ମାହାଙ୍ଗା ଡବଲ୍‌ ମର୍ଡର ଘଟଣା; ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ମିଳିବା ଘଟଣାକୁ ୧୧ଦିନ ପୂରିଲା

କେଉଁ ଗାଡ଼ି ଘଟାଇଛି ଦୁର୍ଘଟଣା? ୩ ଟୋଲ୍‌ ପ୍ଲା‌ଜାରୁ ଟାଙ୍ଗୀ ପୁଲିସ ଆଣିଲା ତଥ୍ୟ

କଟକ: ମାହାଙ୍ଗା ଡବଲ୍‌ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ଘଟଣାକୁ ଏଗାର ଦିନ ପୂରିଛି। ହେଲେ କିପରି ଓ କେଉଁ ଗାଡ଼ି ଦୁର୍ଘଟଣାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହେଲା ସେ ରହସ୍ୟ ଉପରୁ ପରଦା ହଟାଇ ପାରୁନି ପୁଲିସ। ଯେହେତୁ ଟାଙ୍ଗୀ ନିକଟ ଜାତୀୟ ରାଜପଥ ବ୍ୟସ୍ତବହୁଳ ରାସ୍ତା, ତେଣୁ କେଉଁ ଗାଡି ଦୁର୍ଘଟଣା ଘଟାଇଛି ତାହା ଜାଣିବା ପାଇଁ ପୁଲିସ ମଙ୍ଗୁଳି, ପାଣିକୋଇଲି ଓ ଚଣ୍ଡୀଖୋଲ କଣ୍ଟିଗଡ଼ିଆ ଆଦି ତିନୋଟି ଟୋଲ୍‌ ପ୍ଲାଜା ଦେଇ ରାତି ୯ଟାରୁ ୧୦ଟା ସମୟ ଭିତରେ କେଉଁ କେଉଁ ଗାଡ଼ି ଅତିକ୍ରମ କରିଛି ତାର ତଥ୍ୟ ମା‌ଗିଛି। ଏଥି ସହ ମିଳିଥିବା ତଥ୍ୟକୁ ଯାଞ୍ଚ କରିବା ଓ କାହା ମାଲିକାନା ରହିଛି ସେ ସଂପର୍କରେ ବିଭିନ୍ନ ଆର୍‌ଟିଓଙ୍କୁ ଚିଠି ଲେଖାଯାଇଥିବା ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ୫ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ଗ୍ରାମ ନିକଟସ୍ଥ ନିର୍ମାଣଧୀନ ଟୋଲ୍‌ ପ୍ଳାଜା ନିକଟରୁ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଦୁର୍ଘଟଣା ତାଙ୍କ ପରିବାର ପକ୍ଷରୁ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ପ୍ରଫୁଲ୍ଲ ଘଟଣାସ୍ଥଳରୁ କିଛି ଦୂରରେ ଗାଡ଼ି ରଖି ରାସ୍ତାରେ ଚାଲି ଚାଲି ଆସିଥିଲେ। ସେତେବେଳେ ସେ ଅତ୍ୟନ୍ତ ହଡ଼ବଡ଼େଇଲା ଭଳି ଜଣା ପଡୁଥିଲେ। କିଛି ସମୟ ପରେ ଏକ କଣ୍ଟେନର୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଘଟଣା ଦେଖିବା ପରେ ଦୋକାନୀଜଣକ ସ୍ଥାନୀୟ ଅଞ୍ଚଳର ଜଣେ ହୋମଗାର୍ଡଙ୍କୁ ଫୋନ୍‌ କରିଥିଲେ। ତାଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ହଜାର ହଜାର ଗାଡ଼ି ଯାଉଥିବାବେଳେ କେମିତି ଜଣାପଡିବ କିଏ ଘଟାଇଛି ଦୁର୍ଘଟଣା?

ଏଭଳି ଅଡ଼ୁଆସୂତା ଭିତରେ ଗୁଡ଼ାଇ ହୋଇଗଲାଣି ପ୍ରଫୁଲ୍ଲ ବିଶ୍ବାଳ ମୃତ୍ୟୁ ଘଟଣା। ଅନ୍ୟପଟେ ମୃତ୍ୟୁର କେଇଘଣ୍ଟା ପୂର୍ବରୁ ପ୍ରଫୁଲ୍ଲ ବିଶ୍ବାଳ ନିଜ ନାବାଳକ ପୁଅକୁ ଫୋନ କରି କଥା ହେବା ଓ ଯଦି ମୋର ଦୁର୍ଘଟଣାରେ ମୃତ୍ୟୁ ଘଟେ କାହାରିକୁ ଦାୟୀ କରିବନି ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏପଟେ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ହତ୍ୟାର ଶିକାର ହୋଇଥିବା କୁଳମଣି ବରାଳଙ୍କ ପୁଅ ରମାକାନ୍ତଙ୍କୁ ମଧ୍ୟ ଫୋନ କରି ମୋର ଓ ମୋ ସାନଭାଇର ପିଲା ଛୁଆ ତୁମକୁ ଲାଗିଲେ ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ୧ ମିନିଟ୍‌ ୪୦‌ ସେକେଣ୍ଡ କଥା ହୋଇଥିଲା। ଯାହାକୁ ନେଇ ମାହାଙ୍ଗା ଥାନାରେ ଏକ ଷ୍ଟେସନ୍‌ ଡାଏରି କରାଯାଇଛି। ସୂଚନାଯୋଗ୍ୟ, ମୃତ ପ୍ରଫୁଲ୍ଲଙ୍କ ପତ୍ନୀ ସବିତା ନାୟକ ନୁର୍ତ୍ତାଙ୍ଗର ସରପଞ୍ଚ ଅଛନ୍ତି। ହେଲେ ପ୍ରକୃତରେ ପ୍ରଫୁଲ୍ଲ କଣ କଥା ହୋଇଥିଲେ, କେବଳ ରମାକାନ୍ତ ଓ ତାଙ୍କ ପୁଅଙ୍କ ସହିତ ନା ଅନ୍ୟ କାହା ସହିତ ସେସବୁ ଦିଗ ଉପରେ ପୁଲିସ ତଦନ୍ତ ଆଗକୁ ଯାଇପାରୁନି।

ସମ୍ବନ୍ଧିତ ଖବର