଥିଲେ । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ପୌର ଏବଂ ଜିଲ୍ଲା ପରିଷଦ କର୍ମଚାରୀମାନେ ଫେରି ଆସିଥିଲେ । କର୍ମଚାରୀମାନେ ଏନେଇ ଅତିରିକ୍ତ ଜିଲ୍ଳାପାଳଙ୍କୁ ଭେଟି ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଘଟଣାରେ ହସ୍ତକ୍ଷେପ କରିବାକୁ କହିଛନ୍ତି । କେବଳ ପୌର କିମ୍ବା ଜିଲ୍ଲା ପରିଷଦ ନୁହେଁ ବ୍ଲକ ସମେତ ବହୁ ସରକାରୀ ଅଫିସରେ ଦରମା ବିଲ ସହିତ ସିଭିଲ ପେନସନ ଏବଂ ଅନ୍ୟାନ୍ୟ ସରକାରୀ ଭତା ସମ୍ପର୍କିତ ବିଲ ଦସ୍ତଖତ କରୁନଥିବାରୁ ଏଥିନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦାୟିତ୍ୱରେ ଥିବା ଅଧିକାରିଣୀ ବିଭିନ୍ନ ଆଳରେ ଟ୍ରେଜେରୀକୁ ପାସ ହେବାକୁ ଯାଉଥିବା ବିଲଗୁଡିକୁ ପକାଇ ରଖିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇଥିବା କହିଛନ୍ତି ଭଦ୍ରକ ପୌର କର୍ମଚାରୀ ସଂଘ ନେତା ।
ଏଥିନେଇ ଜିଲ୍ଲା ଟ୍ରେଜେରୀ ଅଫିସର ଅରୁନ୍ଧତୀ ଜେନାଙ୍କୁ ପଚାରିବାରେ ସେ ଏନେଇ ନିଜ ପ୍ରତିକ୍ରିୟାରେ କହଛନ୍ତି, ଅଫିସଗୁଡିକ ଦରମା ଏବଂ ଅନ୍ୟାନ୍ୟ ବିଲ ସହିତ ଆବଶ୍ୟକ କାଗଜପତ୍ର ଦାଖଲ କରୁନଥିବାରୁ ଟ୍ରେଜେରୀରୁ ଓଭର ପେମେଂଟ ହୋଇଯିବାର ସମ୍ଭାବନାକୁ ଦେଖି ବିଲ ପାସ କରିବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ବିଲ ଦାଖଲ ହେବା ଦିନରୁ ସେ ଛୁଟିରେ ଥିବା ଏବଂ ଅତିରିକ୍ତ ଟ୍ରେଜେରୀ ଅଫିସର ମଧ୍ୟ ଛୁଟିରେ ଥିବା ଯୋଗୁ କାମ ଚାପରେ ବିଲ ପାସ ହୋଇପାରିନଥିବା କହିଛନ୍ତି । ବିଲ ପାସ କ୍ଷେତ୍ରରେ ଅଚଳାବସ୍ଥା ସମ୍ପର୍କରେ ଅଧିକାରିଣୀ କହନ୍ତି, କାହାରି ଦରମା ବନ୍ଦ କରା ଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣେ ରାତିପାହିଲେ ପ୍ରଥମାଷ୍ଟମୀ ପଡୁଥିବାବେଳେ ଟ୍ରେଜେରୀରେ କର୍ମଚାରୀଙ୍କ ବେତନ ନପାଇ ଟ୍ରେଜେରୀ ଅଫିସରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ଯାହାକୁ ନେଇ ଆଗକୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ ଭଦ୍ରକ ପୌରପାଳିକାର ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଏବଂ ଜିଲ୍ଲା ପରିଷଦର ୪୦ ପାଖାପାଖି କର୍ମଚାରୀଙ୍କ ବେତନ ବିଲ ସହିତ ଶହ ଶହ କଳାକାର ଏବଂ ପେନସନଧାରୀଙ୍କ ବିଲ ଟ୍ରେଜେରିରେ ଅଟକି ରହିଛି । ସେହିଭଳି ବିଭିନ୍ନ ବିଭାଗର କୋଟି କୋଟି ଟଙ୍କାର ସିଭିଲ କାମ ବିଲ ମଧ୍ୟ ଅଟକି ରହିଛି । କୁହାଯାଇଛି ଟ୍ରେଜେରୀ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ କାର୍ଯ୍ୟାଳୟରେ ଏହି ଧରଣର ଅଚଳାବସ୍ଥା ଲାଗିରହିଛି । ତେଣେ କାର୍ଯ୍ୟଳୟରେ ଏହି ଧରଣର ଅବ୍ୟବସ୍ଥା ଏବଂ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି କାର୍ଯ୍ୟଳୟର ଅତିରିକ୍ତ ଟ୍ରେଜେରୀ ଅଫିସର ସ୍ବାସ୍ତ୍ୟଗତ ଅସୁବିଧା ଆଳରେ ଲମ୍ବା ଛୁଟିରେ ଚାଲି ଯାଇଥିବା ଜଣାପଡିଛି । ଯାହାକି ପରିସ୍ଥିତିକୁ ଅଧିକ ଜଟିଳ କରିଥିବା କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/IMG-20221114-WA0107.jpg)