ଯଦୁପୁର ପାଲଟିଲା ମିନି ବିଧାନସଭା: ପୁଲିସ ଛାଉଣି ସହ ଦାମୀ କାରରେ ଭର୍ତ୍ତି ହେଲା ଗାଁ ଦାଣ୍ଡ

ଗ୍ରାମବାସୀ କହିଲେ- ଦୋଷୀକୁ ଧରାଯାଉ, ଆମ ଗାଁ ବଦନାମ ନହେଉ

ନୟାଗଡ଼: ପରୀ ହତ୍ୟାକାଣ୍ଡ ପରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମ ଆଜି ଏକ ମିନି ବିଧାନସଭା ପାଲଟି ଯାଇଥିଲା। ବିଧାନସଭାର ଶୀତ ଅଧିବେଶନରେ ବିଜେପି ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଫଳରେ ୫ ଦିନ ଗୃହ ବାରମ୍ବାର ମୁଲତବୀ ହେବାରୁ ସରକାର ଅଧିବେଶନ ଏକରକମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ବିଧାନସଭା ବନ୍ଦ ହୋଇଯିବା ପରେ ମଧ୍ୟ ପରୀ ହତ୍ୟାକାଣ୍ଡ ନେଇ ସିବିଆଇ ତଦନ୍ତ, ସ୍ଥାନୀୟ ବିଧାୟକ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରୁ ବିଜେପି ଓହରି ନାହିଁ।

ବିଧାନସଭା ଗତକାଲି(ରବିବାର) ଠାରୁ ବନ୍ଦ ହୋଇ ଯିବା ପରେ ବିଜେପିର ୨୨ ବିଧାୟକ ମଧ୍ୟରୁ ୨୦ ବିଧାୟକ ଆଜି ଯଦୁପୁର ଗସ୍ତ କରିଥିଲେ। ପୂର୍ବରୁ ରାଜ୍ୟର ଏଭଳି କୌଣସି ପ୍ରସଙ୍ଗରେ ଗୋଟିଏଦଳର ପ୍ରାୟ ସମସ୍ତ ବିଧାୟକ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିବା ଦେଖାଯାଇନାହିଁ। ଯଦୁପୁର ପାଇଁ ମଧ୍ୟ ଏକା ଥରେ ୨୦ ବିଧାୟକ ଆସିବା ପ୍ରଥମ ଘଟଣା। ଏହାକୁ ନେଇ ଯଦୁପୁର ଏକ ମିନି ବିଧାନସଭା ପାଲିଟିଛି ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା। ବିଧାନସଭା ବନ୍ଦ ହେଲା ବିଧାୟକଙ୍କ ଆମ ଗାଁ କୁ ସୁଅ ଛୁଟିଲା ବୋଲି ଗ୍ରାମବାସୀ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା। ୨୦ ରୁ ଅଧିକ ଦାମୀ କାରରେ ଯଦୁପୁର ଗ୍ରାମ ଦାଣ୍ଡ ପୁରା ଭର୍ତ୍ତି ହୋଇଯାଇ ଥିଲା। କାଳେ କିଛି ଅଘଟଣ ଘଟିବ ତେଣୁ ଗ୍ରାମରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯାଇଥିଲା। ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢୀ, ଇଟାମାଟି ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ସଦର ଥାନା ଆଇଆଇସି ରୀନାରାଣୀ ସାହୁ ପ୍ରମୁ୍ଖ ଉପସ୍ଥିତ ରହି ଗହଳି ଉପରେ ନଜର ରଖିଥିଲା।

ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ନୟାଗଡ଼ ସହରରୁ ସୁରକ୍ଷା ଦେଇ ନେଇ ଗାଁରେ ବିଜେପି ବିଧାୟକ ଟିମ୍କୁ ପହଞ୍ଚାଇ ଥିଲେ। ଅପରାହ୍ନ ପ୍ରାୟ ୨ଟାରେ ବିଜେପି ବିଧାୟକ ଟିମ୍ ଯଦୁପୁରରେ ପହଞ୍ଚିଥିଲେ, ପରୀ ପରିବାର ରହୁଥିବା ତା’ର ବଡ଼ବାପା ଘରକୁ ଏହି ଟିମ୍ ଯାଇ ପ୍ରାୟ ୩୦ ମିନିଟ୍ ଆଲୋଚନା କରିବା ପରେ ଶବ ଉଦ୍ଧାର ହୋଇଥିବା ସ୍ଥାନ ଦେଖିଥିଲେ। ପରେ ପରେ ସ୍ଥାନୀୟ ସରପଞ୍ଚଙ୍କୁ ଭେଟିଥିଲେ। ପାଖାପାଖି ୨ ଘଣ୍ଟା ବିଜେପି ଟିମ୍ ଏହି ଅଞ୍ଚଳରେ ରହିଥିଲା। ଝିଅକୁ ହରାଇ ମ୍ରିୟମାଣ ହୋଇପଡ଼ିଥିବା ପରୀ ପରିବାରକୁ ବିଜେପି ବିଧାୟକ ଟିମ୍ ସ୍ୱାନ୍ତନା ଦେବା ସହିତ ହତ୍ୟାକାରୀ ଧରିବା ପର୍ଯ୍ୟନ୍ତ ଲଢାଇ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରୀ ଘର ସମେତ ଗାଁ ଦାଣ୍ଡରେ ବିଧାୟକମାନଙ୍କୁ ଦେଖିବାକୁ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା। କରୋନା କଟକଣାକୁ ଗ୍ରାମବାସୀ ଏକରମକ ଫୁ କରି ମଧ୍ୟ ଉଡ଼ାଇ ଦେଇଥିଲେ। ଅନେକ ପ୍ରସଙ୍ଗରେ ଟିଭିରେ ଦେଖୁଥିବା ବିଧାୟକମାନଙ୍କୁ ଗାଁରେ ଦେଖି ଲୋକମାନେ ଖୁସି ହୋଇ ଯାଇଥିଲେ। ତେବେ ପରୀ ହତ୍ୟାକାଣ୍ଡକୁ ନେଇ ଅଯଥା ରାଜନୀତି କରାନଯାଉ ବୋଲି ଗ୍ରାମବାସୀ ଆଲୋଚନା କରୁଥିବା ବେଳେ, ପ୍ରକୃତ ହତ୍ୟାକାରୀକୁ ଧରାଯାଉ, ଆମ ଗ୍ରାମକୁ ବଦନାମ କରାନଯାଉ ବୋଲି ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର