ଡେରାବିଶ: ଡେରାବିଶ ବ୍ଲକ୍ ମିସନ ଶକ୍ତି ମହାସଂଘ ଆନୁକୂଲ୍ୟରେ ଚାଲିଥିବା ଏମ୍ବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ଚୟନରେ ଅନିୟମିତତା ସୀମା ଟପିଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁମାନେ ଏହି ପଦବି ପାଇଁ ଆବେଦନ କରିଛନ୍ତି ସେହିମାନେ ଚୟନ ପ୍ରକ୍ରିୟାରେ ବି ସାମିଲ୍ ଥିବା ଜଣାପଡ଼ିଛି। ଫଳରେ ଚୟନ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତ ମଧ୍ୟରୁ ୧୩ଟିରେ ଚୟନ ପ୍ରକ୍ରିୟା ବିଗତ ବର୍ଷରେ ଶେଷ ହୋଇଛି। ଅବଶିଷ୍ଟ ୧୩ଟି ପଞ୍ଚାୟତ ପାଇଁ ଏମ୍ବିକେ ଓ ଖାଲିପଡ଼ିଥିବା ପଞ୍ଚାୟତଗୁଡ଼ିକରେ ୧୫୧ ଜଣ ସିଆରପି ଓ ୯ ଜଣ ବ୍ୟାଙ୍କ ମିତ୍ର ପଦବି ପାଇଁ ବିଭାଗ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଥିଲା। ଗତ ମାର୍ଚ୍ଚ ୧ ତାରିଖରୁ ଏହି ପଦବିଗୁଡ଼ିକ ନିମନ୍ତେ ଆବେଦନକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତେବେ ଏମ୍ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ୧୦୦୦ରୁ ଅଧିକ ପ୍ରାର୍ଥୀ ଶେଷ ତାରିଖ ଥିବା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଆବେଦନ କରିଥିଲେ। ପ୍ରତ୍ୟେକ ଆବେଦନକାରୀଙ୍କ ପ୍ରମାଣପତ୍ର ଭୁଲ୍ କି ଠିକ୍ ସେ ବିଷୟରେ ଅଭିଯୋଗ ପାଇଁ ମାର୍ଚ୍ଚ ୩୦ ତାରିଖ ଯାଏ ଦିନ ଧାର୍ଯ୍ୟ କରାଯାଇଥିଲା। ଏ ସମ୍ବନ୍ଧରେ ପ୍ରାର୍ଥୀଙ୍କ ତାଲିକା ଓ ଏ ସମ୍ପର୍କରେ ଅଭିଯୋଗ ପ୍ରଦାନର ସମୟ ସୀମା ସମ୍ପର୍କରେ ପ୍ରତ୍ୟେକ ପଞ୍ଚାୟତମାନଙ୍କରେ ଏବଂ ବ୍ଲକ୍ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍ ଲଗାଯାଇଥିଲା। ଅଭିଯୋଗର ଶେଷ ସମୟ ସୀମା ପରେ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ବିଡିଓଙ୍କ ନେତୃତ୍ବରେ ମହାସଂଘର କର୍ମକର୍ତାଙ୍କ ମଧ୍ୟରୁ ଦୁଇଜଣ ଓ ସହଯୋଗୀ ଭାବେ ବ୍ଲକ ମିସନ ଶକ୍ତିର ମ୍ୟାନେଜର ଏବଂ ଜୀବିକା ମିସନର ବ୍ଲକ ମ୍ୟାନେଜର ଚୟନ କମିଟିରେ ସହଯୋଗୀ ଭାବେ ରହିବା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ରହିଛି। ତେବେ ସମସ୍ତ ପ୍ରକ୍ରିୟା ଆବେଦନ ଶେଷ ତାରିଖଠାରୁ ୫୩ ଦିନ ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଅବଧି ସରିବାର ପରେ ଏ ସମ୍ପର୍କିତ ଚୟନ କାର୍ଯ୍ୟ ଶେଷ ହୋଇ ନ ଥିବା ଜଣାପଡ଼ିଛି। ଗୁରୁତ୍ବପୁର୍ଣ୍ଣ ଘଟଣାକ୍ରମରେ ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ଏହି ପଦବିଗୁଡ଼ିକ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଚୟନ କମିଟିରେ ରହିପାରିବେ ନାହିଁ। ମାତ୍ର ଏହି ବ୍ଳକ୍ରେ ଏହାର ବ୍ୟତିକ୍ରମ ଦେଖାଯିବା ସହ ବିଭାଗୀୟ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଇ ପ୍ରାର୍ଥୀ ଚୟନ କାର୍ଯ୍ୟ କରାଯାଉଛି। ବ୍ଲକ୍ ମହାସଂଘର ସଭାନେତ୍ରୀ, ଉପସଭାନେତ୍ରୀଙ୍କ ସମେତ ଅନ୍ୟ ୫ଜଣ ଏହି ପଦବି ପାଇଁ ଆବେଦନ କରିଥିବାରୁ ସେମାନଙ୍କୁ ଚୟନ କମିଟିରେ ନ ରଖିବାର ନିୟମ ରହିଛି।
ପ୍ରାଥମିକ ସ୍ତରରେ ହୋଇଥିବା ବୈଠକରେ ଆବେଦନକାରୀ ମହାସଂଘ କର୍ମକର୍ତାଙ୍କୁ ଛାଡି ଆବେଦନ କରିଥିବା ଅନ୍ୟ ମହାସଂଘ କାର୍ଯ୍ୟକାରିଣୀ ସଦସ୍ୟାଙ୍କୁ ଚୟନ କମିଟିରେ ରଖାଯିବା ନେଇ ସ୍ଥିର କରାଯାଇଥିଲା। ହେଲେ ତା’ ପର ଦିନ ମହାସଂଘର କେତେକ କର୍ମକର୍ତାଙ୍କ ଜିଦ୍ଖୋର ମନୋବୃତ୍ତି ପାଇଁ ସମସ୍ତ ନିୟମ ଉଲ୍ଲଂଘନ କରାଯାଇ ଚୟନ କମିଟିରେ ସଂଘ ସଭାପତିଙ୍କ ସମେତ ଆବେଦନକାରୀ ନଥିବା ସମ୍ପାଦିକାଙ୍କୁ ଏହି କମିଟିରେ ରଖାଯାଇଥିଲା। ହେଲେ ଚୟନ ପ୍ରକ୍ରିୟା ସମୟରେ ଏହି କମିଟିକୁ ସାହାଯ୍ୟ ବାହାନାରେ ମହାସଂଘର ଉପସଭାନେତ୍ରୀ ଓ ଅନ୍ୟ ଜଣେ କର୍ମକର୍ତା ସେଠାରେ ରହି ଏହି ପ୍ରକ୍ରିୟାରେ ସାମିଲ ହେଉଥିବା ଜଣାଯାଇଛି। ମହାସଂଘ ସଭାନେତ୍ରୀ ମଙ୍ଗଳପୁର, ଉପସଭାନେତ୍ରୀ ବେଣୀପୁର ଓ ଚୟନ ପ୍ରକ୍ରିୟାରେ ସାମିଲ ଥିବା ଅନ୍ୟ କର୍ମକର୍ତା ଜଣକ ଛୋଟି ପଞ୍ଚାୟତରୁ ଏବଂ ସେମାନଙ୍କ ସହିତ ଅନ୍ୟ ୪ଜଣ କର୍ମକର୍ତା ଏମ୍ବିକେ ପଦବି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଏମ୍ବିକେ, ସିଆରପି ଚୟନ ନାମରେ ବ୍ଲକ ଅଂଚଳର ମହିଳାଙ୍କୁ କେବଳ ଭୂଆଁ ବୁଲାଯାଉଥିବା ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରାର୍ଥୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ମିସନଶକ୍ତିର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜିଲ୍ଲା ଅଧିକାରୀ କୈଳାସ ଚନ୍ଦ୍ର ସେନାପତି କହିଛନ୍ତି, ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ରହିପାରିବେ ନାହିଁ। ତେବେ ଡେରାବିଶ ବ୍ଳକ୍ରେ ଏଭଳି ଅନିୟମିତତା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ ଏଭଳି କୌଣସି ଖବର ନ ଥିବା ସେନାପତି କହିଥିଲେ। ଅପରପକ୍ଷରେ ବ୍ଲକ୍ ଜୀବିକା ମିସନର ମ୍ୟାନେଜର ହିମାଂଶୁ ଭଦ୍ର କହିଛନ୍ତି, ଏମ୍ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ କେବଳ ନିଜ ପଂଚାୟତର ପ୍ରାର୍ଥୀ ଚୟନ ସମୟରେ ଯାଂଚ କମିଟିରେ ରହିପାରିବେ ନାହିଁ। ଏ ବିଷୟରେ ବିଡ଼ିଓ ଦାଶରଥି ଜେନା କହିଛନ୍ତି ଯେ, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ କମିଟି ଗଠନ ହୋଇଛି ଓ ଏହି ପଦବିଗୁଡ଼ିକ ପାଇଁ ଚୟନ ସମୟରେ ସବୁ ସ୍ବଚ୍ଛତାକୁ ଅବଲମ୍ବନ କରାଯାଉଛି। ଅନ୍ୟପଟେ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକଙ୍କ ସମେତ ବହୁ ଆବେଦନକାରୀ ଦାବି ଜଣାଇଛନ୍ତି।