ଖୋର୍ଦ୍ଧା: ପୌରାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ପରିଚାଳନା ନିମନ୍ତେ ଆସୁଥିବା ଅନୁଦାନ ଉଠାଇବାକୁ ସ୍ଥାନୀୟ କାଉନସିଲରଙ୍କ ସ୍ବାକ୍ଷର ଆବଶ୍ୟକ। ମାସେ ନୁହେଁ କି ଦୁଇ ମାସ ଗତ ୧୩ ମାସ ଧରି ଚାପ ପକାଇ କାଉନସିଲରଙ୍କ ସ୍ବାକ୍ଷର ନେଇ ଟଙ୍କା ଉଠାଉଛନ୍ତି। ଏନେଇ ନିର୍ବାହୀ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କେହି ପଦକ୍ଷେପ ନେଉ ନାହାନ୍ତି। ଏଭଳି ଅଭିଯୋଗ ଆଉ କେହି ନୁହେଁ ଖୋଦ୍ ଖୋର୍ଦ୍ଧା ପୌରାଞ୍ଚଳର ଜଣେ କାଉନସିଲର କରିଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳର ୬ ନମ୍ବର ୱାର୍ଡ କାଉନସିଲର କମଲ କୁମାର ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ୱାର୍ଡରେ ତିନିଟି ସ୍ଥାନରେ-ନବୀନାବାଗ, ଜବରଦସ୍ତପୁର, ଠେଙ୍ଗାହାଟ ଅଙ୍ଗନବାଡ଼ିକେନ୍ଦ୍ର ରହିଛି। ସେ କାଉନସିଲର ହେବା ପରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ବ୍ୟାଙ୍କ ଜମାଖାତାର ଯୁଗ୍ମ ଦାୟିତ୍ବରେ ରହିଲେ। ଦାୟିତ୍ବ ଗ୍ରହଣ କରିବା ପରେ ସେ ନିୟମାନୁସାରେ, ଅଙ୍ଗନବାଡ଼ିକେନ୍ଦ୍ରର ମାତୃମଙ୍ଗଳ କମିଟି ଓ ପରିଚାଳନା କିମିଟି ପୁଣି ଗଠନ କରିବାକୁ କହିଥିଲେ।
ଏହା ମଧ୍ୟରେ ୧୮ ମାସ ବିତିଯାଇଛି, କିନ୍ତୁ ନୂତନ କମିଟି ଗଠନ ହୋଇନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଗ୍ୟାସ୍ ଚୁଲା ଆଦି ରହିଥିଲେ ମଧ୍ୟ ବିପଦଜ୍ଜନକ ଓ ବେଆଇନ ଭାବେ ବିଦ୍ୟୁତ୍ ଚୁଲା ଲାଗଇ ରନ୍ଧା ଯାଉଛି। ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କ ଉପସ୍ଥାନ ନଥିଲେ ମଧ୍ୟ ଚଞ୍ଚକତା କରି ମିଥ୍ୟା ତଥ୍ୟ ଦିଆଯାଉଛି। ଏହି ସବୁ ଅନିୟମିତତା ସମ୍ପର୍କରେ ସେ ଜିଲ୍ଲା ଶିଶୁ ସୁରକ୍ଷା ଯୋଜନା ଅଧିକାରୀଙ୍କୁ ଅନେକ ଥର ଜଣାଇଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଲଟି ବିଭାଗୀୟ ଅଧିକାରୀ ତାଙ୍କୁ ପ୍ରତିମାସରେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଚାପ ପକାଇ ସ୍ବାକ୍ଷର କରି ନେଉଛନ୍ତି। ଏନେଇ ସେ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ ନ ଶୁଣିବାରୁ ସେ ଅଗଷ୍ଟ ୮ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଲେ। ଏହା ମଧ୍ୟରେ ପ୍ରାୟ ୧ ମାସ ହୋଇ ଯାଇଛି କିନ୍ତୁ କେହି ପଦକ୍ଷେପ ନେବାତ ଦୂରର କଥା ଯାଞ୍ଚ କରିବାକୁ ମଧ୍ୟ ଉଚିତ ମନେ କରି ନାହାନ୍ତି। ​ବସ୍ତୁତଃ, ଖୋର୍ଦ୍ଧା ପୌରଞ୍ଚଳରେ ୬ ନମ୍ବର ୱାର୍ଡରେ ଥିବା ୩ଟି ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ୨୨ଟି ୱାର୍ଡରେ ଥିବା ୫୦ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ରରେ ଏଭଳି ଅନିୟମିତତାର ଅଭିଯୋଗ ନିୟମିତ ଭାବେ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/anganwadi-center-Khordha-2.jpeg)