କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ବହୁଚର୍ଚ୍ଚିତ ନାବାଳକଙ୍କ ଶବ ମାଟିତଳୁ ଉଦ୍ଧାର ଘଟଣାରେ ଏବେ ନୂଆ ତଥ୍ୟ ସାମନାକୁ ଆସିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ ଲଳିତ ଜୈନ (୧୪ବର୍ଷ)ଙ୍କ ବୟସ ୪୫ ବର୍ଷ ବୋଲି ଦର୍ଶାଯାଇଛି। ଏହାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ଲିଳିତଙ୍କୁ ନିର୍ଯାତନା ଦେଇଥିବା ଓ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପୁଲିସ କଣ୍ଟାବାଞ୍ଜି ଆଲିଶାନ୍ ଲାଇଫଷ୍ଟାଇଲ୍ରେ ରହୁଥିବା ଦୁଇ ଭାଇ ବିଶାଲ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲଙ୍କୁ ଗିରଫ କରି ପୁଲିସ ଜେଲ ହାଜତକୁ ପଠାଇଦେଇଛି।
ପ୍ରମୋଦ ଜୈନଙ୍କ ନାବାଳକ ପୁଅ ଲଳିତ ଜୈନ (୧୪ବର୍ଷ)ଙ୍କ ଗତ ୧୫ ତାରିଖ ଦିନ ମାଟିତଳୁ ଶବ ଉଦ୍ଧାର କରାଯାଇଥିଲା। ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସରକାରୀ ରେଳବାଇ ପୁଲିସର ଭୂମିକା ଉପରେ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ରେଳବାଇ ପୁଲିସ ରେଳ ଲାଇନ୍ରେ ଆତ୍ମହତ୍ୟା କରିଥିବା ଏବଂ ପରିଚୟ ନମିଳିବାରୁ ରେଳବାଇ ମଶାଣିରେ ଶବ ପୋତି ଦେଇଥିବା ପ୍ରକାଶ କରିଥିଲା।
ମୃତ ଲଳିତଙ୍କ ବାପା ପ୍ରମୋଦଙ୍କ ଅଭିଯୋଗ ଅନୁସାରେ, ସେ ଗତ ୧୩ ତାରିଖରୁ ଲଳିତ ନିଖୋଜ ଥିବା ନେଇ ଗତ ୧୪ ତାରିଖ ଦିନ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ଏହା ପରେ ସରକାରୀ ରେଳବାଇ ପୁଲିସ ତରବରିଆ ଭାବେ ୪୮ଘଣ୍ଟା ମଧ୍ୟରେ ହିଁ ଶବକୁ ବ୍ୟବଚ୍ଛେଦ ନକରାଇ ପୋତି ଦେଇଥିଲା। ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ନାବାଳକ ଲଳିତଙ୍କ ବୟସ ୪୫ ବର୍ଷ ଦର୍ଶାଯାଇଥିବାରୁ କାଗଜପତ୍ରରେ ହିଁ ଶବ ବ୍ୟବଚ୍ଛେଦ କରାଯାଇଥିବା ସନ୍ଦେହ ପ୍ରକାଶ ପାଉଛି। କଣ୍ଟାବାଞ୍ଜି ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ଦେବାଶିଷ ତ୍ରିପାଠୀ ସରକାରୀ ରେଳବାଇ ପୁଲିସ ଉପସ୍ଥିତିରେ ଗତ ୧୩ ତାରିଖ ଦିନ ଏହି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟରେ ସଫା ସଫା ଲେଖା ହୋଇଛି ଯେ ଗତ ୧୩ ତାରିଖ ଦିନ ଜଣେ ୪୫ ବର୍ଷୀୟଙ୍କ ଶବ ବ୍ୟବଚ୍ଛେଦ କରାଗଲା ଓ ମୃତ୍ୟୁର କାରଣରେ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଦର୍ଶାଯାଇଛି। ଏହା ସହ ମୃତକଙ୍କ ସମସ୍ତ ପୋଷାକପତ୍ର ପୁଲିସକୁ ହସ୍ତାନ୍ତର କରାଯାଇଥିବା ଓ ୯୬ ଘଣ୍ଟା ଶବ ସଂରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଥିବା ମଧ୍ୟ ସେଥିରେ ଉଲ୍ଲେଖ ରହିଛି।
କେହି ଦାବିଦାର ଆସିଲେ ହସ୍ତାନ୍ତର କରାଯିବ ବୋଲି ଦର୍ଶାଯାଇଛି। ଏହା ସତ୍ତ୍ବେ ସରକାରୀ ରେଳବାଇ ପୁଲିସ ତରବରିଆ ଭାବେ ଶବ ପୋତି ଦେଇଥିଲା। ଅନ୍ୟପକ୍ଷରେ ନାବାଳଙ୍କ ଶବରେ ପୋଷାକ ରହିଥିବା ଦେଖିବାକୁ ମିଳିଥିଲା। ତେଣୁ ପୋଷାକ ନଖୋଲି କେମିତି ବ୍ୟବଚ୍ଛେଦ ହେଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ମଧ୍ୟ ଜିଲ୍ଲା ପୁଲିସ ଅଧିକାରୀ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। କଣ୍ଟାବାଞ୍ଜି ପୁଲିସ ମୃତ ଲଳିତଙ୍କ ମୋବାଇଲ୍ ଫୋନ୍କୁ ମଧ୍ୟ ଜବତ କରି ତଦନ୍ତ କରୁଛି। ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ପୁଲିସ ଅଧୀକ୍ଷକ କଣ୍ଟାବାଞ୍ଜି ଥାନାରେ ପହଞ୍ଚି ଏହାର ଅଧିକ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ସଂର୍ପକରେ ଡା. ତ୍ରିପାଠୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲା। ସେହିପରି କଣ୍ଟାବାଞ୍ଜି ଡାକ୍ତରଖାନାର ଅଧିକାରୀ ଡା. ଏସ୍.ପି.ଡି. ପଣ୍ଡାଙ୍କୁ ପଚରାଯିବାରୁ ସେ କହିଥିଲେ, ଘଟଣାଦିନ ସେ ଭୁବନେଶ୍ବରରେ ଥିଲେ। ସେହିଦିନ କେବଳ ଗୋଟିଏ ଶବ ବ୍ୟବଚ୍ଛେଦ ପାଇଁ ଆସିଥିଲା ବୋଲି ସେ କହିଥିଲେ।