ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ତରତୁଆଠାରେ ଥିବା ୪୧ତମ ଇଣ୍ଡୋ ତିବ୍ଦତିଆନ୍ ବୋର୍ଡର ପୁଲିସ ଫୋର୍ସ (ଆଇଟିବିପି) ପକ୍ଷରୁ ଆଜି ସାଇକେଲ ଅଭିଯାନ "ଲକ୍ଷ୍ୟ'ର ଶୁଭାରମ୍ଭ ହୋଇଛି । ଆଇଟିବିପି କେନ୍ଦ୍ରରେ ସକାଳ ୯ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ସେନାନୀ ପବନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀମିତ୍ର ସବୁଜ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ ।

Advertisment

ଏହି ଅଭିଯାନର ନେତୃତ୍ୱ ସହାୟକ ସେନାନୀ (ଜିଡି) ବିନୋଦ କୁମାର ନେଉଥିବା ବେଳେ ୧୨ଜଣ ଆଇଟିବିପି ଯବାନ ଏଥିରେ ଯୋଗ ଦେଇଛନ୍ତି । ଏହି ଅଭିଯାନ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ସୁସ୍ଥତା ପ୍ରତି ସଚେତନତା, ଭାରତୀୟ ସେନାରେ ଯୋଗଦାନ ଓ ପରିବେଶର ସ୍ୱଚ୍ଛତା ପ୍ରତି ଆଗ୍ରହ ସୃଷ୍ଟି କରାଯିବ । ଟିମ୍ ବିଭିନ୍ନ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରାଥମିକ ଉପଚାର ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେବେ । ଏହି ଟିମ୍ ଖୋର୍ଦ୍ଧା, ପୁରୀ, କୋଣାର୍କ, କଟକ ଓ ଭୁବନେଶ୍ୱର ଦେଇ ୧୭୬ କିମି ଯାତ୍ରା କରିବ ବୋଲି ସେନାନୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି ।