ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଏକ ଲିଫ୍ଟ ଇରିସେଗସନ (ଏଲ୍ଆଇ) ପଏଣ୍ଟକୁ ଗତ ୧୫ ଦିନ ହେଲା ବିଜୁଳି ଯୋଗାଣ ବନ୍ଦ ହୋଇଛି। ଫଳରେ ଏହା ଉପରେ ଭରସା କରି ହୋଇଥିବା ଫସଲ ଉଜୁଡ଼ିଗଲାଣି। ଏହା ଦ୍ବାରା ଚାଷୀ ୫ ଲକ୍ଷରୁ ଅଧିକ ଟଙ୍କାର କ୍ଷତି ସହିବେ ବୋଲି ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଏହି ଗାଁର ଚାଷୀ ଅବସରପ୍ରାପ୍ତ ବିଇଓ ସଂକୀର୍ତ୍ତନ ବାଗ ତାଙ୍କ ବିଲରେ ଏଲ୍ଆଇ ପଏଣ୍ଟ ସହାୟତାରେ ବିଭିନ୍ନ ପ୍ରକାରର ରବି ଚାଷ କରିଛନ୍ତି। ସେ ୨ ଏକର ଜମିରେ କଦଳୀ, ୧.୫ ଏକରରେ ସଜନା ଓ ୧.୫ଏକରରେ ପୋଟଳ ଚାଷ କରିଛନ୍ତି। ଗତମାସ ୨୬ ତାରିଖରୁ ଟ୍ରାନ୍ସଫର୍ମରକୁ ବିଜୁଳି ଯୋଗାଣ ବନ୍ଦ ରହିଛି। ପାଣି ଅଭାବରୁ ଏହି ଚାଷ ଉଜୁଡ଼ିଯାଇଥିବା ଶ୍ରୀ ବାଗ ଅଭିଯୋଗ କରିଛନ୍ତି। ସେ ବିଦ୍ୟୁତ ଗ୍ରିଡ୍ରେ ଏନେଇ ଅଭିଯୋଗ କଲେ ମଧ୍ୟ ବିଭାଗର କର୍ମଚାରୀ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କହିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।