ରାଉରକେଲା: ପୁଣି ଆୟକର ବିଭାଗର ବଡଧରଣର ଚଢ଼ାଉ | ଛତିଶଗଡ଼ ଓ ଓଡିଶାରେ ପୁଣି ଏକକାଳୀନ ବଡଧରଣର ରେଡ୍ କରୁଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ (ବଣ୍ଟି) ଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଆୟକର ବିଭାଗ। ବଣ୍ଟି ଡାଲମିଆ ସୁନ୍ଦରଗଡ ଓ ଛତିଶଗଡ଼ ରାଇଗଡର ବିଶିଷ୍ଟ କୋଇଲା ବ୍ୟବସାୟୀ ହୋଇଥିବାବେଳେ ତାଙ୍କର ଛତିଶଗଡ଼ , ଓଡିଶା, ମୁମ୍ୱାଇ, ମଧ୍ୟପ୍ରଦେଶରେ ବିଭିନ୍ନ ସ୍ଥାନରେ ଇଣ୍ଡଷ୍ଟ୍ରି, କୋଇଲା ବ୍ୟବସାୟ, ହୋଟେଲ ବିଜନେସ ରହିଛି। ଆୟକର ଠକେଇ ଅଭିଯୋଗରେ ଚଢାଉ କରିଛି ଆୟକର ବିଭାଗ। ମିଳିଥିବା ସୂଚନା ମୁତାବକ ଘନଶ୍ୟାମଙ୍କ ସୁନ୍ଦରଗଡ ଗୋପାଳପୁରରେ ଥିବା ତାଙ୍କ ଦୁଇ ମହଲା କୋଠା , ଅଫିସ ବିଲେଇ ମୁଣ୍ଡାର ଅଫିସ, ଘର, ଶୋରୁମ, ସ୍ପଞ୍ଜ ଆଇରନ ଫେକ୍ଟ୍ରୀ, ଏମସିଏଲ୍ କୋଇଲା ପରିବହନ ସାଇଟ, ଛତିଶଗଡ଼ ରାଏଗଡ଼ ର ଆଇରନ, ଷ୍ଟିଲ ଓ ପାୱାର ପ୍ଲାଣ୍ଟ ଫ୍ୟାକ୍ଟ୍ରି, ରାୟପୁର ଘର ଓ ଅଫିସ୍ ସମେତ ବିଲାସପୁରରେ ଥିବା ହୋଟେଲ ସହିତ ତାଙ୍କ ବଡ ଭାଇ ବାବୁଲୁ ଡାଲମିଆଙ୍କ ରାଉଲକେଲା ସିଭିଲଟାଉନସିପ ସ୍ଥିତ ଘରେ ଏକକାଳୀନ ଚଢାଉ କରୁଛି ଆୟକର ବିଭାଗ ।
ଏଥିରେ ୧୦୦ରୁ ଅଧିକାରୀ ଓ ସିଆରପିଏଫ ଫୋର୍ସ ସାମିଲ ହୋଇଛନ୍ତି। ସମସ୍ତ ସ୍ଥାନରେ ଚଢାଉ ହେଲା ପରେ ସମସ୍ତ ସ୍ଥାନକୁ ସିଲ କରାଯାଇଛି। ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଅଟକ ରଖିଛି ଆୟକର ବିଭାଗ । ମୋବାଇଲଗୁଡ଼ିକୁ ସିଜ ମଧ୍ୟ କରାଯାଇଛି। ଆୟକର ବିଭାଗ କିଛି ଦିନ ପୂର୍ବରୁ ଓଡିଶା, ଛତିଶଗଡ଼ରେ ଏକକାଳୀନ ଚଢାଉ କରି ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ୍ କରିଥିଲା। ଆଉ ଏବେ ପୁଣି ଶହଶହ ଅଧିକାରୀଙ୍କୁ ନେଇ ଛତିଶଗଡ଼ ଓ ଓଡ଼ିଶାରେ ଚଢାଉ ଆରମ୍ଭ କରିଛି ଆୟକର ବିଭାଗ।