ପାଂଚ ବର୍ଷ ପରେ ବି କାର୍ଯ୍ୟକାରୀ ହୋଇ ପାରିନି ଗୋଷ୍ଠୀ ଶୌଚାଳୟ

ଅତ୍ୟାଧୁନିକ ସୁବିଧା ଦେବା ପାଇଁ ପୁନଃଉନ୍ନୟନ କାମ ଜାରୀ

ଜୟପୁର: ଗତ ୫ବର୍ଷ ହେବ ସହରର ବିଭିନ୍ନ ବସ୍ତି ଓ ସାହି ବାସିନ୍ଦାଙ୍କ ଶୌଚ ସୁବିଧା ପାଇଁ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ସଠିକ ଭାବେ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନି। ଏବେ ପୁଣି ଏହି ଗୋଷ୍ଠୀ ଶୌଚାଳୟ ଗୁଡ଼ିକରେ ଅତ୍ୟାଧୁନିକ ସେବା ଓ ସୁବିଧା ଲୋକଙ୍କୁ ଯୋଗାଇବା ପାଇଁ ୩ଲକ୍ଷ ଟଙ୍କା ବ୍ୟୟ କରି ପୁନଃ ଉନ୍ନୟନ କାମ ଜାରୀ ରହିଛି। ୩୨ଟିର ଟେଣ୍ଡର ଡ଼କାଯାଇଥିବା ବେଳେ ଏବେ ୩୧ଟିର ଟେଣ୍ଡର ସରିବା ପରେ କାମ ଜାରୀ ରହିଛି। ଆସନ୍ତା ଏପ୍ରିଲ ସୁଦ୍ଧା ଏହାର କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ସହରର ବହୁ ଗୋଷ୍ଠୀ ଶୌଚାଳୟ ଗୁଡିକ ଶୋଚନୀୟ ହୋଇପଡ଼ିଥିଲା। କେଉଁଠାରେ ପାଣି ଟ୍ୟାଙ୍କ, କେଉଁଟି ମୋଟର ତ, ଆଉ କେଉଁଟି କବାଟ ସବୁ କେହି ତାଡି ନେଇ ଯାଇଥିଲେ। ଆଉ କିଛି ନିର୍ମାଣ କାମ ସରିଥିବା ବେଳେ ବ୍ୟବହାର କରା ନ ଯାଇ ତାଲା ଝୁଲୁଥିଲା। ଏଥି ମଧ୍ୟରୁ ସହରର ପ୍ରମୁଖ ସ୍ଥାନ ଗୁଡିକ ଜିଲ୍ଲା ଦୌରାଜଜ୍ କୋର୍ଟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଡିଆଇସି କାର୍ଯ୍ୟାଳୟ ଯିବା ରାସ୍ତା। ଏସବୁ ଶୌଚାଳୟର ଦେଖାରଖା ଓ ରକ୍ଷଣାବେକ୍ଷଣ ପାଇଁ ମାସିକ ୧୦ହଜାର ଲେଖାଏଁ ଦେବା ପାଇଁ ଏବଂ ଏହାର ଦାୟିତ୍ବ ମହିଳା ସ୍ବୟଂ ସହାୟକ ଦଳକୁ ଦେବାକୁ ବି ନିର୍ଦେଶ ରହିଥିଲା। ତେବେ ଏହାକୁ ଅଣଦେଖା କରି ଏକ ଘରୋଇ ସଂସ୍ଥାକୁ ୨୨ଟି ଗୋଷ୍ଠୀ ଶୌଚାଳୟକୁ ପରିଚାଳନା କରିବାକୁ ଦାୟିତ୍ବ ଦିଆଯାଇଥିଲା।

ସଂସ୍ଥା ସଠିକ ଭାବେ ପରିଚାଳନା କରୁନଥିବା ଅଭିଯୋଗ ଜୋର ହୋଇଥିଲା। ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ଅଭିଯୋଗ କରିବା ପରେ ୧୮ଟି ଶୌଚାଳୟକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ଅଭିଯୋଗର ୮ମାସ ବିତି ଯାଇଥିଲେ ସୁଦ୍ଧା ଉକ୍ତ ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ପରିଚାଳନା ପାଇଁ ଦାୟିତ୍ବ ମିଳି ପାରି ନଥିଲା। ଅନ୍ୟ ପକ୍ଷରେ ଏବେ ଏହି ୪୨ଟି ଗୋଷ୍ଠୀ ଶୌଚାଳୟ ମଧ୍ୟରୁ ୩୧ଟିର ଟେଣ୍ଡର କରାଯାଇ ପୁନଃ ଉନ୍ନୟନ କାମ ଏବେ ଜାରୀ ରହିଛି। ଏଥିରୁ ନଳକୁଅ ନଥିବା ୮ଟି ସ୍ଥାନରେ ନଳକୁଅ କରାଯିବ। ୨୪ଘଣ୍ଟା ନିରନ୍ତର ପାଣି ଯୋଗାଯିବ। ଯେଉଁ ସ୍ଥାନରେ ୨ହଜାର ଲିଟରର ପାଣି ଟ୍ୟାଙ୍କ ନାହିଁ ସେ ଜାଗାରେ ୨ହଜାର ଲିଟର ପାଣି ଟ୍ୟାଙ୍କ ଲଗାଯିବ। ବାଥରୁମ ନଥିଲେ ବାଥରୁମ କରାଯିବ।

ସେହିଭଳି ସବୁ ସ୍ଥାନରେ ଅଟୋମେଟିକ ସେନସର ଲାଗିଥିବା ହାତ ଧୁଆ ମେସିନ୍ ଲାଗିବ। ଶୌଚାଳୟ ଗୁଡ଼ିକରେ ଟାଇଲ୍ ଲାଗିବ। ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ ପୁନଃ ଉନ୍ନୟନ କାମ ଚାଳିଛି, ଆସନ୍ତା ଏପ୍ରିଲ ସୁଦ୍ଧା ସମସ୍ତ ୩୧ଟି ଯାକ ଗୋଷ୍ଠୀ ଶୌଚାଳୟର କାମ ସରିବ ବୋଲି କହିଛନ୍ତି ପୌର କନିଷ୍ଠ ଯନ୍ତ୍ରୀ ଇଂ. ଅଜୟ ଜାନୀ, ଇଂ. ପ୍ରତାବ ଚନ୍ଦ୍ର ଆଚାର୍ଯ୍ୟ। ଏପ୍ରିଲ ସୁଦ୍ଧା ସମସ୍ତ ଶୌଚାଳୟର ଅନୁସଙ୍ଗିକ ଭିତ୍ତିଭୁମିର ପରିବର୍ତ୍ତନ କରାଯାଇ ଉକ୍ତ ଅଂଚଳର ମହିଳା ସ୍ବୟଂ ସହାୟକ ଦଳକୁ ପରିଚାଳନା କରିବା ପାଇଁ ଦାୟିତ୍ବ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ।

ସମ୍ବନ୍ଧିତ ଖବର