ବଜାରରୁ ଉଭାନ୍ ହୋଇଯିବ ଜଙ୍ଗଲୀ ପଣସ: ପଡୋଶୀ ରାଜ୍ୟରେ ଆଦର, ରାୟଗଡ଼ାରେ ହତାଦର

ନିୟମଗିରିର ୬୦ ଗାଁରୁ ବାହାରୁଛି ୯ ହଜାର କୁଇଣ୍ଟାଲ, କେଜି ପ୍ରତି ୧୦ ଟଙ୍କାରେ କିଣି ନେଉଛନ୍ତି ବ୍ୟବସାୟୀ

ରାୟଗଡ଼ା: ପଡୋଶୀ ରାଜ୍ୟରେ ବଢ଼ୁଛି ଆଦର। ରାୟଗଡ଼ାରେ କିନ୍ତୁ ହତାଦର କରୁଛି ପ୍ରଶାସନ। କ୍ଷତି ଦର୍ଶାଇ ଓରମାସ ଚାଷୀଙ୍କ ମୁହଁ ଚାହୁଁନଥିବାରୁ ଦୈନିକ ଶହ ଶହ ଟନ୍ ପଣସ ବୋହି ନେଉଛନ୍ତି ବାହାର ରାଜ୍ୟ ବ୍ୟବସାୟୀ। ତାହା ପୁଣି କେଜି ୧୦ ଟଙ୍କାରେ। ଫଳରେ ଆଉ ଦିନ କେଇଟା ପରେ ମାର୍କେଟରୁ ଉଭାନ୍ ହୋଇଯିବ ରାୟଗଡ଼ା ପଣସ। ଆଦିବାସୀ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଯେଉଁ କିଛି ଜଙ୍ଗଲଜାତ ଦ୍ରବ୍ୟ ରହିଛି ସେଥି ମଧ୍ୟରୁ ପଣସ ଅନ୍ୟତମ। ବର୍ଷକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦ ହଜାର କୁଇଣ୍ଟାଲରୁ ଅଧିକ ପଣସ ଉତ୍ପାଦନ ହେଉଥିବା ବେଳେ କେବଳ ନିୟମଗିରି ଉପତ୍ୟକାର ୬୦ ଗାଁରୁ ବାହାରୁଛି ୮ରୁ ୯ ହଜାର କୁଇଣ୍ଟାଲ୍ ପଣସ। ଦିନ ଥିଲା ରାୟଗଡ଼ାର ପଣସ ସାରା ଓଡ଼ିଶାର ବଜାରକୁ ରପ୍ତାନି ହେଉଥିଲା। ଫେବ୍ରୁଆରୀରୁ ଆରମ୍ଭ କରି ଜୁଲାଇ ଶେଷ ପର୍ଯ୍ୟନ୍ତ ମାର୍କେଟରେ ମିଳୁଥିଲା ଜଙ୍ଗଲୀ ପଣସ। ସୁସ୍ବାଦ ପାଇଁ ସାବିତ୍ରୀ ଅମାବାସ୍ୟାରେ ମାଳଭୂମି ପଣସକୁ ଲୋକେ ଖୋଜି ନେଉଥିଲେ।

ବିଶେଷ କରି ରାଜଧାନୀ ଭୁବନେଶ୍ବର, ପଡୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼, ବିହାର, ମଧ୍ୟପ୍ରଦେଶରେ ଏହି ପଣସର ଚାହିଦା ଢ଼େର ରହିଛି। ରାୟଗଡ଼ାରୁ ଉତ୍ପାଦନ ପଣସରେ ଭଲ ଚିପସ୍ ହେଉଥିବାରୁ ଆନ୍ଧ୍ର ବ୍ୟବସାୟ ଅଧିକାଂଶ ପଣସକୁ କିଣି ନେଇ ଶୀତଳ ଭଣ୍ଡାରରେ ରଖି ସେପ୍ଟେମ୍ବର ପର୍ଯ୍ୟନ୍ତ ବଜାର ଚାହିଦା ମେଣ୍ଟାଉଛନ୍ତି। ବହୁ ବ୍ୟବସାୟୀ ଟ୍ରକ୍ ସମେତ ମାଲବାହୀ ଗାଡ଼ିରେ ଆସି ଗାଁ ଗାଁ ବୁଲି ଉତ୍ପାଦିତ ପଣସକୁ କିଣି ନେଉଛନ୍ତି। ରାୟଗଡ଼ା ମାର୍କେଟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନଥିବା ବେଳେ ଶୀତଳ ଭଣ୍ଡାରର ବ୍ୟବସ୍ଥା ମଧ୍ୟ ନାହିଁ। ଗାଁରୁ ଗାଡ଼ି ଭଡା କରି ପଣସକୁ ଆଣି ମାର୍କେଟରେ ବିକ୍ରି କଲା ବେଳକୁ ଯାହା ଲାଭ ମିଳୁଛି ବାହାର ରାଜ୍ୟର ବ୍ୟବସାୟୀ ଘରମୁହଁରୁ ପଣସ ନେଇ ସେହି ଟଙ୍କା ଦେଉଥିବାରୁ ଚାଷୀ ବାହାର ରାଜ୍ୟ ବ୍ୟବସାୟୀକୁ ବିନା ଦ୍ବିଧାରେ ପଣସ ବିକ୍ରି କରି ଦେଉଛନ୍ତି।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ବିଷମକଟକ, ମୁନିଗୁଡ଼ା, କଲ୍ୟାଣସିଂହପୁର, କାଶୀପୁର, ରାମନାଗୁଡା, ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରଚୁର ପରିମାଣରେ ପଣସ ଉତ୍ପାଦନ ହେଉଛି। ରାୟଗଡ଼ା ସଦର ବ୍ଲକର ଜମାଦେଇପେଣ୍ଠ, ଜୁରୁଡ଼ି, କାରୁବାଇ, ମୁକୁନ୍ଦପୁର, ସିଙ୍ଗିପୁର ଭଳି ଗାଁରୁ ବର୍ଷକୁ ଏକ ହଜାର ଟନ ପଣସ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହୋଇଥାଏ। ଫଳରେ ମେ, ଜୁନ୍ ମାସ ବେଳକୁ ରାୟଗଡ଼ା ମାର୍କେଟର ଚାହିଦା ମେଣ୍ଟାଇବାକୁ ବ୍ୟବସାୟୀଙ୍କୁ ବାହାରୁ ପଣସ ଆଣିବାକୁ ପଡ଼ୁଛି। ଏଠାରୁ ଉତ୍ପାଦନ ହେଉଥିବା ପଣସକୁ ଶୀତଳ ଭଣ୍ଡାରରେ ରଖି ଚାଷୀଙ୍କୁ ଉଚିତ୍ ଦର ଦେବାରେ ଓରମାସ, ଜିଲ୍ଲା ପ୍ରଶାସନ ବିଫଳ ହୋଇଛି।

ଯାହା ଫଳରେ ଜଙ୍ଗଲୀ ପଣସର ସ୍ବାଦ ଚାଖିବାରୁ ଜିଲ୍ଲାବାସୀ ବଞ୍ଚିତ ହେଉଥିବା ବେଳେ ଚାଷୀ ମଧ୍ୟ ଲାଭ ବାବଦକୁ ଦି ପଇସା ପାଇ ପାରୁନାହାନ୍ତି। ବିଗତ ବର୍ଷ କରୋନା କାରଣରୁ ଓରମାସ କିଣିଥିବା ପଣସ ବିକ୍ରି କରିବାରେ କ୍ଷତି ସହିଥିବା ଦର୍ଶାଇ ଚଳିତ ବର୍ଷ ପଣସ ବଜାରୀକରଣରୁ ଓହରି ଯାଇଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର