ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଉତ୍ତେଜନା: ବିଧାୟକ ଶଶିଭୂଷଣ ବେହେରାଙ୍କ ଉପରକୁ ପୁଣି ଥରେ ଅଣ୍ଡାମାଡ଼

କେନ୍ଦ୍ରାପଡ଼ା/ନିକିରାଇ: କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଉପରକୁ ଆଜି ପୁଣି ଥରେ ଅଣ୍ଡାମାଡ଼ ହୋଇଛି। ସୌଭାଗ୍ୟବଶତଃ ଅଣ୍ଡା ତାଙ୍କ ଦେହରେ ନ ବାଜି ମଂଚ ତଳେ ପଡ଼ିଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ବ୍ଲକ୍ ଇନ୍ଦୁପୁର ବଜାର ପଲ୍ଲୀମଂଗଳ ପଡ଼ିଆରେ ଆୟୋଜିତ ମହାତ୍ମା ଗାନ୍ଧୀ ପଦଯାତ୍ରା ସ୍ମାରକୀ ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ଦେଖିବାକୁ ମିଳିଛି। ବିଧାୟକ ଭାଷଣ ଦେଉଥିବା ବେଳେ ତାଙ୍କ ଉପରକୁ ଏ ପ୍ରକାର ଅଣ୍ଡା ମାଡ଼ ଉଦ୍ୟମ ହେବା ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ ମହାତ୍ମା ଗାନ୍ଧୀ ୧୯୩୪, ମେ’ ୩୦ତାରିଖରେ ହରିଜନ ପଦଯାତ୍ରାରେ ଇନ୍ଦୁପୁର ଆସିଥିଲେ। ଆଜି ସେହି ଐତିହାସିକ ପଦଯାତ୍ରାର ୮୯ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ପଲ୍ଲୀମଂଗଳ ପଡ଼ିଆରେ ଗାନ୍ଧୀଜୀଙ୍କର ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଇନ୍ଦପୁର ପଂଚାୟତ ଏବଂ ପୂଜ୍ୟପୂଜା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ରୂପେ ବିଧାୟକ ଶ୍ରୀ ବେହେରା, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକୀ ମୁଖ୍ୟ ଡକ୍ଟର ବିଶ୍ବଜିତ୍, ସମ୍ମାନିତ ଅତିଥି ଭାବେ ଖଦି ଗ୍ରାମଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ସକାଳେ ମେଗା ସ୍ବାସ୍ଥ୍ୟ ଶିବିର ହୋଇଥିଲା। ସଂଧ୍ୟା ୫ଟାରେ ପଦଯାତ୍ରା ହୋଇଥିଲା। ଶତାଧିକ ଲୋକଙ୍କ ଉପସ୍ଥିତିରେ ବିଧାୟକ ଓ ଅନ୍ୟ ଅତିଥିମାନେ ଧୂମାତ ଗାନ୍ଧୀପୀଠରୁ ପଲ୍ଲୀମଂଗଳ ପଡ଼ିଆଯାଏ ପଦଯାତ୍ରାରେ ଆସିଥିଲେ। ପଲ୍ଲୀମଂଗଳ ପଡ଼ିଆରେ ପହଞ୍ଚିବା ପରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। ଏହା ପରେ ଅବସରପ୍ରାପ୍ତ କଟକ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟାଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ଜଗଦେବଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଓ ସମ୍ବର୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା।

ଶତାଧିକ ଲୋକଙ୍କ ଉପସ୍ଥିତିରେ ଅତିଥିମା‌ନେ ଜଣ ଜଣ କରି ଭାଷଣ ଦେଇଥିଲେ। ଶେଷ ବକ୍ତା ଭାବେ ବିଧାୟକ ଭାଷଣ ଦେଉଥିଲେ। କିଛି ସମୟ ଭାଷଣ ଦେବା ପରେ ବିଧାୟକଙ୍କୁ ଲକ୍ଷ୍ୟ କରି ମଂଚର ଡାହାଣ ପାର୍ଶ୍ବରୁ ତିନିଟି ଅଣ୍ଡା ମାଡ଼ ହେଇଥିଲା। ମାତ୍ର ଅଣ୍ଡା ତାଙ୍କ ଦେହରେ ନ ବାଜି ମଂଚ ତଳେ ପଡ଼ିଯାଇଥିଲା। ଲୋକ ମାନେ ଏହା ଦେଖି ପାଟିତୁଣ୍ଡ କରୁଥିବା ବେଳେ ଅଚାନକ ଲାଇନ୍ କଟିଯାଇଥିଲା। ତେବେ ସଭା ସାରି ବିଧାୟକ ଗାଡ଼ିରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ନିକିରାଇରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଉଦ୍ୟମ ହେଇଥିବା ସୂଚନା ମିଳିଛି। ବ୍ୟାପକ ପୁଲିସ ସୁରକ୍ଷା ସତ୍ତ୍ବେ ଏଭଳି ଅଣ୍ଡାମାଡ଼ ହେଇଥିଲା। ସବୁଠୁ ରୋଚକ କଥା ହେଉଛି, ଏହି ଉତ୍ସବରେ ପୁଲିସ ବାବୁମାନେ ମଧ୍ୟ ସମ୍ବର୍ଧିତ ହେଇଛନ୍ତି। ଅନ୍ୟପକ୍ଷରେ ନିଜ ଅଂଚଳରେ କାର୍ଯ୍ୟକ୍ରମ ହେଇ ସୁଦ୍ଧା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମୁଖ୍ୟ ଅତିଥି ଥିବା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ସମ୍ମାନିତ ଅତିଥି କେନ୍ଦ୍ରାପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ବିଡିଓ ବନ୍ଦନା ଖଟୁଆ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟତମ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ଶିକ୍ଷାବିତ୍ ଅଜୟ ସାମଲ ପ୍ରମୁଖ ମଂଚାସୀନ ଥିଲେ। ଶିକ୍ଷାବିତ୍ ପ୍ରଣବ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇନ୍ଦୁପୁର ସରପଂଚ ପ୍ରଦୀପ ରଂଜନ ସୂତାର, ପୂଜ୍ୟପୂଜା ସଂସଦ ସଂପାଦକ ପ୍ରଦୀପ ଦାସ, ସମିତି ସଭ୍ୟା ସନନ୍ଦା ମଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଠାରେ ଉଲ୍ଳେଖଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ୨୯ତାରିଖରେ ବଗଡ଼ା, ଇନ୍ଦୁପୁର, ନିକିରାଇ ଆଦି ଅଂଚଳରେ ପ୍ରକଳ୍ପ ଉନ୍ମୋଚନ/ ଶିଳାନ୍ୟାସ ଓ କଲେଜ ଉତ୍ସବକୁ ବିଧାୟକ ଯାଇଥିବା ବେଳେ ଅନରୂପ ଭାବେ ତାଙ୍କ ଉପରକୁ ଅଣ୍ଡାମାଡ଼ ଉଦ୍ୟମ ହେଇଥିଲା।

ସମ୍ବନ୍ଧିତ ଖବର