୨ ବର୍ଷ ପରେ ଓଡ଼ିଶା ଫେରିଲେ ଜଗା-ବଳିଆ, କଟକ ଏସ୍‌ସିବିରେ ଚାଲିବ ଚିକିତ୍ସା

କଟକ: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍‌ସ)ରେ ଚିକିତ୍ସିତ ହେଉଥିବା ଓଡ଼ିଶାର ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆ ରାଜଧାନୀ ଏକ୍ସପ୍ରେସରେ ଶନିବାର ଓଡ଼ିଶା ଫେରିଛନ୍ତି। ଦୁଇବର୍ଷ ପରେ ଜଗା-ବଳିଆ ଓଡ଼ିଶା ଫେରିବା ଏକ ଖୁସି ଖବର ବୋଲି କୁହାଯାଉଛି। ଦୁହିଁଙ୍କୁ ଦେଖିବା ପାଇଁ କଟକ ରେଳଷ୍ଟେସନ୍‌ରେ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ୨ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ନିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଛି। ଜଗା-ବଳିଆ ବଡ଼ ମେଡିକାଲ୍‌ରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନ୍‌ରେ(ଟ୍ରମା ଆଇସିୟୁ ପାଖରେ) ରଖାଯାଇଛି।

ସେମାନଙ୍କ ସହିତ ଏମ୍‌ସର ତିନି ଜଣ ଏବଂ ଏସ୍‌ସିବିର ଦୁଇ ଜଣ ଡାକ୍ତର ଦିଲ୍ଲୀରୁ ଆସିଛନ୍ତି  । ଟ୍ରେନ୍‌ରେ ଜଗା ଫିଟ୍‌ ଓ ସ୍ବାଭାବିକ ଖାଦ୍ୟ ନେଉଥିବା ବେଳେ ବଳିଆ ଶୋଇ ରହୁଥିବା ଜଣାପଡ଼ିଛି। ଟ୍ରେନ୍‌ ଭିତରେ ବୁଲିବାକୁ ବି ସେ ଚାହୁଁଥିଲା । ମାତ୍ର ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିବାରୁ କାଳେ ‌ଆଘାତ ଲାଗିବ ଆଶଙ୍କାରେ ଜଗାର ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧାଇ ରଖାଯାଇଛି। ତେବେ ଡାକ୍ତରୀ ଟିମ୍‌ ଜଗା ଅପେକ୍ଷା ବଳିଆ ଉପରେ ସବୁବେଳେ ନଜର ରଖିଛନ୍ତି। ସେପଟେ ସ୍ବାସ୍ଥ୍ୟ ସଚିବ ଗତକାଲି  ଏସ୍‌ସିବିରେ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତିଙ୍କ ସମେତ ୧୪ଜଣିଆ ବିଶେଷଜ୍ଞ ଡାକ୍ତର କମିଟି ସଦସ୍ୟଙ୍କ ସହ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ଟିମ୍‌କୁ ନିର୍ଦେଶ ଦେଇଥିଲେ।

ଜଗା-ବଳିଆଙ୍କ ବାପା ଭୂୟାଁ କହଁର ଓ ମାଆ ପୁଷ୍ପାଞ୍ଜଳି କହଁର ଓଡ଼ିଶା ଫେରିବା ନେଇ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି  ଏବଂ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ଏମ୍ସରେ ଦୁଇ ଶିଶୁଙ୍କର ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତରୀ ଦଳ, ରାଜ୍ୟ ସରକାର ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଆଜି ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବା ପୂର୍ବରୁ ଜଗା-ବଳିଆ ସେମାନଙ୍କର ୧୨ଟି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସମ୍ପୂର୍ଣ୍ଣ ଡିସଚାର୍ଜର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମଙ୍କ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

ସମ୍ବନ୍ଧିତ ଖବର