ଶିଳାନ୍ୟାସକୁ ୩ ବର୍ଷ, ଆଣ୍ଠେଇଛି କଚେରି ପୋଖରୀ ସୌନ୍ଦର୍ଯ୍ୟକରଣ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଅଧାରୁ ଅଧିକ ପ୍ରକଳ୍ପ ଆଣ୍ଠେଇଛି। କେଉଁଠି ପ୍ରକଳ୍ପ ଶିଳାନ୍ୟାସରେ ଅଟକିଛି ତ କେଉଁଠି କାମ ଅଧା ପଡ଼ିଛି। ପୌରାଚଂଳରେ  ବିକାଶ କେବଳ ଲୋକଦେଖାଣିଆ ହୋଇ ରହିଛି। କଚେରୀ ପୋଖରୀର ପୁନରୁଦ୍ଧାର ପ୍ରସଙ୍ଗ ଏହାର ଏକ ଉଦାହରଣ ମାତ୍ର। ୨୦୧୯ରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଧାୟକ ଧ୍ରୁବ ସାହୁ ଏହି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ କରିଥିଲେ। ଦେଢ଼ କୋଟି ଟଙ୍କାର ଟେଣ୍ଡର ଡକାଯାଇଥିଲା। ଟେଣ୍ଡର ପରେ କାମ ଆରମ୍ଭ ହେଲା। କାମ ନେଇଥିବା ଠିକାଦାର ନାମକୁ ମାତ୍ର କିଛି ପଙ୍କ ଉଦ୍ଧାର କରିବ‌ା ପରେ ଜାଗା ମାପଚୁପ ନ କରି ଦୁଇପଟ ପାଚେରି ବୁଲାଇଲେ। ସେହିଦିନଠୁ ଆଉ କାମ କିନ୍ତୁ ଆଗେଇ ପାରୁନାହିଁ। ଅନ୍ୟପକ୍ଷରେ ଏ ବର୍ଷ ସେଭଳି ଆଖିଦୃଶିଆ କାମ ହେଲା ନାହିଁ। ଆଗକୁ ବର୍ଷା ଆସୁଛି। ଆଉ କାମ ହୋଇପାରିବ ନାହିଁ। ଠିକାଦାର କାମ କରୁନାହାନ୍ତି। କାମ କରି ନ ଥିଲେ ବି ତାଙ୍କୁ ଦୁଇଟି ବିଲ୍‌ କରି ପେମେଣ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଠିକାଦାର କାମ କରୁ ନ ଥିଲେ ମଧ୍ୟ ପୌରପାଳିକା କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଉଛି। ଉକ୍ତ ଠିକାଦରଙ୍କୁ ରାଜନୈତିକ ସୁରକ୍ଷା ଦିଆଯାଉଥିବାରୁ ପୌରପାଳିକା ଚୁପ ବସିଛି ବୋଲି ଅଭିଯୋଗ ହୋଇଛି। କେବଳ ଶୁଭ ଦିଆଯାଇଥିବା କଚେରି ପୋଖରୀ ନୁହେଁ,  ସ୍ମାର୍ଟ ପାର୍କ କାମ କେବେ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୌରପାଳିକା ଗଠନ ହେବାକୁ ୩୪ ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ ସହିତ ଅବସର ବିନୋଦନ ପାଇଁ ଗୋଟିଏ ହେଲେ ବି ପାର୍କ ନିର୍ମାଣ ସମ୍ଭ ହୋଇପାରିନାହିଁ। ୨୦୧୯ ମସିହାରେ କଚେରି ପୋଖରିର ପୁନରୁଦ୍ଧାର କରିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବିଧାୟକ ଶ୍ରୀ ସାହୁ ଶୁଭ ଦେଇଥିଲେ। ଶିଳାନ୍ୟାସ ପରେ ଟେଣ୍ଡର ହୋଇ ଠିକାଦାର ନିଯୁକ୍ତି ହେଲେ। ଅର୍ଥ ମଧ୍ୟ ମଂଜୁର ହେଲା। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ତାହା ଏବେ ଅଧାପନ୍ତରିଆ ହୋଇ ରହିଗଲା। ତାହାକୁ ନେଇ ପୌରପାଳିକା ଅଧିବାସୀମାନଙ୍କ ମଧ୍ୟରେ ଭ୍ରୁକଞ୍ଚନ ସୃଷ୍ଟି ହେବାରେ ଲାଗିଛି। ପୂର୍ବତନ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମହାବିଣାଠାରେ ଏକ ପାର୍କ ପାଇଁ ଶୁଭ ଦେବାକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ କାମ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉନ୍ନୟନ କାମରେ ବ୍ରେକ୍ ଲାଗିଛି। ଏକାଧିକ ପ୍ରକଳ୍ପ ବର୍ଷାଧିକ କାଳ ହେଲା ଶିଳାନ୍ୟାସରେ ଲଟକି ରହିଛି। କେତେକ ପ୍ରକଳ୍ପ କାମ ଅଧାପନ୍ତରିଆ ପଡିରହିଛି। କାମର ଅଗ୍ରଗତି ନେଇ କେହି ମୁଁହ ଖୋଲୁ ନ ଥିବା ବେଳେ ଠିକାଦାର ମାଲାମାଲ ହେଉଛନ୍ତି। ଠିକାଦାରମାନଙ୍କୁ ରାଜନୈତିକ ସୁରକ୍ଷା ମିଳୁଥିବାରୁ ଏପରି ସ୍ଥିତି ଉପୁଜିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର