ଆଇଟିଡିଏ ମହାଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଶୂନ, ଆଦିବାସୀ ମନ୍ତ୍ରୀଙ୍କୁ ସୂଚନା ଅଧିକାର କର୍ମୀଙ୍କ ଫେରାଦ 

ସୁନ୍ଦରଗଡ଼ : ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା। ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଘଟଣାର ପ୍ରାଶାସନିକ ତଦନ୍ତ ଚାଲିଥିଲା । କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ। ବରଂ ମହାଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଆଦେଶକୁ ୭ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କୁ ରିଲିଭ୍ କରୁ ନାହାନ୍ତି। ଶନିବାର ସୁନ୍ଦରଗଡ଼ ଗସ୍ତରେ ଆସିଥିବା କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଆଗରେ ଏସବୁ ଅଭିଯୋଗ ଉଠାଇଛନ୍ତି ସୂଚନା ଅଧିକାରକର୍ମୀ ସୁଶୀଳ ଗୁପ୍ତା ।

ପ୍ରଗତି ମଣ୍ଡପରେ ମନ୍ତ୍ରୀ ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଶ୍ରୀ ଗୁପ୍ତା ଏ ସମ୍ପର୍କିତ ଏକ ଅଭିଯୋଗ ପତ୍ର ଦେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଇଟିଡିଏ ଦୁର୍ନୀତି ପ୍ରସଙ୍ଗ। ସେ ଅଭିଯୋଗ କରିଥିଲେ, ୧୭୬ କୋଟିର ଟେଣ୍ଡର କାମ ହୋଇଥିବା ବେଳେ ୧୦୯ କୋଟିର ବିଭାଗୀୟ କାମ ଦର୍ଶାଇ ବିନା କାର୍ଯ୍ୟରେ ବିଲ୍ କରାଯାଇଛି । ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏ ତାହା କେଉଁଠି ଜଣାପଡ଼ୁ ନାହିଁ । ଉନ୍ନୟନମୂଳକ କାର୍ଯ୍ୟର ସମସ୍ତ ସୂଚନା ପାଇଁ ଆବେଦନ କରିଥିଲେ ମଧ୍ୟ ଦୁଇ ବର୍ଷ ହେଲା ବିଭାଗ ଦିନ ଗଡ଼ାଇ ନେଉଛି। ଏପରିକି ଏଥିପାଇଁ ସେ ୧୧ ଦିନ ଧାରଣା ଦେଇଥିଲେ ମଧ୍ୟ ବିଭାଗ ଏଡ଼ାଇ ଯାଇଥିଲେ ବୋଲି ସେ ମନ୍ତ୍ରୀଙ୍କ ଆଗରେ ଅଭିଯୋଗ କରିଥିଲେ। ମନ୍ତ୍ରୀ ଶ୍ରୀ ଟୁଡୁ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ

ସମ୍ବନ୍ଧିତ ଖବର