ତହସିଲଦାରଙ୍କୁ ଅଭିଯୋଗ: ୧୫ ପରିବାରକୁ ନିଆଁପାଣି ବାସନ୍ଦ କଲା କଙ୍ଗାରୁ କୋର୍ଟ!

ଗ୍ରାମବାସୀଙ୍କ ଅଭିଯୋଗ: କୋଠଘର ଟଙ୍କା ଉଦ୍ଧାର ନେଇ ଫେରାଉନାହାନ୍ତି

ନରସିଂହପୁର: ନରସିଂହପୁର ତହସିଲ ଅନ୍ତର୍ଗତ କଇଁତରା ନୂଆଗାଁରେ କଙ୍ଗାରୁ କୋର୍ଟରେ ବିଚାର କରାଯାଇ ଗାଁର ୧୫ଟି ପରିବାରକୁ ଗ୍ରାମବାସୀ ନିଆଁ ପାଣି ବାସନ୍ଦ କରିଛନ୍ତି। ପୂର୍ବରୁ ବାସନ୍ଦ କରାଯିବା ସତ୍ତ୍ବେ ଜଣେ ଯୁବକ ଗାଁର ଅନ୍ୟ ପିଲାମାନଙ୍କ ସହ କ୍ରିକେଟ୍‌ ଖେଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ବାସନ୍ଦ ଥିବା ପରିବାରଗୁଡ଼ିକ ପକ୍ଷରୁ ସ୍ଥାନୀୟ ତହସିଲଦାର ଅଲୋକ କୁମାର ଦେହୁରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା ଦିନେ/ଦୁଇଦିନ ଭିତରେ ମାମଲାର ସମାଧାନ କରିଦିଆଯିବ ବୋଲି ତହସିଲଦାର ଶ୍ରୀ ଦେହୁରୀ କହିଛନ୍ତି। ଅଭିଯୋଗ ମୁତାବକ, ଗ୍ରାମର ସଭାପତି ବୃନ୍ଦାବନ ବେହେରା, ସମ୍ପାଦକ ସୁଧୀର କୁମାର ପ୍ରଧାନଙ୍କ ସମେତ କଇଁତରା ନୂଆଗାଁର ଗ୍ରାମବାସୀମାନେ ପ୍ରାୟ ୮ବର୍ଷ ତଳେ ଲକ୍ଷ୍ମୀଧର ପ୍ରଧାନଙ୍କ ପରିବାରକୁ ଅଟକ ରଖିଥିଲେ। ୬ମାସ ତଳେ ଲକ୍ଷ୍ମୀଧରଙ୍କ ପୁଅ ଗ୍ରାମ ନିକଟ କମଳାଡ଼ିହରେ କ୍ରିକେଟ୍‌ ଖେଳିବାକୁ ଯାଇଥିଲେ।

ଏହି ସମୟରେ ଗ୍ରାମର ଅନ୍ୟ ପିଲାମାନେ ମଧ୍ୟ କ୍ରିକେଟ୍‌ ଖେଳୁଥିଲେ। ଲକ୍ଷ୍ମୀଧରଙ୍କ ପୁଅ ଅନ୍ୟ ପିଲାମାନଙ୍କ ସହିତ ଏକାଠି ଖେଳୁଥିବା ସୂଚନା ପାଇ ଗ୍ରାମ ସଭାପତି ଶ୍ରୀ ବେହେରା ଓ ସମ୍ପାଦକ ଶ୍ରୀ ପ୍ରଧାନ ଗ୍ରାମର ବୈଠକ ଡକାଇ ମୋହିନୀ ବେହେରା, ଘନଶ୍ୟାମ ପ୍ରଧାନ, ସୌଭାଗିନୀ ଭୋଇ, ନଳିନୀ ବେହେରା, ଯାମିନୀ ଭୋଇ, କୁନି ପ୍ରଧାନ, ଅରୁଣ ଭୋଇ, ତିଲି ବେହେରା, ଯଶୋଦା ଯାନୀ, ମଧୁସୂଦନ ଭୋଇ, ଲତା ଭୋଇ, ନୟନା ବେହେରା, କୃଷ୍ଣ ବେହେରା, ଗୌରୀ ପ୍ରଧାନ, ନଳିନୀ ବେହେରାଙ୍କ ସମେତ ୧୫ଟି ପରିବାରକୁ ଅଟକ ରଖିଥିଲେ। ବା‌ସନ୍ଦ କରାଯାଇଥିବା ପରିବାରଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଏହାଦ୍ୱାରା ଆମ ପରିବାରକୁ ଗ୍ରାମର ମନ୍ଦିର, ପୋଖରୀ, ବିଦ୍ୟାଳୟକୁ ବାରଣ କରାଯିବା ସହ ବିବାହ, ବ୍ରତ ଆଦିରେ ଭୋଜି ଖାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଗ୍ରାମର ଯେ କୌଣସି ବ୍ୟକ୍ତି ଆମ ପରିବାର ସହିତ କଥା ହେଲେ ୫ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଆମ୍ଭେମାନେ ଗରିବ କନ୍ଧ ସମ୍ପ୍ରଦାୟର ହୋଇଥିବାରୁ ଗ୍ରାମରେ ଚଳିବା, ମୂଲ ମଜୁରି ଲାଗିବା, ପିଲାମାନେ ବିଦ୍ୟାଳୟରେ ପାଠ ପଢିବା, ସହିତ ଅଙ୍ଗନବାଡି ଖାଦ୍ୟ ଆଦିରୁ ବଞ୍ଚିତ ହେଉଛୁ।

ଆମ୍ଭମାନଙ୍କୁ ଜାତିଗତ ଆକ୍ଷେପ କରାଯାଇ ହଇରାଣ ପକାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗର ବିଚାର କରି ସେମାନଙ୍କ ଅଧିକାର ଫେରାଇ ଦେବାକୁ ତହସିଲଦାରଙ୍କୁ ବାସନ୍ଦ ଥିବା ଗ୍ରାମବାସୀମାନେ ଆବେଦନ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଶ୍ରୀ ଦେହୁରୀ କହିଛନ୍ତି ଯେ, ଗାଁରେ ବାସନ୍ଦ ଥିବା ନେଇ ସେମାନେ ଆଜି ଏକ ଅଭିଯୋଗ କରିଛନ୍ତି। ଆସନ୍ତା ଦିନେ/ଦୁଇଦିନ ମଧ୍ୟରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗ୍ରାମ କୋଠଘରୁ ଏହି ପରିବାରଗୁଡ଼ିକ ୫ହଜାର ଟଙ୍କା ଉଦ୍ଧାର ସୂତ୍ରରେ ନେଇ ଫେରାଉ ନାହାନ୍ତି ବୋଲି ଆଜି ଗ୍ରାମବାସୀମାନେ ଯୋଡ଼ୁମ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଡାକିବା ପରେ ଉକ୍ତ ପରିବାରଗୁଡ଼ିକ ଯୋଡ଼ୁମ ଫାଣ୍ଡିରେ ପହଞ୍ଚି ୫ହଜାର ଟଙ୍କା ଫେରାଇଥିବା ଜଣାପଡ଼ିଛି। ତହସିଲଦାରଙ୍କ ହସ୍ତକ୍ଷେପ ପରେ ଅଭିଯୋଗର କ’ଣ ସମାଧାନ ବାହାରୁଛି ତାହା ଉପରେ ଉଭୟ ପକ୍ଷର ନଜର ରହିଛି।

ସମ୍ବନ୍ଧିତ ଖବର