ଜୟପୁର: ଗତ ୪ ବର୍ଷ ତଳେ ୪କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ମକାପୁଟ ପଡିଆରେ ନିର୍ମାଣ ଆରମ୍ଭ ହୋଇଥିବା ଆଇଟି ପାର୍କ। ଏହାରି ମଧ୍ୟରେ ଚାରି ବର୍ଷ ବିତିବାକୁ ବସିଥିବା ବେଳେ ଏହାର କାମ ସରିବା ନାଁ ନେଉନି। ବରଂ ଥରେ ଲଗାଯାଇଥିବା କାଚକୁ ଭାଙ୍ଗି ପୁଣି କାଚ ଲଗାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତ ୪ବର୍ଷ ତଳେ ଜୟପୁର ବ୍ଲକ ଅର୍ନ୍ତଗତ ତଥା ଜୟପୁର ସହରର ଅତିନିକଟରେ ଥିବା ମକାପୁଟ ଗାଁ ପଡ଼ିଆରେ ୪କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ହୋଇଥିଲା ଆଇଟି ପାର୍କ। ଏହି ପରିସରରେ ୧୬ଟି ରୁମ ନିର୍ମାଣ କରାଯାଇଛି। ଏହା ପରିସରରେ ବିଶ୍ବସ୍ତରର ବିଭିନ୍ନ ଆଇଟି କଂପାନୀ ନିଜର ହବ ଖୋଲିବା ସହ ଅତ୍ୟାଧୁନିକ କମ୍ପ୍ୟୁଟର ସାମଗ୍ରୀ ବିକ୍ରୀ ଏବଂ ପ୍ରଦର୍ଶନୀ ପାଇଁ ଏହାକୁ ନିର୍ମାଣ କରାଯାଉଛି। ଏହି ପରିସରକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଲିବାକୁ ଆସି ଏସବୁ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ଜ୍ଞାନକୌଶଳ ଅତ୍ୟାଧୁନିକ କମ୍ପ୍ୟୁଟର ବିଜ୍ଞାନ ସଂପର୍କରେ ଅବଗତ ହେବା ସହ ଆଗାମୀ ଦିନରେ ନିଜର ସୁନ୍ଦର ଭବିଷ୍ୟତ ଗଠନ କରି ପାରିବେ। ବଡ଼ ବଡ଼ ମହାନଗରରେ ଉପଲବ୍ଧ ହେଉଥିବା ବିଭିନ୍ନ ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ସାମଗ୍ରୀ ଏଠାରେ ପ୍ରଦର୍ଶନ ସହ ବଡ ବଡ କର୍ମଶାଳା ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ଏହା ଫଳରେ ନିଜର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ।

Advertisment

ଏହାର ନିର୍ମାଣ ସାରିବା ପାଇଁ ବର୍ଷକ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଧାର୍ଯ୍ୟ ସମୟର ୩ବର୍ଷ ଅତିବାହିତ ହୋଇଯାଇଥିଲେ ହେଁ ଏହାର ନିର୍ମାଣ କାମ ସରିବାର ନାଁ ନେଉନି। ଅପରପକ୍ଷରେ ଏହା ସମ୍ମୁଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଥିବାରୁ ବହୁ ବ୍ୟବସାୟୀ, ହୋଟେଲ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ କରି ଆସୁଛନ୍ତି। ଏମାନଙ୍କୁ ପ୍ରଶାସନ ଦୁଇ ଥର ଉଚ୍ଛେଦ କରିଥିଲେ ହେଁ ଜବରଦଖଲକାରୀ ସେ ସମୟରେ ଉଠିବା ପରେ ପରବର୍ତ୍ତୀ ସମୟରେ ପୁଣି ସେଠାରେ ଦୋକାନ କରୁଛନ୍ତି। ଗତ ୩ବର୍ଷ ହେବ ଜୟପୁର ବ୍ଲକ ଓ ପୌରାଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ, ବୈଷୟିକ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ କଂପୁଟର ଜିଜ୍ଞାସୁମାନେ ଯେଉଁ ଲାଭ ଉଠାଇ ନିଜର ସୁନ୍ଦର ଭବିଷ୍ୟତ ଗଠନରେ ସହଯୋଗ ନେଇଥାନ୍ତେ ତାହା ଏ ପର୍ଯ୍ୟନ୍ତ ହୋଇପାରିନି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।