ପେଟ୍ରୋଲିଂ ବେଳେ ୱାଚର ପାଇଲେ ୯ମାସ ପୁରୁଣା ହାତୀଦାନ୍ତ, ସନ୍ଦେହ ଘେରରେ ବନ କର୍ମଚାରୀ

ବନ୍ତଳା : ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରୁ ସନ୍ଦେହଜନକ ଭାବେ ଏକ ହାତୀଦାନ୍ତ ଉଦ୍ଧାର କରାଯାଇଛି । ଏହି ହାତୀଦାନ୍ତ ଟି ୯ମାସ ପୁରୁଣା ହୋଇଥିବା ବେଳେ ଏହି ଘଟଣାରେ ବନ ବିଭାଗର ଜଣେ ୱାଚର ସନ୍ଦେହ ଘେରରେ ରହିଥିବା ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ବିଟ ମିରିଗେଇ ପାହାଡ଼ ନିକଟକୁ ଫରେଷ୍ଟ ଗାର୍ଡ ସିଧେଶ୍ୱର ପ୍ରଧାନ ଙ୍କ ସହ ଦୁଇଜଣ ୱାଚର ଗତ ୨୪ତାରିଖ ଦିନ ପେଟ୍ରୋଲିଂ କରିବା ପାଇଁ ଯାଇଥିଲେ ।  ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେଠାରେ ପେଟ୍ରୋଲିଂ କରୁଥିବା ସମୟରେ ଏହି ମୂଲ୍ୟବାନ ହାତୀଦାନ୍ତ କୁ ୱାଚର ଅଜୟ ପ୍ରଧାନ ପାଇ ଅନ୍ୟ ସାଥି ମାନଙ୍କୁ କହିଥିଲେ । ପରବର୍ତ୍ତୀ ସମୟରେ ଏହି ହାତୀଦାନ୍ତ କୁ ସେମାନେ ବନାଞ୍ଚଳ ଅଧିକାରୀଙ୍କ ଜିମା ଦେବା ବଦଳରେ ଫରେଷ୍ଟ ଗାର୍ଡ ଜଣଙ୍କ ନିଜ ଘରେ ରଖିଥିଲେ ଓ ଏହାର କିଛି ଘଣ୍ଟା ପରେ ଏହି ହାତୀ ଦାନ୍ତକୁ ତାଙ୍କ ଘରୁ ଅଣାଯାଇଥିଲା।

ଅନ୍ୟପକ୍ଷରେ ହାତୀଦାନ୍ତ ପାଇଥିବା ସ୍ଥାନଟି ଲୋକଙ୍କ ଯାତାୟତ ପଥ ହୋଇଥିଲା ବେଳେ ସେହି ରାସ୍ତାରୁ ଏହି ହାତୀଦାନ୍ତ ମିଳିବା ଘଟଣା ଅଧିକ ରୋଚକ କରିଛି।ଏହାର ଓଜନ ୩କିଲୋ ୬୭୮ଗ୍ରାମ ହୋଇଥିବା ବେଳେ ଏହା ୮/୯ମାସ ର ପୁରୁଣା ବୋଲି ସ୍ପଷ୍ଟ ହୋଇଛି।ତେବେ ଏହି ପୁରୁଣା ହାତୀଦାନ୍ତ ଟି କିଭଳି ଓ କେଉଁ ପରିସ୍ଥିତିରେ ପକାଇଥିଲା ଓ ୱାଚର ଜଣଙ୍କ କିଭଳି ସେଠାରୁ ପାଇଲେ ତାହା ରହସ୍ୟ ମଧ୍ୟରେ ରହିଛି।ସେପଟେ ମିରିଗେଇ ପାହାଡ଼ ଅଞ୍ଚଳଟି ଫରେଷ୍ଟ ଗାର୍ଡ ବଶିଷ୍ଠ ଦେହୁରୀଙ୍କ ଅଧୀନରେ ଥିବା ବେଳେ ଅନ୍ୟ ଫରେଷ୍ଟ ଗାର୍ଡ ସିଧେଶ୍ୱର କାହିଁକି ସେଠାକୁ ପେଟ୍ରୋଲିଂ ପାଇଁ ଯାଇଥିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନ୍ୟ ପକ୍ଷରେ ପ୍ରଥମେ ହାତୀଦାନ୍ତ ପାଇଥିବା ୱାଚର ଅଜୟ ପ୍ରଧାନଙ୍କୁ ତଦନ୍ତ ପାଇଁ ବନ ବିଭାଗ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ ଦୁଇଦିନ ହେଲା ଫେରାର ହୋଇଯାଇଥିବା ଜଣାପଡିଛି।ଏହି ଘଟଣାରେ ବନ ବିଭାଗର କେତେକ କର୍ମଚାରୀ ସମ୍ପୃକ୍ତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏନେଇ ବନାଞ୍ଚଳ ଅଧିକାରୀ ମାଧବ ନାୟକଙ୍କୁ ପଚାରୁବାରୁ ସେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଓ ଏହାର ତଦନ୍ତ ଚାଲିଥିବା କହିଛନ୍ତି।ଏହି ଘଟଣାରେ ଯେ କେହି ସମ୍ପୃକ୍ତ ଥିବେ ତା ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର