ହୀରାକୁଦ: ଶିଳ୍ପନଗରୀ ହୀରାକୁଦରେ ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ହୀରାକୁଦ ସହରରେ ୧୨ଟି ଜାଗାରେ ପୂଜା ହୋଇଥାଏ। ଶିଳ୍ପ ସଂସ୍ଥାଗୁଡ଼ିକ ମୂର୍ତ୍ତିଗୁଡ଼ିକର ଯାନ୍ତ୍ରିକ କାରୁକାର୍ଯ୍ୟ ଦେଖିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଜନସାଧାରଣ ଆସିଥାନ୍ତି। ସୁଭାଷ ମଇଦାନରେ ମିନାବଜାର ଆସିଯାଇଛି। ସହରରେ ଫେରିବାଲା ଦୋକାନି ଏବଂ ଖେଳଣା ଦୋକାନି ପସରା ଖୋଲି ସାରିଲେଣି। ଜୀବିକାର୍ଜନ ନିମନ୍ତେ ବାହାରେ ରହୁଥିବା ହୀରାକୁଦର ଲୋକମାନେ ଆସିବା ଆରମ୍ଭ କଲେଣି। କେବଳ ସେତିକି ନୁହେଁ, ପୂଜା ପାଇଁ ଅତିଥିଙ୍କ ଆଗମନ ବି ହେଲାଣି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୬ଟି ଗେଟ୍‌ ଖୋଲା ହୋଇଛି। ଡ୍ୟାମ୍ ଦେଖିବା ପାଇଁ ବି ଦୂରଦୂରାନ୍ତରୁ ଲୋକ ଆସୁଥିବା ଦେଖିବାକୁ ମିଳିଛି। ତଥାପି, ଭସାଣି ଶୋଭାଯାତ୍ରା ପାଇଁ ଅନୁମତି ନଥିବାରୁ ଗତ ବର୍ଷ ଠାରୁ ଏଥର ଭିଡ଼୍‌ କମ୍ ହେବ ବୋଲି ଅନୁମାନ କରାଯାଉଛି। ହୀରାକୁଦ ଭଳି ଶାନ୍ତିପ୍ରିୟ ସହରରେ ଭସାଣି ପାଇଁ ଅନୁମତି ଦିଆନଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ରହିଛି। ପୁଲିସ୍ ମଧ୍ୟ ପୂଜା ସୁରୁଖୁରୁରେ ହେବା ପାଇଁ ହୀରାକୁଦ ସହରରେ ଫ୍ଳାଗ୍ ମାର୍ଚ କରୁଛି। ଏପଟେ ହୀରାକୁଦରେ ରାଜନୀତି ଓ ସାମାଜିକ କର୍ମୀଙ୍କ ସ୍ୱାଗତ ବ୍ୟାନରରେ ସାରା ସହର ଛାଇଯାଇଛି।