ସିକୋ: ବେଗୁନିଆ ବ୍ଲକ ସିକୋଠାରେ ଅନେକ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରାଣୀ ଚିକିତ୍ସାଳୟ ଡାକ୍ତର ଓ କର୍ମଚାରୀଙ୍କ ଅଭାବ, ନିମ୍ନମାନର ନିର୍ମାଣ ଯୋଗୁଁ ବର୍ତ୍ତମାନ ଅଲୋଡ଼ା ହୋଇପଡ଼ିଛି। ପ୍ରାଣୀ ଚିକିତ୍ସାଳୟ ମଧ୍ୟକୁ ଅସାମାଜିକ ବ୍ୟକ୍ତି, ନିଶାଡ଼ି, ଗାଈଗୋର, କୁକୁର ଆଦିଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ୨୦୨୧-୨୨ରେ ୫ମ ରାଜ୍ୟ ଅର୍ଥ କମିଶନରୁ ୨ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏହାପରେ କାର୍ଯ୍ୟ ଆରମ୍ଭ ହୋଇ ଏକ ଲୁହା ଫାଟକ ଲଗାଯାଇଥିଲା। ତେବେ ନିର୍ମାଣରେ ତ୍ରୁଟି ଯୋଗୁଁ ଲୁହାଫାଟକଟି ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ୧ ମାସ ପୂର୍ବେ ଆସି ଏହାର ନିରୀକ୍ଷଣ କରିଯାଇଥିଲେ।

Advertisment

ତ୍ରୁଟି ସୁଧାର କରାଯାଇ କାମ ଖୁବ୍ଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏଯାଏଁ ପ୍ରତିଶ୍ରୁତି ପାଳନ ହୋଇନାହିଁ। ସୂଚନାଯୋଗ୍ୟ ୧୯୯୬ରେ ଜାନକୀ ବଲ୍ଲଭ ପଟ୍ଟନାୟକ ବେଗୁନିଆରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପ୍ରାଣୀଚିକିତ୍ସାଳୟ ଆରମ୍ଭ ହୋଇଥିଲା। ପ୍ରଥମେ କୁମ୍ଭାରସାହିର ଏକ ଭଡ଼ାଘରେ ଆରମ୍ଭ ହୋଇଥିବା ବେଳେ ପରେ ଏହାକୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ କୃଷି କାର୍ଯ୍ୟାଳୟର ଏକ ପ୍ରକୋଷ୍ଠକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଶାନ୍ତ ଜଗଦେବ ବିଧାୟକ ଥିବା ବେଳେ ଏହାର ନୂତନ ଗୃହ ନିର୍ମାଣ ହୋଇଥିଲା। ଯଦିଓ ଚିକିତ୍ସାଳୟର ନିଜ ଘର ନିର୍ମାଣ ହୋଇଛି, କିନ୍ତୁ ଏଠାରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀ ଏଠାରେ ରହୁନାହାନ୍ତି। ଡାକ୍ତର ଡେପୁଟେସନରେ ଭୁବନେଶ୍ୱର ଚାଲିଯିବା ପରେ ଏହି କେନ୍ଦ୍ରଟି ପ୍ରାୟତଃ ବନ୍ଦ ରହୁଛି। ଏନେଇ ଦୃଷ୍ଟି ଦେଇ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।