ରାୟଗଡା: ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତରୁ ବ୍ୟାଙ୍କକୁ ଚାଲିଯିବାରୁ ବୃଦ୍ଧ ଓ ବୃଦ୍ଧାମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ଏବଂ ବ୍ୟାଙ୍କରେ ଲିଙ୍କ ନାହିଁ ବୋଲି ଅଧିକାରୀଙ୍କ ଜବାବ ପରେ ପୁଣି ଘରକୁ ଫେରିବା ବହୁ କଷ୍ଟ ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ବୃଦ୍ଧ ଓ ବୃଦ୍ଧାମାନେ ଅଭିଯୋଗ କରିଥିଲେ। ଏପରିକି ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁ ନ ଥିବାରୁ ଆଜି ରାୟଗଡା ଜିଲ୍ଳାପାଳଙ୍କୁ ଏ ନେଇ ସିଧାସଳଖ ଅଭିଯୋଗ ଜଣାଇବା ସହ ଭତ୍ତା ପ୍ରଦାନ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରିଥିଲେ। ରାୟଗଡା ଜିଲ୍ଳା ଅନ୍ତର୍ଗତ କୋଲନରା ବ୍ଳକ କେଲିଗୁଡା ଗ୍ରାମ ପଞ୍ଚାୟତର ପାଇକପଡା ଗ୍ରାମର ଆଦିବାସୀ ସାହିର ୨୫ରୁ ଉର୍ଦ୍ଧ ବୟସ୍କ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ଏପରିକି ଗ୍ରାମରେ ଆହୁରି ଅନେକ ହିତାଧିକାରୀ ଭତ୍ତା ନ ପାଇଥିବା ବେଳେ ପ୍ରଶାସନ ପାଖରେ କରାଯାଉଥିବା ଅଭିଯୋଗର କୈାଣସି ସୁଫଳ ମିଳୁନଥିବାରୁ ଆସିଥିବା ହିତାଧିକାରୀଙ୍କ ସହ ସେମାନେ ସାମିଲ ହୋଇ ନ ଥିବା ଜଣାପଡିଛି।
ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତା ବାବଦକୁ ମିଳୁଥିବା ୫୦୦ଟଙ୍କା ପାଇଁ ମାସକୁ ଦୁଇରୁ ତିନିଥର ବ୍ୟାଙ୍କକୁ ଯିବା ଆସିବା କରିବାରେ ଅଧା ଟଙ୍କା ଖର୍ଚ୍ଚ ହୋଇ ଯାଉଥିବା ବେଳେ ବଳକା ଟଙ୍କାରେ ମାସକରେ ଔଷଧ ତଥା ଅନ୍ୟ କିଛି କିଣିବା ଆଉ ସମ୍ଭବପର ହୋଇପାରୁ ନାହିଁ ବୋଲି ହିତାଧିକାରୀମାନେ କହିଥିଲେ। ଭତ୍ତା ଟଙ୍କା ଖାତାରେ ଚଢୁ ନଥିବାରୁ ଏ ନେଇ କୋଲନରା ବ୍ଳକ ସାମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀଙ୍କ ଠାରେ ଅନେକ ସମୟରେ ହିତାଧିକାରୀ ମାନେ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଏହି ଭତ୍ତା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମା କରାଯାଉଥିବା ଏବଂ ହିତାଧିକାରୀଙ୍କ ଆଧାର କାର୍ଡ ତଥା କେୱାଇସିରେ ସଠିକ୍ ତଥ୍ୟ ଉପସ୍ଥାପନା ହେଉ ନ ଥିବା ଓ ହିତାଧିକାରୀ ମାନେ ବ୍ୟାଙ୍କ ଜମା ଖାତାକୁ ଅପଡେଟ୍ ରଖୁ ନ ଥିବାରୁ ଅନେକ ସମୟରେ ଭତ୍ତା ମିଳୁ ନ ଥିବା ଭଳି ଅଭିଯୋଗ ହେଉଛି।
ତଥାପି ହିତାଧିକାରୀଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ପାଇକପଡା ଗ୍ରାମର ହିତାଧିକାରୀ ସିଲିକା କଲାକା ଓ ନିଲେଇ କଲକା ଦୀର୍ଘ ୧୧ମାସ ଏବଂ ସାବିତ୍ରୀ ପେଦେଂଟି ୫ମାସ ଧରି ବାର୍ଦ୍ଧକ୍ୟ ଭତା ପାଇ ନ ଥିବା ବେଳେ ଯମୁନା ପ୍ରଧାନୀ ଦୀର୍ଘ ୮ମାସ ହେଲା ନିଜ ବିକଳାଙ୍ଗ ଭତା ପାଇ ନାହାନ୍ତି ବୋଲି କହିଥିଲେ। ସେହିପରି ଗ୍ରାମର ଅଁଳା କଂଜାକା, ପ୍ରଧାନୀ ପାରୋ, ହିମିରିକା ଡୋମେଇ, ଅମ୍ବିକା ହିକକା, ରାଲିକା ଫୁଲମତି, କଂଜକା ସିଙ୍ଗାରି, ଆଦିଗା ସାରକା, ମାଗଥା ପାଲକା, କୁନି ହିମିରିକାଙ୍କ ସମେତ ଅନ୍ୟ ହିତାଧିକାରୀ ମାନେ ଗତ ୩ମାସ ହେଲା ନିଜ ବାର୍ଦ୍ଧକ୍ୟ ଭତା ପାଇ ନ ଥିବା ଜଣାପଡିଛି।ଏତେ ସଂଖ୍ୟକ ହିତାଧିକାରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିବା ଖବର ପାଇ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମଚାରୀ ଏବଂ କୋଲନରା ବ୍ଳକ ସାମାଜିକ ସୁରକ୍ଷା ବିଭାଗ ପ୍ରୋଗ୍ରାମ ଆସିଷ୍ଟାଂଟ ପି. ରାଜଶେଖର ପ୍ରମୁଖ ପଂହଚି ହିତାଧିକାରୀ ମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଭତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ହିତାଧିକାରୀ ମାନେ ଫେରିଥିବା ଜଣାପଡିଛି।