ଖୋର୍ଦ୍ଧା: ୪ ମାସର ବ୍ୟବଧାନ ପରେ ଗୁରୁବାର ମଲ୍ଲିପୁର ପଞ୍ଚାୟତରେ ଜାତୀୟ ଓ ରାଜ୍ୟ ସୁରକ୍ଷା ଯୋଜନାରେ ପିଡିଏସ୍ ଚାଉଳ ବଣ୍ଟ‌ାଯାଇଥିଲା। କିନ୍ତୁ ହିତାଧିକାରୀଙ୍କୁ ଦିଆଯାଉଥିବା ନିର୍ଦ୍ଧାରିତ ପରିମାଣର ଚାଉଳରୁ ଦେଢ଼ କିଲୋଗ୍ରାମ କମାଇ ଦିଆଗଲା। ଏହାର ପ୍ରତିବାଦରେ ଗୁରୁବାର ଚମ୍ପାପୁର ଗ୍ରାମବାସୀ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଥିଲେ। ଆଜି ଉକ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆନଯିବା ପ୍ରତିବାଦରେ ଗୁରୁଜଙ୍ଗ-ହଳଦିଆ ରାସ୍ତା ଅବରୋଧ କରିଥିଲେ। ଏହାପରେ ଖୋର୍ଦ୍ଧା ବ୍ଲକ କର୍ତ୍ତୃପକ୍ଷ ଉକ୍ତ ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସୂଚନାନୁସାରେ, ଗୁରୁବାର ହିତାଧିକାରୀମାନେ ପଞ୍ଚାୟତ ଅଧିକାରୀ ଗୋଲକ ବିହାରୀ ଶୁକ୍ଲଙ୍କୁ ଅଟକ ରଖିଥିଲେ। ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ଦୀର୍ଘ ସମୟ ବୁଝାଶୁଝା କରିବା ପରେ ଉତ୍ତ୍ୟକ୍ତ ଲୋକ ପଞ୍ଚାୟତ ଅଧିକାରୀଙ୍କୁ ସର୍ତମୂଳକ ଭାବେ ଛାଡ଼ିଥିଲେ।

Advertisment

ସର୍ତ ଅନୁସାରେ, ବିଡିଓ କିମ୍ବା ଅନ୍ୟ ସରକାରୀ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ଚାଉଳ କାହିଁକି କମାଗଲା ସେନେଇ ସ୍ପଷ୍ଟୀକରଣ ରଖିବେ। କିନ୍ତୁ ସକାଳେ କୌଣସି ଅଧିକାରୀ ନ ପହଞ୍ଚିବାରୁ କ୍ଷତିଗ୍ରସ୍ତ ହିତାଧିକାରୀମାନେ ଗୁରୁଜଙ୍ଗ-ହଳଦିଆ ରାସ୍ତା ଅବରୋଧ କରିଥିଲେ। ବିଡିଓ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହିତାଧିକାରୀଙ୍କୁ ସାକ୍ଷାତ ନକରି ଚାଲି ଆସିଥିଲେ ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ପ୍ରାୟ ୧ ଘଣ୍ଟା ରାସ୍ତା ଅବରୋଧ କରି ରଖିବା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଯାଇ ବୁଝାଶୁଝା କରି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।

ଅପରପକ୍ଷରେ, ଖୋର୍ଦ୍ଧା ବ୍ଲକ କର୍ତୃପକ୍ଷ ଆଜି ଚିଠି ନଂ ୧୫୧୯ ଓ ୧୫୧୬ରେ ପଂଚାୟତ ଅଧିକାରୀ ଗୋଲକ ବିହାରୀ ଶୁକ୍ଲଙ୍କୁ ଦାୟିତ୍ୱରୁ ହଟାଇବା ସହ ତାଙ୍କୁ ୩ ଦିନ ମଧ୍ୟରେ ଚାଉଳ କମାଇ ବାଣ୍ଟିବାର କାରଣର ସ୍ପଷ୍ଟୀକରଣ ଦେବାକୁ ନିର୍ଦେଶ ଦିଆଯାଇଛି। ପରବର୍ତୀ ନିର୍ଦେଶ ଯାଏଁ ମଲ୍ଲିପୁର ପଞ୍ଚାୟତର ଅଧିକାରୀ ଭାବେ ଗଡ଼ହଳଦିଆର ଜେଏସ୍ ପ୍ରସନ୍ନ ଓଝାଙ୍କୁ ଚାଉଳ ଆବଣ୍ଟନ ଦାୟିତ୍ୱ ଦିଆଯାଇଛି।