ରାୟଗଡା: ରାୟଗଡା ସଦର ମହକୁମାସ୍ଥିତ ଅନ୍ବେଷା ହଷ୍ଟେଲରେ ପିଲାଙ୍କୁ ଖାଦ୍ୟ ଯୋଗାଣରେ ଅନିୟମିତତା ଓ ବିଭିନ୍ନ ସମସ୍ୟା ନେଇ ଆଜି ଗୁରୁବାର ବିଜେପିର ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝିଙ୍କ ନେତୃତ୍ବରେ ଏକ ଟିମ ଆଜି ଗୁରୁବାର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ୨୪ ତାରିଖରେ ବିଜେପିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ଅନ୍ବେଷା ହଷ୍ଟେଲ ପରିଦର୍ଶନ କରି ସେଠାରେ ରହୁଥିବା ପିଲାଙ୍କ ସମସ୍ୟା ବୁଝିଥିଲେ। ଛାତ୍ରମାନେ ଏହି ବିଜେପିର ଟିମକୁ ହଷ୍ଟେଲର ବିଭିନ୍ନ ସମସ୍ୟା ସହ ଖାଦ୍ୟ ଠିକ ଭାବେ ଦିଆଯାଉ ନାହିଁ, ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ପରେ ହଷ୍ଟେଲର ଅଧିକ୍ଷକ ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତୁମର ବାପା ଖାଇବାକୁ ଦେଉଛି କି ବୋଲି ପ୍ରଶ୍ନ କରିଥିଲେ। ସରକାର ଦେଲେ ଖାଉଛ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ମଧ୍ୟ ମୋର କିଛି ହେବ ନାହିଁ କହି ଛାତ୍ରମାନଙ୍କୁ ମାଡ ମାରିନ୍ତି ବୋଲି ଛାତ୍ରମାନେ ସେତେବେଳେ ଅଭିଯୋଗ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିବା ପରେ ସେ ୧୦ ଦିନ ମଧ୍ୟରେ ସେ ସବୁ ଠିକ କରିଦେବେ ବୋଲି କହିଥିଲେ। କିନ୍ତୁ କୌଣସି ପଦକ୍ଷେପ ନେଲେ ନାହିଁ। ପୁଣି ଗତ ୩ ତାରିଖରେ ହଷ୍ଟେଲରେ ପିଲାଙ୍କୁ ଖାଦ୍ୟ ଦିଆଯାଉନଥିବା କଥା କହିବାରୁ ସେ ରାଗିଯାଇ ସବୁ ଠିକ ଚାଲିଥିବା କହିଥିଲେ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ଏଭଳି ବ୍ୟବହାର କରିବାକୁ ନେଇ ବିଜେପିର ଆଦିବାସୀ ମୋର୍ଚ୍ଚା ସବୁବେଳେ ବିରୋଧ କରିଆସୁଛି।
ତେବେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଏଭଳି ବ୍ୟବହାର ଆଣକୁ ଚକିତ କରିଥିବା ସେ ଜିଲ୍ଲାପାଳଙ୍କୁ କହିଥିଲେ। ଏଭଳି ବ୍ୟବହାର ପୂର୍ବରୁ କେବେ ମଧ୍ୟ କୌଣସି ଜିଲ୍ଲା ଅଧିକାରୀ କରିନାହାନ୍ତି। ତେବେ ବିଜେପି ତରଫରୁ ଦିଆଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜିଲ୍ଲାରେ ରହିଥିବା ଅନ୍ବେଷା ହଷ୍ଟେଲରେ ସ୍ବତନ୍ତ୍ର ସହ ଅଧିକ୍ଷକ ନିଯୁକ୍ତି କରାଯାଉ। ସମୟ ଅନୁସାରେ ଖାଦ୍ୟ ସହ ଅନ୍ୟାନ୍ୟ ଆନୁସାଙ୍ଗିକ ଛାତ୍ର ଓ ଛାତ୍ରୀଙ୍କୁ ପ୍ରଦାନ କରାଯାଉ। ଛାତ୍ରଙ୍କୁ ଗାଳିଗୁଲଜ କରୁଥିବା ଅଧିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୫ କିଲୋମିଟର ଚାଲି ଚାଲି ପିଲା ଆସି ଅଭିଯୋଗ କରିବା ପରେ ମଧ୍ୟ ଅଧିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ। ଆଜି ଗୁରୁବାର ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରଜତ ମାଦଳା, ଅଶ୍ବନୀ କଞ୍ଚଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ବୁରୁଡି ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ।