୪୪ ଡିଗ୍ରି ତାପମାତ୍ରାରେ ଜଳୁଛି ଇଟାଭାଟି

ଧର୍ମଶାଳା: ୪୪ ଡିଗ୍ରି ତାପମାତ୍ରାରେ ବି ଧର୍ମଶାଳା ତହସିଲ ଅଞ୍ଚଳରେ ମାଳମାଳ ଇଟାଭାଟି ଜଳୁଛି। ପ୍ରବଳ ରୌଦ୍ରତାପ ସତ୍ତ୍ବେ ଇଟାଭାଟି ନିଆଁ ଉତ୍ତାପକୁ ଆହୁରି ବୃଦ୍ଧି କରୁଛି। ପ୍ରଶାସନର ଅଙ୍କୁଶ ନଥିବାରୁ ଯିଏ ଯେଉଁଠି ପାରିଲା ମନଇଚ୍ଛା ଇଟାଭାଟି କରୁଛି। ଅସାଧୁ କର୍ମଚାରୀଙ୍କ ମୁନାଫାଖୋର ମନୋଭାବ ପାଇଁ ଗ୍ରାମାଞ୍ଚଳରେ ଇଟା ବ୍ୟବସାୟ କୁଟୀରଶିଳ୍ପ ପାଲଟିଥିବା ଅଭିଯୋଗ ହୋଇଛି। ପ୍ରଶାସନର ଅନୁମତିକ୍ରମେ ଜନବସତି ଠାରୁ ୧କିମି ଦୂରରେ ଏବଂ ଶୀତଦିନେ ଇଟାଭାଟି ହେବା କଥା। ମାତ୍ର ଇଟା ପ୍ରସ୍ତୁତକାରୀମାନେ ସମସ୍ତ ନୀତିନିୟମକୁ ଦଳିମକଚି ଗାଁ ମଝିରେ କିମ୍ବା ଜନବସତିର ଅତି ନିକଟରେ ଇଟାଭାଟି କରୁଛନ୍ତି। ଏପରିକି କିଛିବ୍ୟକ୍ତି ନିଜ ଘରବାଡ଼ି ନିକଟରେ ଇଟାଭାଟି କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପ୍ରିଲ ପ୍ରଥମ ସପ୍ତାହରୁ ଖରା ବଢ଼ିଲାଣି। ଦିନରାତି ଇଟାଭାଟି ଜଳୁଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଛି। କେତେକ ବିନା ଅନୁମତିରେ ଭାଟି ଲଗାଇଥିବା ବେଳେ ଆଉ କିଛି ବେପାରୀ ନିଜଘର ପାଇଁ ଇଟା ତିଆରି କରିବେ ବୋଲି ତହସିଲରୁ ସାମୟିକ ଅନୁମତି ଆଣି ଇଟା ବେପାର କରୁଛନ୍ତି। ତେବେ ଇଟା ତିଆରି ପାଇଁ ରାଜସ୍ବ ପୈଠ କରିବା ପରେ ନିଜଜମିରୁ ଚୁକ୍ତି ମୁତାବକ ମାଟି ବ୍ୟବହାର କରାଯିବା କଥା। ମାତ୍ର ଇଟା ପ୍ରସ୍ତୁତକାରୀ ସରକାରୀ ଜମିରୁ ମନଇଚ୍ଛା ମାଟି ଖନନ କରି ସମତଳ ଜମିକୁ ପୋଖରୀ, ଗାଡ଼ିଆ କରିଦେଉଛନ୍ତି। ସେହିପରି ନିକଟସ୍ଥ ନଦୀନାଳରୁ ବେଆଇନ ଭାବେ ବାଲି ଆଣି ବ୍ୟବହାର କରୁଛନ୍ତି। ଏଥିରେ ବିପୁଳ ପରିମାଣର ରାଜସ୍ବ ହାନି ହେଉଥିବା ବେଳେ ଇଟାବେପାରୀ ମାଲାମାଲ୍ ହେଉଛନ୍ତି। ଅନେକ ସମୟରେ ଏସବୁ ସ୍ଥାନରେ ଛୋଟବଡ଼ ଅଘଟଣ ହେଉଛି। ଗୋରୁଗାଈ ଖାଲରେ ପଡ଼ି ମୃତାହତ ହେଉଛନ୍ତି। ଏପରିକି ମାଫିଆମାନେ ଗୋଚର, ଶ୍ମଶାନ ଓ ଦେବୋତ୍ତର ଜମିକୁ ଜବରଦଖଲ କରି ମାଟି ଉଠାଉଛନ୍ତି। ବର୍ଷାଋତୁକୁ ଛାଡ଼ିଦେଲେ ଅବଶିଷ୍ଟ ୮ମାସ ଇଟାଭାଟି ଚାଲିଛି। ବିଶେଷ କରି ଅଭୟପୁର, ମଙ୍ଗରାଜପୁର, ବମ୍ପୁ, ରାଧାନଗର, ରତନପୁର, ନୀଳାଦେଈପୁର, ଡେରାବର, ପାଟପୁର, ମିର୍ଜାପୁର, କାଏମା ଅଞ୍ଚଳରେ ଏହି ବେପାର ଚାଲିଛି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବେଆଇନ ଇଟା ବେପାରକୁ ରୋକିବା ସମ୍ଭବ ହେଉନାହିଁ। ତହସିଲ ପକ୍ଷରୁ କାଁଭାଁ ଚଢ଼ଉ କରାଯାଉଥିଲେ ମଧ୍ୟ ଇଟା ବେପାରୀଙ୍କ ଉପରେ ଏହା ପ୍ରଭାବ ପକାଉନାହିଁ। ଚଢ଼ଉ ପରେ ପୁଣି ଇଟାଭାଟି ଆରମ୍ଭ ହୋଇଯାଉଛି। ଏପରିକି ମିର୍ଜାପୁର ଇଣ୍ତିଆନ୍ ବ୍ୟାଙ୍କ ନିକଟରେ ଏକାଧିକ ଇଟାଭାଟି ହୋଇଛି। ଏହାର ନିଆଁଧୂଆଁରେ ଗ୍ରାହକଙ୍କ ସମେତ କର୍ମଚାରୀମାନେ ଅତିଷ୍ଠ ହୋଇଯାଉଛନ୍ତି। ହେଲେ କେହି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏଥିପ୍ରତି ଯାଜପୁର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର