ଗୋପାଳପୁର: ରଜସଂକ୍ରାନ୍ତିରେ ରଘୁନାଥପୁର ବ୍ଲକ୍ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ଗୋରେଖନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାର ସୁଯୋଗ ନେଇ କିଛି ଲୁଟେରା ଲୋକଙ୍କ ସୁନାଚେନ୍, ପର୍ସ ଓ ମୋବାଇଲ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣରେ ପୁଲିସ ଫେଲ୍ ମାରିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସକାଳେ ପ୍ରଭୁଙ୍କ ଅବକାଶ ନୀତି ପରେ ଯାତ୍ରୀଙ୍କ ଆଗମନ ହୋଇଥିଲା। ଧୀରେ ଧୀରେ ଭିଡ଼ ବୃଦ୍ଧି ପାଇଥିଲା। ଏପରିକି ପୀଠ ପରିସର ଏବଂ ପ୍ରବେଶ ପଥ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା। ଏହାର ସୁଯୋଗରେ ଲୁଟେରାମାନେ ସକ୍ରିୟ ହୋଇ ଉଠିଥିଲେ। ସୁଯୋଗ ଉଣ୍ଡି ପ୍ରଭୁଙ୍କ ଦର୍ଶନ ସ୍ଥଳରୁ ଅନେକ ମହିଳାଙ୍କ ବେକରୁ ଲୁଟେରାମାନେ ସୁନାଚେନ୍, ମନିପର୍ସ ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଗଳଧାରୀ ନାଉଗାଁର ବିନତା ରାଉତ, ରଘୁନାଥପୁରର ସସ୍ମିତା ଦାସ ଓ କିଶନନଗର ଥାନା ବସ୍ତପୁରର ପ୍ରତିମା ସୁନ୍ଦରରାୟଏଙ୍କର ସୁନାଚେନ୍ ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି।
ସେହିପରି ବାଲିକୁଦା ଇଚ୍ଛାପୁର ବିରୁପାକ୍ଷ ସାହୁ, ପଥୁରିଆ ଅଗପାଳ ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ମନି ପର୍ସ ଓ ଆହୁରି ଅନେକ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ଲୁଟ ହୋଇଥିବା ଟ୍ରଷ୍ଟ୍ବୋର୍ଡ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଟ୍ରଷ୍ଟ୍ବୋର୍ଡ ପକ୍ଷରୁ ସେମାନଙ୍କୁ ଥାନାରେ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଜେ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କୋହଳକୁ ନେଇ ଶ୍ରଦ୍ଧାଳୁମାନେ ପ୍ରଶ୍ନ ଉଠାଇଥିଲେ। ପୀଠର ଚାରିପାଖ ଓ ରାସ୍ତାରେ ଟ୍ରାଫିକ ଜାମ୍ ଯୋଗୁଁ ଶତାଧିକ କାର୍ ଓ ବାଇକ୍ ପ୍ରବଳ ଖରାରେ ଫସି ରହିଥିଲେ। ଭିଡ଼କୁ ନିୟନ୍ତ୍ରଣ ପାଇଁ ମାତ୍ର ୯ ଜଣ ପୁଲିସ ନିୟୋଜିତ କରାଯାଇଥିଲା। ଅଳ୍ପ ସଂଖ୍ୟକ ପୁଲିସ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଅନେକ ଯାତ୍ରୀ ପୀଠ ନିକଟକୁ ଆସି ନପାରି ଫେରି ଯାଇଥିବା ଦେଖାଯାଇଥିଲା। ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲେ ଏପରି ସମସ୍ୟା ଉପୁଜି ନଥାନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରଥ ଯାତ୍ରା ପାଇଁ ଫୋର୍ସ ଚାଲିଯାଇଥିବାରୁ କମ ପୁଲିସ ମୁତୟନ କରାଯାଇଥିଲା ବୋଲି ଆଇଆଇସି ଯୁଗଳ କିଶୋର ଦାସ କହିଛନ୍ତି।