କନେଷ୍ଟବଳ ଜଗାଙ୍କ ବଦାନ୍ୟତା କ୍ୟାନସର ଆକ୍ରନ୍ତ ରୋଗୀଙ୍କ ଜୀବନ ବଞ୍ଚାଇବାକୁ କଲେ ‌ରକ୍ତଦାନ

ଜୟପୁର: ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ କ୍ୟାନସର ରୋଗୀଙ୍କ ପାଇଁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ଜୟପୁର ଟାଉନଥାନାର ପୁଲିସ କନେଷ୍ଟବଲ ଜଗା କୂଳଦୀପ। ସୂଚନା ଅନୁଯାୟ, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଏକମ୍ବା ଅଞ୍ଚଳର ସଦାଶିବ ପାଲମା କ୍ୟାନସର ୱାର୍ଡରେ ଚିକିତ୍ସାଧୀନ ରହିଥିଲେ। ଚିକିତ୍ସା କରୁଥିବା ଡାକ୍ତର ଜଣକ ତୁରନ୍ତ ରକ୍ତ ସଂଗ୍ରହ କରି ଦେବା ପାଇଁ କହିଥିଲେ। ପରିବାରବର୍ଗ ଜୟପୁର ରକ୍ତଭଣ୍ଡାରକୁ ଯାଇଥିଲେ। ଗତ କିଛିଦିନ ହେବ ରକ୍ତଦାନ ଶିବିର ଆୟୋଜନ ହୋଇ ପାରିନାହିଁ। ଅନ୍ୟ ପକ୍ଷରେ ସବୁ ଦିନ ଜରୁରୀ ରୋଗୀ, ପ୍ରସୁତି ମାଙ୍କୁ ରକ୍ତ ଯୋଗାଇ ଦେଉଥିବାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗି ରହୁଛି।

ତେଣୁ ସଦାଶିବଙ୍କ ପାଇଁ ଏ ପଜିଟିଭ୍ ରକ୍ତ ରକ୍ତଭଣ୍ଡାରରୁ ମିଳି ପାରିନଥିଲା। ପରିବାରବର୍ଗ ଦିନ ତମାମ ବହୁ ଖୋ‌ଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଏମାନେ ଜୟପୁର ରକ୍ତଦାନ ଗୃପର ରାଜୀବ ହିଆଲଙ୍କ ସହ ଯୋଗାଯୋଗ କରିଥିଲେ। ସେ ତାଙ୍କ ବନ୍ଦୁ ତଥା ଜୟପୁର ଟାଉନଥାନାରେ କନେଷ୍ଟବଲ ଜଗା କୂଳଦୀପଙ୍କୁ ରୋଗୀଙ୍କ ସଂପର୍କରେ ଅବଗତ କରାଇଥିଲେ। ସେ ଆଜି ସକାଳୁ ନିଜର କର୍ତ୍ତବ୍ୟ ସାରିବା ପରେ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ। ଜଗାଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣ‌ରେ ପ୍ରଶାଂସା କରାଯାଇଛି।

ସମ୍ବନ୍ଧିତ ଖବର