ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ସାଙ୍ଗକୁ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ଅଭିଯୋଗ ଲୋକଲୋଚନକୁ ଆସିବା ମାତ୍ରକେ ଏହାକୁ ଘୋଡାଇ ଦେବାକୁ ଉଦ୍ୟମ କରାଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ କାମ୍ପ ସାହିରେ ହେଉଥିବା ରାସ୍ତା ନିର୍ମାଣ ବେଳେ କିଛି ଅଭିଯୋଗ ସାମ୍ନାକୁ ଆସିଛି। ବିପର୍ଯ୍ୟସ୍ତ ରାସ୍ତାଘାଟର ସୁଧାର ଆଣିବା ନେଇ ନିଗମ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଥିବା ବେଳେ ଏହାର ଫାଇଦା ଠିକାଦାର ଉଠାଉଛନ୍ତି। ନିର୍ମାଣର ମାତ୍ର କିଛି ଦିନ ମଧ୍ୟରେ ପରିସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରିଆସୁଛି। ମହାନଗର ନିଗମ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ କିଛି ମିଟର ଦୂରରେ ରହିଛି ୱାର୍ଡ ନମ୍ବର ୧୯ର କାମ୍ପ ସାହି।

Advertisment

ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରୁହେ। ରାସ୍ତା କଡ଼ରେ ଥିବା କେ.ସି ଟାଉନ୍‌ ହାଇସ୍କୁଲ ଜଳବନ୍ଦୀ ହୋଇ ରହିଥାଏ। ନର୍ଦ୍ଦମା ପାଇଣ ଲୋକଙ୍କ ଘରେ ପଶୁଥିବା ଯୋଗୁଁ ଅଞ୍ଚଳବାସୀ ବହୁଥର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନେଇ ନିଗମ ତତ୍ପରତା ପ୍ରକାଶ କରିବା ସହ ନାଳନର୍ଦ୍ଦମାକୁ ପୁନରୁଦ୍ଧାର କରି ପାଣି ଜମି ରହୁଥିବା ରାସ୍ତା ଉପରେ କଂକ୍ରିଟ୍‌ ପକାଇବାକୁ ପଦକ୍ଷେପ ନେଇଥିଲା। ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରାୟ ୧୭ଲକ୍ଷ ଟଙ୍କା ବ୍ୟୟରେ ଅଧା କିଲୋମିଟର କଂକ୍ରିଟ୍‌ ରୋଡ୍‌ ନିର୍ମାଣ କରାଯାଇଥିଲା। ତେବେ କଂକ୍ରିଟ୍‌ ରାସ୍ତା ନିର୍ମାଣ ଏତେ ନିମ୍ନମାନର ହୋଇଥିଲା ଯେ, ନିର୍ମାଣର ଅଳ୍ପ କିଛି ଦିନ ପରେ ରାସ୍ତା ସବୁ ଫାଟି ଯିବା ସହ ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହେଲା।

ଏଥିନେଇ ଅଞ୍ଚଳବାସୀ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଦ୍ବାରା ନିଗମ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟର ବିଲ୍‌କୁ ଅଟକାଇ ଦେଇଥିଲେ। କିଛି ଦିନ ପରେ ଆଶ୍ଚର୍ଯ୍ୟ ଜନକ ଭାବେ ରାସ୍ତା କାମର ବିଲ୍‌କୁ ମଞ୍ଜୁର କରିଦେଇଥିଲେ। ତେବେ ଅଟକା ଯାଇଥିବା ବିଲ୍‌କୁ କେଉଁ ପରିସ୍ଥିତିରେ ପୁଣି ପାସ୍ କରିଦିଆଗଲା ତାହା କେହି ବି ଟେର୍ ପାଇପାରିଲେ ନାହିଁ। ଇତିମଧ୍ୟରେ ଉକ୍ତ ଅଞ୍ଚଳକୁ ଆଜି ମେୟର ଏବଂ କମିସନର ପରିଦର୍ଶନରେ ଯାଉଥିବା ଖବର ପାଇ ସମ୍ପୃକ୍ତ ଯନ୍ତ୍ରୀ ନିମ୍ନମାନର କାମକୁ ନଜର ହଟାଇବା ପାଇଁ ପୂର୍ବରୁ କାମ ହାତେଇଥିବା ଠିକାଦାରଙ୍କୁ ବଦାଳାଇ ଅନ୍ୟ ଏକ ଠିକାଦାର ଜରିଆରେ ଗତକାଲି ରାତିରେ ରାସ୍ତା ଉପରେ ପିଚୁ ପକାଇ ଦେଇଥିବା ଦେଖିବାକୁ ମିଳିଛି। ରାତିଅଧିଆ ପିଚୁ ପକାଇବା ସହ ନିର୍ମାଣ କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇବା ପରେ ବିଏମ୍‌ସିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ବଚ୍ଛତା ଏବେ ସନ୍ଦେହ ଘେରକୁ ଚାଲିଆସିଛି। ନିଗମର ସମ୍ପୃକ୍ତ ଯନ୍ତ୍ରୀ ଏଭଳି ସମସ୍ୟା ନେଇ ମୁହଁ ଖୋଲୁନଥିବା ବେଳେ କମିସନର ସିଦ୍ଧେଶ୍ବର ବୋନ୍ଦାରଙ୍କ ସହ ଯୋଗାଯୋଗ କରିବାରେ ସିସି ରୋଡ୍‌ ଉପରେ ପିଚୁ ପକାଇବା ନେଇ ପୂର୍ବରୁ ନିୟମ ରହିଥିବା ଯୋଗୁଁ ପ୍ରଥମେ କଂକ୍ରିଟ୍‌ ରୋଡ୍‌ କରି ତା’ ଉପରେ ପିଚୁ ପକାଯାଇଛି ବୋଲି କହିଛନ୍ତି। ଠିକାଦାର ବଦାଳିବା ନେଇ ଅନୁସଂଧାନ କରାଯିବ ବୋଲି ସୂଚନା ଦେଇଛନ୍ତି।