ରାୟଗଡା: ୨ ବର୍ଷର ଶିଶୁପୁତ୍ରର ଶରୀରରେ ନାହିଁ ମଳଦ୍ୱାର। ଆଉ ଏହାର ଚିକିତ୍ସା କରାଇବା ପାଇଁ ଅର୍ଥ ସାଜିଛି ବାଧକ। ଅସ୍ତ୍ରୋପଚାର କରାଇବା ପାଇଁ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା’ମା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦଶ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଳାପାଳ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ଡୁକୁମ ଗ୍ରାମରେ। ଏହି ଗ୍ରାମର ଦିବ୍ୟାଙ୍ଗ ଲୁଲିଆ ବିଲାରଙ୍କ ୨ବର୍ଷର ଶିଶୁପୁତ୍ର ଲୁଲିନଙ୍କ ଜନ୍ମରୁ ଶରୀରରେ ମଳଦ୍ୱାର ନଥିବାରୁ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୁଲିନ ମଧ୍ୟ ପେଟବ୍ୟଥାକୁ ନେଇ ସବୁ ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ମା ପ୍ରକାଶ କରିଛନ୍ତି। ଗତ ୨ବର୍ଷ ତଳେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷ୍ଠାନିକ ପ୍ରସବ ଦ୍ୱାରା ଲୁଲିନ ଜନ୍ମଗ୍ରହଣ କରିଥିଲେ। ତେବେ ଲୁଲିନର ଶରୀରରେ ମଳଦ୍ୱାର ନ ଥିବା ଡାକ୍ତର ଦେଖିବାକୁ ପାଇଥିଲେ ଏବଂ ତା’ ପେଟର ବାମ କଡରେ ମଳ ଯିବା ପାଇଁ ବାଟ ବାହାର କରିଥିଲେ।

Advertisment

ତେବେ ବୟସ ବଢୁଥିବାରୁ ଉକ୍ତ ସ୍ଥାନଟି ଧୀରେ ଧୀରେ ବହୁତ ବନ୍ଦ ଭଳି ପରିଣତ ହେବାକୁ ଲାଗିଛି। ଯାହାଦ୍ୱାରା ଯନ୍ତ୍ରଣାରେ ଛଟପଟ ହେଉଛି ୨ବର୍ଷର ଶିଶୁପୁତ୍ର ଲୁଲିନ। ଗରିବ ଦିବ୍ୟାଙ୍ଗ ବାପା ଲୁଲିଆ ବିଲାର ନିଜ ପୁଅ ଲୁଲିନର ଉଚ୍ଚ ଚିକିତ୍ସା କରାଇବା ପାଇଁ ସକ୍ଷମ ନଥିବା ବେଳେ ପ୍ରଥମେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଶିଶୁଭବନ ପର୍ଯ୍ୟନ୍ତ ଯାଏଁ ଚିକିତ୍ସା ପାଇଁ ନେଇଥିଲେ। ତେବେ କୌଣସି ପ୍ରକାର ସୁଫଳ ମିଳି ନ ଥିବା ବେଳେ ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସମ୍ପାଦକ ଅମରେନ୍ଦ୍ର ନାଥ ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ଦିବ୍ୟାଙ୍ଗ ପରିବାକୁ ପ୍ରଶାସନର ସହାୟତା ଯୋଗାଇବା ପାଇଁ ଉଦ୍ୟମ କରି ଆଜି ସୋମବାର ଆର୍ଥିକ ସାହାଯ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଇ ଦେବାକୁ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀରେ ଶିଶୁପୁତ୍ର ସହ ବାପା ଓ ମା’ଙ୍କୁ ଜିଲ୍ଳାପାଳଙ୍କ ନିକଟରେ ହାଜର କରାଇଥିଲେ। ଜିଲ୍ଳା ପ୍ରଶାସନ  ଠାରୁ ଆର୍ଥିକ ସହାୟତା ପାଇଥିଲେ ମଧ୍ୟ ପିଲାଟିର ଅସ୍ତ୍ରୋପଚାର ପାଇଁ ଦିବ୍ୟାଙ୍ଗ ବାପା ଓ ମା’ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ହୁଏତ ପିଲାଟି ଯନ୍ତ୍ରଣାରୁ ମୁକୁଳି ପାରିଥାନ୍ତା ବୋଲି କୁହାଯାଇଛି।