ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା ଓ ଶୁଖିଲା ଖାଦ୍ୟ ମିଳୁ ନ ଥିବା ଅଭିଯୋଗ

ଡମପଡ଼ା: ଡମପଡ଼ା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଦୁଇଗୋଟି ଅଙ୍ଗନବାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀ ଓ ପ୍ରସୂତିଙ୍କୁ ଅଣ୍ଡା ଓ ଶୁଖିଲା ଖାଦ୍ୟରୁ ବଞ୍ଚିତ କରାଯାଇଛି। ଏ ନେଇ ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ସମ୍ମନିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଗର୍ଭବତୀ, ପ୍ରସୂତି ଓ ଜନ୍ମର ୭ମାସ ଠାରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ବାଙ୍କୀ ଡମପଡ଼ା ବ୍ଲକରେ। ଡମପଡ଼ା ଶିଶୁ ସମନ୍ୱିତ ବିଭାଗ ଅନ୍ତର୍ଗତ ଗୋବିନ୍ଦପୁର-୩ ଓ ସାମନ୍ତରାପୁର-୧ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜକୁ ପ୍ରାୟ ୨୦ମାସ ହେବ ହିତାଧିକାରୀମାନେ ଅଣ୍ଡା ଓ ଶୁଖିଲା ଖାଦ୍ୟରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଗତ ୨୦୨୦ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ୍‌ କଟକଣା ପାଇଁ କେନ୍ଦ୍ର ବନ୍ଦ ଥିବା ବେଳେ ସରକାର କେନ୍ଦ୍ରର ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଅଣ୍ଡା, ଚାଉଳ, ଡ଼ାଲି, ତେଲ, ପନିପରିବା ଯୋଗାଇବା ପାଇଁ ନିୟମ କରିଥିଲେ ତାହା ବି ସାମନ୍ତରାପୁର-୧ ଓ ଗୋବିନ୍ଦପୁର-୩ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇ ନଥିବା ଜଣାପଡିଛି।

ଏ ସମ୍ପର୍କରେ ଡମପଡା ବ୍ଲକ ସିଡିପିଓ ଫୁଲରାଣୀ ବେହେରାଙ୍କୁ ପଚାରିବାରୁ ସେ କହିଲେ କେନ୍ଦ୍ରରେ କର୍ମୀ ନାହାନ୍ତି। ନୂତନ କର୍ମୀ ନିଯୁକ୍ତି ଖୁବ ଶୀଘ୍ର ହେବ ଓ ହିତାଧିକାରୀଙ୍କୁ ଅଣ୍ଡା, ଶୁଖୁଲା ଖାଦ୍ୟ ଦିଆଯିବ। ଆସନ୍ତା ଦିନରେ ଯଥାଶୀଘ୍ର ହିତାଧିକାରୀଙ୍କୁ ଅଣ୍ଡା ଓ ଶୁଖିଲା ଖାଦ୍ୟ ଯୋଗାଇବା ସହ ଖାଲି ପଡ଼ିଥିବା ଅଙ୍ଗନବାଡି କର୍ମୀ ପଦବି ପୂରଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଶଙ୍କର ରଣା, ସୁରେନ୍ଦ୍ର ବେହେରା, ମାନସ ରଣା, ପ୍ରଶାନ୍ତ ରଣାଙ୍କ ସମେତ ବହୁ ବ୍ୟକ୍ତି ଦାବି କରିଛନ୍ତି। ଏଥିରେ ରାଜନୈତିକ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ସାମାଜିକ କର୍ମୀ ଶ୍ରୀକାନ୍ତ ଗୋଛି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର