ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଗୁମର କଥା: ନାମ ପଞ୍ଜୀକରଣ ପରେ ବି ନିର୍ମାଣ ଶ୍ରମିକଙ୍କୁ ମିଳୁନି କାର୍ଡ

ଅନଲାଇନ୍ ରେଜିଷ୍ଟ୍ରେସନ ବେଳେ ଦଲାଲ ନେଉଛନ୍ତି ହାତଗୁଞ୍ଜା

ଭଦ୍ରକ: ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବେ ଦଲାଲଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏଠି ସିଧାସଳଖ ଭାବେ କେହି ଶ୍ରମିକ ଅଫିସକୁ ଆସି ଫର୍ମ ଆବେଦନ କରି ନିର୍ମାଣ ଶ୍ରମିକ କାର୍ଡ ପାଇବାର ସଫଳ ହୋଇ ନାହାଁନ୍ତି। ଦଲାଲ ନଧରିଲେ ଏଠି ଶ୍ରମିକର କିଛି କାମ ହୁଏନି। ଆରଟିଓ ଅଫିସରେ ଯେଭଳି ଦଲାଲଙ୍କୁ ନଧରିଲେ ଡ୍ରାଇଭିଂ ଲାଇସେନ୍ସ ମିଳି ପାରେ ନାହିଁ। ସେମିତି ଅବସ୍ଥା ଏବେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଘଟୁଛି। ଜିଲ୍ଲା ଶ୍ରମକାର୍ଯ୍ୟାଳୟକୁ ଏଇ ଦଲାଲ ମାନେ ଆଜକୁ ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କରାୟତ କରି ରଖିଛନ୍ତି। ଦଲାଲମାନେ ଗାଁ ଗାଁ ବୁଲି ଗରିବ ଲୋକଙ୍କୁ ନିର୍ମାଣ ଶ୍ରମିକ କାର୍ଡ କରାଇ ଦେବାର ଲୋଭ ଦେଖାଇ ଦେଢ ହଜାରରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ଆଣି ଶ୍ରମିକ କାର୍ଡ କରାଉଛନ୍ତି। ଦଲାଲଙ୍କର ଏଇ ଦୁଇ ନମ୍ବରି କାମରେ ଶ୍ରମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କର ଭିତିରି ସମ୍ପର୍କ ରହୁଛି। ତୋର ଅଧେକୁ ମୋର ଅଧେ ନ୍ୟାୟରେ ଚାଲିଛି କାର୍ଯ୍ୟାଳୟ। ଏଇ ଅଫିସରେ କିଛି କର୍ମଚାରୀ ଏଭଳି ଦଲାଲ କାମରେ ସମ୍ପୃକ୍ତ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଦଲାଲ ବି ମାଲେମାଲ ହୋଇଛନ୍ତି। ଏଠି ମାଳ ମାଳ ଦଲାଲ। ଦଲାଲ ସର୍ବଶ୍ବ  ଏଇ ଅଫିସରେ ଭିଜିଲାନ୍ସ ଚଢଉ ହେଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ଶ୍ରମିକମାନେ ଅଭିଯୋଗ ଉଠାଇଛନ୍ତି। ନିର୍ମାଣ ଶ୍ରମିକ କାର୍ଡ କରାଇ ଦେବାକୁ କହି ଯେଉଁସବୁ ଦଲାଲ ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଛନ୍ତି। ସେମାନଙ୍କ ଉପରେ ଭିଜିଲାନ୍ସ ଚଢଉ କରାଯାଉ। ଏଇ ଦଲାଲଙ୍କ

ଉପରେ ଭିଜିଲାନ୍ସ ଚଢଉ ହେଲେ ସେମାନଙ୍କ ଠାରୁ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଅସହାୟ ନିର୍ମାଣ ଶ୍ରମିକମାନେ ନିଜ ଅଭିଯୋଗରେ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ଏଇ ଅଫିସରେ ଭିଜିଲାନ୍ସ ଚଢଉ କରି ଲାଞ୍ଚ ନେଉଥିବା ବେଳେ ଜଣେ କର୍ମଚାରୀଙ୍କୁ ଧରିଥିଲେ। ଏବେ ପୁଣି ଏଇ ଲାଞ୍ଚ କାରବାର ଖୋଲମ ଖୋଲା ଚାଲିଛି। ଅନଲାଇନରେ ନାମ ପଞ୍ଜୀକରଣ ବେଳେ ଦଲାଲମାନେ ହାତଗୁଞ୍ଜା ନେଉଥିବା ବେଳେ ଦଲାଲଙ୍କୁ ନଧରି ସିଧା ସଳଖ ପଞ୍ଜୀକରଣ କରିଥିଲେ ମଧ୍ୟ ଶ୍ରମିକଙ୍କୁ ମିଳୁନି କାର୍ଡ। ନାମ ପଞ୍ଜୀକରଣ କରି ମଧ୍ୟ କାର୍ଡ ଖଣ୍ଡେ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଗରିବ ଶ୍ରମିକ ବିଚରା ଶ୍ରମ କାର୍ଡ ଖଣ୍ଡକ ପାଇଁ ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୌଡି ନ‌ୟାନ୍ତ ହେଉଛନ୍ତି। ଶ୍ରମ କାର୍ଯ୍ୟାଳୟ ଚାରି ପାଖରେ ବୁଲୁଛନ୍ତି କିଛି ଦଲାଲ। ଏମାନଙ୍କ ଉପରେ କାହାର ନଜର ପଡୁ ନାହିଁ। ଏଇ ଦଲାଲଙ୍କୁ ଧରିବା ପାଇଁ ପୁଲିସ କି ଭିଜିଲାନ୍ସ ସ୍ବତନ୍ତ୍ର ଟିମର ଚଢଉ ହେଉ ନାହିଁ ବୋଲି ଏମାନଙ୍କ ପ୍ରାଦ୍ୟୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ନିର୍ମାଣ ଶ୍ରମିକଙ୍କୁ ଶ୍ରମ କାର୍ଡ କରାଯାଇ ଦେବା ଆଳରେ ଜଣେ ଜେଣ ଦଲାଲ ଏଠି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ବିଚରା ଗରିବ ଶ୍ରମିକଟି ଶୋଷଣର ଶୀକାର ହେଉଛି। ଜିଲ୍ଲା ଶ୍ରମ ଅଧିକାରୀ ଓ ରାଜ୍ୟ ଶ୍ରମ କମିସନର ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାର ବହୁ ଶ୍ରମିକ ଦାବି କରିଛନ୍ତି। ଜିଲ୍ଳାରେ ନିର୍ମାଣ ଶ୍ରମିକଙ୍କ କାର୍ଡ ସଂଖ୍ୟା ଏବେ ଦେଢ ଲକ୍ଷ ଟପି ଥିବା ବେଳେ କାର୍ଡ ପାଇବା ପାଇଁ ଆରହୁରି ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଶ୍ରମିକ କାର୍ଡ ପାଇଁ ଆବଦେନ କରି ଅପେକ୍ଷା କରିଛନ୍ତି। ୨୦୨୩ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ପଞ୍ଜୀକୃତ ନିର୍ମାଣ ଶ୍ରମିକ ସଂଖ୍ୟା ୧ ଲକ୍ଷ ୬୩ ହଜାରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ୨୦୨୪ ମସିହା ବେଳକୁ ଏଇ ସଂଖ୍ୟା ଆହୁରି ବୃଦ୍ଧି ପାଇ ଦୁଇ ଲକ୍ଷ ଛୁଇଁଯିବ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ନିର୍ମାଣ ଶ୍ରମିକ କାର୍ଡ ପାଇବା ପାଇଁ ଶ୍ରମ କାର୍ଯ୍ୟାଳୟରେ ପ୍ରତିଦିନ ଲାଗୁଛି ଭିଡ। ଯିଏ ଶ୍ରମିକ ହେଉ କି ନହେଉ ତାକୁ ଯଦି କୌଣସି ଶ୍ରମିକ ସଂଗଠନ ମଞ୍ଜୁରୀ ପତ୍ରଦେଲା।

Sambad

ସେହି ଆଧାରରରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ମିଳି ପାରୁଛି। ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏଇ ସବୁ ସୁବିଧା ସୁଯୋଗ ହାତେଇବା ପାଇଁ ଶ୍ରମିକ ନହୋଇ ମଧ୍ୟ ଅନେକ ଲୋକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ମିଳୁଛି। କୋଭିଡ୍ ସମୟରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଇ ସହାୟତା ହାତେଇବା ପାଇଁ ନିର୍ମାଣ ଶ୍ରମିକ ସଂଗଠନ ମାନେ ବହୁ ସଂଖ୍ୟାରେ ଲୋକଙ୍କର ଫର୍ମ ପୂରଣ କରି ସେମାନଙ୍କୁ ନିର୍ମାଣ ଶ୍ରମିକ ସଜାଇ ଦେଇଛନ୍ତି। ଜିଲ୍ଲାରେ ଯେଉଁ ହାରରେ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରାଯାଛି। ଆଉ କିଛି ମାସ ପରେ ଭଦ୍ରକ ଜିଲ୍ଲାରେ ନିର୍ମାଣ ଶ୍ରମିକ ସଂଖ୍ୟା ୨ ଲକ୍ଷ ୧୫ ହଜାରକୁ ଟପି ଯିବ ବୋଲି ଆଶଙ୍କା କରାଯାଉଛି। ଆହୁରି ହଜାର ହଜାର ସଂଖ୍ୟାରେ ଫର୍ମ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ପଡି ରହିଛି। ଏହା ଭିତରେ ଜିଲ୍ଲାରେ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଶ୍ରମିକ ମାନଙ୍କର ପିଲାଙ୍କୁ ଶିକ୍ଷା ସହାୟତା, ଶ୍ରମିକମାନଙ୍କୁ ବିଭିନ୍ନ ଶ୍ରମିକ ଯନ୍ତ୍ରପାତି ସହାୟତା ଯୋଗାଇ ଦିଆଯାଇଥିବା ବେଳେ ସାଇକେଲ ସହାୟତା ଓ ସୁରକ୍ଷା ଯନ୍ତ୍ରପାତି ବାଦକୁ ମଧ୍ୟ ଶ୍ରମିକଙ୍କୁ ଅର୍ଥ ରାଶି ଯୋଗାଣ କରାଯାଇଛି। ସେହିପରି ଶ୍ରମିକଙ୍କ ଝିଅ ବିବାହ ପାଇଁ ସହାୟତା ଓ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଛି। ସେହିପରି ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ ସରକାରୀ ଯୋଜନାରେ ଏଇ ସବୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବାରୁ ଏଇ ସହାୟତା କିଭଳି ଅଧିକରୁ ଅଧିକ ଶ୍ରମିକ ପାଇବେ ସେଥିପାଇଁ ପ୍ରତିଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ନେତାଙ୍କଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ସଂଗଠନର ନେତା ନିର୍ମାଣ ଶ୍ରମିକଙ୍କର ଲାଗିଛି ଭିଡ। ଏଇ ଶ୍ରମିକ କାର୍ଡ କରାଯାଇ ଦେବା ପାଇଁ ଦଲାଲମାନେ ଏଠାରେ ଡେରା ପକାଇ ଥିବାବେଳେ ଶ୍ରମିକଙ୍କ ପାଇଁ ସୁବିଧା ସୁଯୋଗ କିଭଳି ମିଳିବ ସେଥିପାଇଁ ଦଲାଲମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି। ଶ୍ରମିକମାନେ ଯେଉଁ ସୁବିଧା ଓ ସହାୟତା ପାଉଛନ୍ତି। ସେଥିରୁ ବି ଦଲାଲମାନେ କିଛି ହାତ ଚିକଣ କରୁଛନ୍ତି। ନିର୍ମାଣ ଶ୍ରମିକମାନେ ପାଉଥିବା ଶ୍ରମିକ କାର୍ଡ ଓ ସୁବିଧା ସୁଯୋଗ ସବୁ ଦଲାଲଙ୍କ ଚକ୍ରବ୍ୟୁହରେ ରହିଛି। ଯେଉଁ ଦଲାଲମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରମିକ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର