ରାୟଗଡା: ଗତ ୨୦୦୨ ମସିହାରେ ଓଡିଶା ସରକାର ଉଠାଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ଗଠନ କରି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିଲେ। ସରକାରଙ୍କର ଲକ୍ଷ୍ୟ ଥିଲା ଯେ, ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରି ପାଣି ପଞ୍ଚାୟତକୁ ହସ୍ତାନ୍ତର କରିବା ସହ ଚାଷୀ ସ୍ବାବଲମ୍ବୀ ହୋଇ ପାରିବେ। ନିଜେ ଏହାର ମାଲିକାନା ହେବେ। କିନ୍ତୁ ଚାଷୀଙ୍କ ବୈଷୟିକ ଜ୍ଞାନ କୌଶଳର ଅଭାବ ଏବଂ ସମନ୍ବୟର ଅଭାବ ଯୋଗୁଁ ଜିଲ୍ଲାର ୯୨୦ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୨୨୯ଟି ଗୋଷ୍ଠୀ ଉଠାଜଳସେନ ପ୍ରକଳ୍ପ ଏବେ ଅଚଳ ହୋଇ ପଡିଛି। ଏହି ଗୋଷ୍ଠୀ ଉଠାଜଳସେଚନ ଅକାମୀ ହେବାର କାରଣ ହେଲା ବିଦ୍ୟୁତ ବିଲ ପୈଠ ନ କରିବା। ଜିଲ୍ଲାର ରହିଥିବା ୧୧ଟି ବ୍ଲକର ୨୨୯ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ମୋଟ ୬୦ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବକେୟା ରହିଛି। ପାଣି ପଞ୍ଚାୟତ କମିଟିର ସମନ୍ବୟ ଅଭାବରୁ ରକ୍ଷଣାବେକ୍ଷଣ ହୋଇ ନପାରିବାରୁ ବହୁ ଗୋଷ୍ଠୀ ଉଠାଜଳସେଚନ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ମଧ୍ୟ ଜଣାପଡିଛି।

Advertisment

ଜିଲ୍ଲାର ରାୟଗଡା ବ୍ଲକରେ ୩୬ଟି ଗୋଷ୍ଠୀ ଉଠାଜଳସେଚନ ଅଚଳ ହୋଇପଡିଥିବା ବେଳେ ଏହାର ବିଦ୍ୟୁତ ବିଲ ବାବଦକୁ ୧୦,୨୪,୫୧୦ ଟଙ୍କା ବକେୟା ରହିଛି। ସେହିପରି କୋଲନରା ବ୍ଲକରେ ୧୯ଟି ଗୋଷ୍ଠୀ ଉଠାଜଳସେଚନର ୨,୨୦,୮୧୩ ଟଙ୍କା, କଲ୍ୟାଣସିଂହପୁର ବ୍ଲକରେ ୧୬ଟି ଗୋଷ୍ଠୀ ଉଠାଜଳସେଚନର ୨,୫୫,୭୫୦ ଟଙ୍କା, କାଶୀପୁର ବ୍ଲକର ୧୪ଟି ଗୋଷ୍ଠୀ ଉଠାଜଳସେଚନର ୨,୦୧,୬୨୭ ଟଙ୍କା, ବିଷମକଟକ ବ୍ଲକର ୧୭ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ୧,୫୦,୩୭୬ ଟଙ୍କା, ମୁନିଗୁଡା ବ୍ଲକର ୪୫ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ୯,୯୫,୭୬୬ ଟଙ୍କା, ଚନ୍ଦ୍ରପୁର ବ୍ଲକର ୩ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ୬୪,୫୩୭ ଟଙ୍କା ବକେୟା ରହିଛି। ଏହି ବ୍ଲକ ଗୁଡିକ ରାୟଗଡା ଡିଭିଜନର ଅଟେ। ସେହିପରି ଗୁଣୁପୁର ଡିଭିଜନରେ ଗୁଣୁପୁର ବ୍ଲକରେ ୨୫ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡିଥିବା ବେଳେ ଗୁଡାରୀ ବ୍ଲକରେ ୧୨ଟି, ପଦ୍ମପୁର ବ୍ଲକରେ ୯ଟି ଏବଂ ରାମନାଗୁଡା ବ୍ଲକରେ ୩୩ଟି ଗୋଷ୍ଠୀ ଉଠାଜଳସେନ ପ୍ରକଳ୍ପ ବିଦ୍ୟୁତ ବକେୟା ଲାଗି ଅଚଳ ହୋଇ ପଡି ରହିଛି। ଗତ ୨୦୨୩ ବର୍ଷ ପାଇଁ ଖରିଫ ଋତୁରେ ଚାଷ ପାଇଁ ଜିଲ୍ଲାର ଗୁଣୁପୁର ବ୍ଲକରେ ୧୪୪ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୨୧୦୦ ହେକ୍ଟର ଜମିକୁ ପାଣି ମଡାଯିବା ନେଇ ଲକ୍ଷ୍ୟ ରଖାଯାଇଥିଲା।

publive-image Sambad

ସେହିପରି ରାମନାଗୁଡା ବ୍ଲକରେ ୭୭ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୧୮୫୨ ହେକ୍ଟର ଜମିରେ ପାଣି ମାଡିବ, ପଦ୍ମପୁର ବ୍ଲକର ୩୪ଟି ପ୍ରକଳ୍ପ ଦ୍ବାରା ୭୧୯ ହେକ୍ଟର ଜମିରେ ପାଣି ମାଡିବ, ଗୁଡାରୀ ବ୍ଲକରେ ୭୮ଟି ପ୍ରକଳ୍ପ ଦ୍ବାରା ୧୫୫୪ ହେକ୍ଟର ଜମିରେ ପାଣି ମାଡିବ, ରାୟଗଡା ବ୍ଲକରେ ୧୩୬ଟି ପ୍ରକଳ୍ପ ଦ୍ବାରା ୪୦୧୨ ହେକ୍ଟର ଜମିରେ ପାଣି ମାଡିବ, କୋଲନରା ବ୍ଲକର ୫୮ଟି ପ୍ରକଳ୍ପରେ ୧୬୮୪ ହେକ୍ଟର ଜମିରେ ପାଣି ମାଡିବ, କଲ୍ୟାଣସିଂହପୁର ବ୍ଲକରେ ୫୮ଟି ପ୍ରକଳ୍ପ ଦ୍ବାରା ୧୬୩୭ ହକ୍ଟର ଜମିରେ, କାଶୀପୁରର ବ୍ଲକରେ ୯୦ ପ୍ରକଳ୍ପ ଦ୍ବାରା ୨୧୨୯ ହେକ୍ଟର ଜମିରେ, ବିଷମକଟକ ବ୍ଲକରେ ୯୧ଟି ପ୍ରକଳ୍ପ ଦ୍ବାରା ୧୯୦୯ ହେକ୍ଟର ଜମିରେ, ମୁନିଗୁଡା ବ୍ଲକରେ ୧୨୯ଟି ପ୍ରକଳ୍ପ ଦ୍ବାରା ୨୫୫୫ ହେକ୍ଟର ଜମିରେ ଏବଂ ଚନ୍ଦ୍ରପୁର ବ୍ଲକରେ ୨୫ଟି ପ୍ରକଳ୍ପ ଦ୍ବାରା ୫୨୫ ହେକ୍ଟର ଜମିରେ ପାଣି ମଡାଯିବା ନେଇ ଲକ୍ଷ୍ୟ ରଖାଯାଇଥିଲା।

ତେବେ ଦୁଇଟି ଡିଭିଜନରୁ ରାୟଗଡା ଡିଭିଜନରେ ୫୮୭ଟି ପ୍ରକଳ୍ପ ଏବଂ ଗୁଣୁପୁର ଡିଭିଜନରେ ୩୩୩ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ସେଥିରୁ ୧୪୭ଟି ଖରାପ ହୋଇ ପଡିଥିବା ବେଳେ ଏଥିରୁ ୧୧୮ଟି ସଂପୂର୍ଣ୍ଣ ରୂପେ ଖରାପ ହୋଇ ପଡି ରହିଛି। ତେବେ ୨୨୯ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଗୁଡିକ କିନ୍ତୁ କିପରି ପୁନଃ ଚାଲୁ ହେବ ସେନେଇ ଉଠାଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ସରକାରଙ୍କୁ ପତ୍ର ଲେଖି ଵାନ ଟାଇମ ସେଟେଲମେଣ୍ଟ କରିବା ପାଇଁ ଅନୁରୋଧ କରାଯାଇଛି। ସରକାର ଚାହିଁଲେ ଏହି ଅଚଳ ପ୍ରକଳ୍ପ ଗୁଡିକ ପୁନଃ ଚାଲୁ ହେବା ସହ ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି କୁହାଯାଇଛି। ଚାଷୀଙ୍କ ମଧ୍ୟରେ ସମନ୍ବୟ ଓ ତାଳମେଳ ରହୁ ନଥିବାରୁ ଏଭଳି ଅବସ୍ଥା ହୋଇଛି। ତେବେ ବିଭାଗ ପକ୍ଷରୁ କେବଳ ପ୍ରକଳ୍ପ ନିର୍ମାଣ କରି ହସ୍ତାନ୍ତର କରାଯିବାର ବ୍ୟବସ୍ଥା ରହିଛି କିନ୍ତୁ ମରାମତି କିମ୍ବା ବିଦ୍ୟୁତ ବିଲ ପୈଠ ନେଇ କୌଣସି ସହଯୋଗ ସରକାରଙ୍କ ଦ୍ବାରା ନିର୍ଦେଶନାମା ରହିନଥିବା ବିଭାଗ କହିଛି।