ଖୋର୍ଦ୍ଧା: ଅନ୍ୟ ସ୍ୱାସ୍ଥ୍ୟାଧିକାରୀଙ୍କ ଭଳି ଚାକିରିରେ ସୁବିଧା, ଦିବସ କାର୍ଯ୍ୟ ସମୟ ନିର୍ଦ୍ଧାରଣ ଆଦି ୬ ଦଫା ଦାବିରେ ଖୋର୍ଦ୍ଧା ଜିଲ୍ଲାର ୩୨ଜଣ ପ୍ରାଣୀ ଚିକିତ୍ସକ ସନିୟମ (କଂଡିସନାଲ୍) ସମୂହ ଇସ୍ତଫା ଦେବା ଜିଦ୍ରେ ଅଡ଼ି ବସିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲାର ଲକ୍ଷାଧିକ ପଶୁଧନ ବିପଦଗ୍ରସ୍ତ ହେବା ସହ ସମ୍ଭବ୍ୟ ବାତ୍ୟାରେ ଏହି ସମସ୍ୟା ଅନେକ ଗୁଣରେ ବଢ଼ିବା ସମ୍ଭାବନା ରହିଛି। ସୂଚନାନୁସାରେ, ଜିଲ୍ଲାରେ ୨୦ଟି ପଶୁ ଚିକିତ୍ସାଳୟ ଥିବା ବେଳେ ଏହି ବର୍ଷକ ମଧ୍ୟରେ ଏହା ୨୧କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଭୁବନେଶ୍ୱର ସହିଦନଗରରେ ଏକ ପଲିକ୍ଲିନିକ୍ ଓ ପ୍ରାଣୀଚିକିତ୍ସା ମହାବିଦ୍ୟାଳୟରେ କ୍ଲିନିକ ରହିଛି। ୨୨ଟି ପଶୁ ଚିକିତ୍ସାଳୟ ଓ କ୍ଲିନିକ ବ୍ୟତୀତ ଜିଲ୍ଲାରେ ୧୨୬ଟି ଗୃହପାଳିତ ପଶୁ ସହାୟତା କେନ୍ଦ୍ର ରହିଛି। ୨୦୨୨ ଏପ୍ରିଲ ଶେଷ ସୁଦ୍ଧା ଏହି ସମସ୍ତ ନିମନ୍ତେ ୨୧ଜଣ ପ୍ରାଣୀ ଚିକିତ୍ସକ ଓ ୫୮ଜଣ ଲାଇଭଷ୍ଟକ୍ ନିରୀକ୍ଷକ ନିୟୋଜିତ ହୋଇଥିଲେ। ସେହିବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜିଲ୍ଲାର ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସକ ପଦବୀ ମଧ୍ୟରୁ ୪ଟି ପୂରଣ କରାଯାଇଥିବା ବେଳେ ବର୍ତମାନ ନୂତନ ଭାବେ ୭ଜଣ ନିଯୁକ୍ତି ପାଇଛନ୍ତି। ଏହାପରେ ଜିଲ୍ଲାର ପ୍ରାଣୀ ଚିକିତ୍ସକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଅପରପକ୍ଷରେ ପ୍ରାାଣୀ ଚିକିତ୍ସକଙ୍କ ଅଭିଯୋଗ ହେଲା, ଜିଲ୍ଲାରେ ପ୍ରତି ବ୍ଲକରେ ୫ଜଣ ବ୍ଲକ ପ୍ରାଣୀ ଚିକିତ୍ସକ ରହିବା କଥା ଏହି ଦୃଷ୍ଟିରୁ ୧୦ଟି ବ୍ଲକ ଓ ନୟାପଲ୍ଲୀ, ବିଜେବି ନଗର କ୍ଲିନିକ ପାଇଁ ୫୪ଜଣ ପ୍ରାଣୀ ଚିକିତ୍ସକ ରହିବା କଥା କିନ୍ତୁ ୩୨ଜଣ କାମ କରୁଛନ୍ତି। ବୋଲଗଡ଼ ବ୍ଲକରେ ଜଣେ ପ୍ରାଣୀ ଚିକିତ୍ସକ ୫ଟି ଦାୟିତ୍ୱରେ ଅଛନ୍ତି।
ବେଗୁନିଆରେ ଜଣେ ପ୍ରାଣୀ ଚିକିତ୍ସକ ଥିବା ବେଳେ ଜଟଣୀରେ ୨ଜଣ, ଚିଲିକାରେ ୨, ବାଣପୁରରେ ୩, ଖୋର୍ଦ୍ଧାରେ ୪, ବାଲିଅନ୍ତାରେ ୩, ବାଲିପାଟଣା ୩ ଓ ଟାଙ୍ଗୀରେ ୩ଜଣ ପ୍ରାଣୀ ଚିକିତ୍ସକ ଅଛନ୍ତି। ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଗଣନାନୁସାରେ ଜିଲ୍ଳାରେ ୨ଲକ୍ଷ ୮୦ ହଜାର ଗାଈ ସହ ୫ଲକ୍ଷ ଗୃହପାଳିତ ପଶୁପକ୍ଷୀ ଅଛନ୍ତି। ଏହି ଦୃଷ୍ଟିରେ ଜିଲ୍ଲାରେ ପ୍ରତି ୧୫, ୬୨୫ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଜଣେ ପ୍ରାଣୀ ଚିକିତ୍ସକ କାମ କରୁଛନ୍ତି। ପ୍ରାଣୀ ଚିକିତ୍ସକ ସଂଘର ଅଭିଯୋଗ ହେଲା, ଜିଲ୍ଲାରେ ଆବଶ୍ୟକ ପଦବୀ ପୂରଣ କରାଯାଉନାହିଁ କି ସେମାନଙ୍କ ଯିବା ଆସିବା ପାଇଁ କୌଣସି ଗାଡ଼ିମୋଟରର ବ୍ୟବସ୍ଥା କରାଯାଉନାହିଁ। ଏପରିକି କର୍ମକ୍ଷେତ୍ରରେ ଅନ୍ୟ ସରକାରୀ କର୍ମଚାରୀ ଓ ଡାକ୍ତରଙ୍କ ଭଳି ସେମାନଙ୍କ ସୁରକ୍ଷାର କୌଣସି ଆଇନଗତ ପ୍ରବନ୍ଧନ ନାହିଁ। ଅପରପକ୍ଷରେ, ୯ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳରେ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକଟ କରାଯାଇଛି। ଏପରିସ୍ଥଳେ, ପଶୁ ଚିକିତ୍ସକଙ୍କ କାର୍ଯ୍ୟରୁ ସମୂହ ଇସ୍ତଫା ଏକ ବଡ଼ ସମସ୍ୟା ସୃଷ୍ଟି କରିବ। ୨୦୧୩ ଠାରୁ ୨୦୨୦ ମଧ୍ୟରେ ପଶୁଚିକିତ୍ସକ ଆଦି ନିୟୋଜିତ ଥାଇ ମଧ୍ୟ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଜିଲ୍ଲାର ୨ଲକ୍ଷ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ଯଦି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁଲା ତେବେ ଚଳିତ ବାତ୍ୟାରେ ଗୃହପାଳିତ ପଶୁପକ୍ଷୀଙ୍କ ମୃତାହତଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇବା ସମ୍ଭବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/khordha-veterinary-doctors-strike.jpg)