ବୈପାରିଗୁଡା: ୧୦ ଦିନ ପରେ ବି ଅଙ୍ଗନବାଡି କେନ୍ଦ୍ରର ତାଲା ଖୋଲିଲା ନାହିଁ। ଗୋଟିଏ ଦିଗରେ ଗ୍ରାମବାସୀଙ୍କ ଜିଦ୍ ଏବଂ ଅନ୍ୟ ଦିଗରେ ସମାଧାନ କରିବାରେ ପ୍ରଶାସନର ବିଫଳତା ଯୋଗୁଁ ଅଙ୍ଗନବାଡି କେନ୍ଦ୍ରରେ ପଢୁଥିବା ଶିଶୁମାନେ ସମସ୍ତ ପ୍ରକାର ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ସେମିଳିଅଟାଳ ଗ୍ରାମରେ। ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ଵରେ ଅବହେଳା ତଥା ଗତ ୨ ମାସ ଧରି ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବା ଭଳି ଗୁରୁତର ଅଭିଯୋଗ ଆଣି ସେମିଳିଅଟାଳ ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରରେ ଗ୍ରାମବାସୀ ମାନେ ତାଲା ଠୁଙ୍କି ଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସନ ଗ୍ରାମବାସୀଙ୍କୁ ଭେଟି ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ବଦଳି ଏବଂ ନୂଆ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ଅଡ଼ି ବସିଥିଲେ।

Advertisment

ଶେଷରେ ଆଜି ଗ୍ରାମବାସୀ ମାନେ ଅଙ୍ଗନବାଡିରେ ପଢୁଥିବା ଶିଶୁ ମାନଙ୍କ ପାଇଁ ନିଜ ଉଦ୍ୟମରେ ପ୍ରାକ୍ ଶିକ୍ଷା କେନ୍ଦ୍ର ଖୋଲିଥିବା ଜଣାପଡ଼ିଛି। ଗ୍ରାମବାସୀ ମାନେ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଶିଶୁଙ୍କ ପାଇଁ ସ୍ଲେଟ୍, ଖଡ଼ି, କଳାପଟା ଏବଂ ବର୍ଣ୍ଣବୋଧ ବହି କିଣି ବାଣ୍ଟିଛନ୍ତି। ଏହାଛଡ଼ା ପ୍ରାକ୍ ଶିକ୍ଷା କେନ୍ଦ୍ର ନାମରେ ଅନୁଷ୍ଠାନ ଗଢି ପାଠପଢ଼ା ଆରମ୍ଭ କରିଛନ୍ତି। ଆଜି ସ୍ଥାନୀୟ ଓ୍ବାର୍ଡ ମେମ୍ବର ଆନୁଷ୍ଠାନିକ ଭାବେ ଏହି ଶିକ୍ଷା କେନ୍ଦ୍ରର ଉଦଘାଟନ କରିଥିବା ବେଳେ ସମିତି ସଭ୍ୟ ବିଭୀଷଣ ହନ୍ତାଳ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ସ୍ଲେଟ, ଖଡ଼ି ଏବଂ ବହି ବାଣ୍ଟିଥିଲେ। ଗଛ ମୂଳରେ ଏହି ଶିକ୍ଷା କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଗ୍ରାମର ଜନୈକା ଶିକ୍ଷିତା ଯୁବତୀ ପାଠ ପଢାଇବାର ଦାୟିତ୍ଵ ନେଇଛନ୍ତି। ତେବେ ଅଙ୍ଗନବାଡି କେନ୍ଦ୍ରର ବିକଳ୍ପ ଭାବେ ଗ୍ରାମବାସୀ ମାନେ ଶିକ୍ଷା କେନ୍ଦ୍ର ଖୋଲିବା ଫଳରେ ପ୍ରଶାସନର ବିଫଳତା ସାମ୍ନାକୁ ଆସିଥିବା ଚର୍ଚ୍ଚା ହେଉଛି।