ଜଗମଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ୬ କୋଟିର ପ୍ରକଳ୍ପ, ୧୧ ବର୍ଷ ଗଲାନି

କୋରାପୁଟ(ଶ୍ରୀକାନ୍ତ ସାହୁ): ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାରେ ରହିଥିବା ଚାଷୀଙ୍କ କ୍ଷେତରେ ପହଞ୍ଚିବ ଜଳ। ମରୁଡି ପଡୁଥିବା ଜମିରେ ହସିବ ସୁନାର ଫସଲ। ଶହ ଶହ ହେକ୍ଟର ଜମିରେ ପାଣି ମାଡିଲେ ଉପକୃତ ହେବେ ବର୍ଷା ଜଳକୁ ଭରଷା କରୁଥିବା ଚାଷୀ। ହେଲେ ସବୁ ସ୍ବପ୍ନ ମାଟି ମିଶିଛି। ବୈଷିୟକ ତ୍ରୁଟି, ଦୁର୍ନୀତିଯୁକ୍ତ କାର୍ଯ୍ୟ ହେତୁ ସରକାରୀ ଅର୍ଥ ତ ବ୍ୟୟ ହୋଇଛି ସତ ହେଲେ ଏହା ଲୋକାଭିମୁଖୀ ହୋଇପାରିନାହିଁ। ୬ କୋଟିର ଜଳ ପ୍ରକଳ୍ପ ଦିନ ଟିଏ ବି ବ୍ୟବହାର ହୋଇ ନ ପାରିବା ସରକାରଙ୍କ ପାରିବା ପାଣିଆକୁ ପଦାରେ ପକାଇଛି।

କୋରାପୁଟ ବ୍ଲକ ବାଘରାଗୁଡା ନିକଟ ବାଘରା ନାଳ ଉପରେ ୨୦୦୯ ମାର୍ଚ୍ଚ ମାସ ୧ ତାରିଖରେ ରାଜ୍ୟ ଜଳ ସେଚନ ବିଭାଗ ଜଗମଗୁଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନାମରେ ଏକ ପ୍ରକଳ୍ପ ପାଇଁ ଘୋଷଣା କରିଥିଲା। ଲକ୍ଷ୍ୟ ଥିଲା ଖରିଫ ଋତୁରେ ୫୭୬ ହେକ୍ଟର ଓ ରବି ଋତୁରେ ୩୧୪ ହେକ୍ଟର ଜମିରେ ଜଳ ମାଡିବ। ଏଥିପାଇଁ ପ୍ରାୟ ୪୫ କିଲୋମିଟର ବ୍ୟାପି କେନାଲ ଖୋଳାଯାଇଥିଲା। ହେଲେ ଏବେ ମାତ୍ର ୧୨ରୁ ୧୩ କିଲୋମିଟର କେନାଲରେ ଜଳ ମାଡୁଥିବା ତଳି ଅଞ୍ଚଳରେ ରହିଥିବା ଚାଷୀଙ୍କ ନିକଟକୁ ଜଳ  ପହଞ୍ଚିପାରୁନି। ନିର୍ମାଣ ହୋଇଥିବା କେନାଲ ପୋତି ହେବାକୁ ବସିଥିବାବେଳେ ଜବରଦଖଲ ବୃଦ୍ଧି ପାଇଛି। ୨୦୦୯ରେ ପ୍ରାୟ ୭କୋଟି ଟଙ୍କା ବ୍ୟୟ ବରାଦରେ ଏହି ପ୍ରକଳ୍ପ ଆରମ୍ଭ ହୋଇ ୨୦୧୧ରେ ଏହା ଲୋକାର୍ପିତ ହୋଇଥିଲା। ୬୩.୬୭ ହେକ୍ଟର ବିଶିଷ୍ଟ ଏହି ଗର୍ଭାଷୟରେ ଏବେ ଜଳ ନାହିଁ।

ଯେଉଁ ଜଳ ଅଛି କେନାଲକୁ ଆସୁନାହିଁ। ବର୍ଷାଦିନେ ଜଳ ପୂର୍ଣ୍ଣ ହୋଇ ରହୁଥିବାବେଳେ ବର୍ଷା ଛାଡୁ ଛାଡୁ ଖାଲି ହୋଇଯାଉଛି ଜଳଭଣ୍ଡାର। ଏହି ଜଳ ଭଣ୍ଡାର ଚାରିପଟେ ରହିଥିବା ମୁଖ୍ୟତଃ ଏସଟି ଓ ଏସସି ବର୍ଗର ଚାଷୀଙ୍କୁ ସୁବିଧା ମିଳବାକୁ ରହିଥିଲା। ଏହି ଅଞ୍ଚଳରେ କୌଣସି ଜଳ ସେଚନର ବ୍ୟବସ୍ତା ନ ଥିବାରୁ ଏହାକୁ ତିଆରି କରାଯାଇଥିଲା। କିନ୍ତୁ ଖରାଦିନ ଆରମ୍ଭ ହୋଇନି ଏବେ ଶୁଖିଲା ପଡିଛି ଜଳଭଣ୍ଡାର। ତଳମୁଣ୍ଡକୁ ଜଳ ପହଞ୍ଚୁ ନ ଥିବାବେଳେ ଗର୍ଭଷୟ ମଧ୍ୟରେ ଚାଲିଛି ବେଆଇନ ଇଟାଭାଟି। ଯେତିକି ଜଳ ଆଖ ପାଖ ଅଞ୍ଚଳକୁ ଯିବା କଥା ତାହା ଇଟାଭାଟି ପିଉ ଥିବାବେଳେ ତଳ ମୁଣ୍ଡରେ ରହିଥିବା ଚାଷୀ ଜମି ଶୋଷିଲା ରହିଛି। ପ୍ରତି ମାସରେ ଜଗମଗୁଡା ଜଳ ପ୍ରକଳ୍ପର ଗର୍ଭରେ ଶହ ଶହ ଇଟାଭଟି ଚାଲିଥିବାବେଳେ ପ୍ରଶାସନ ଜାଣି ଅଜଣା ରହିଛି। ଏହାକୁ ରୋକାଯାଉ ନ ଥିବାରୁ ଆଶାତୀତ ଭାବେ ବୃଦ୍ଧି ପାଇ ଚାଷୀଙ୍କ ପେଟକୁ ଲାତ ମାରିବାକୁ ଲାଗିଲାଣି।

ତେବେ ଉଦୃବଦ୍ଧ ଜଳକୁ ନିଷ୍କାସନ କରିବାକୁ ହୋଇଥିବା ବ୍ୟବସ୍ଥା ଅଚଳ ହୋଇପଡିଛି। ଦୁଇ କେନାଲ ଗେଟ୍ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିରହିଛି। ଗୋଟିଏ ଚାବି ଦେଇ ଆସୁଥିବା ବାଟ ବନ୍ଦ ରହିଥିବାରୁ ନିଷ୍କାସନ ପଥ ବନ୍ଦ ରହିଛି। ଯେଉଁ ଜଳ ନିଷ୍ମାସନ ହେବା କଥା ସେ ପଟେ ନ ହୋଇ ମୁଖ୍ୟ କେନାଲର ଗର୍ଭଷୟ ଫାଟି ପାଣି ବହୁଥିବା ଦେଖିବାକୁ ମିଳିଛି। ଗୋଟିଏ ଜଳ ସେଚନ ପ୍ରକଳ୍ପର ବୟସ ୬୦ରୁ ୭୦ ହୋଇଥିବାବେଳେ ମାତ୍ର ୧୧ ବର୍ଷ ବୟସରେ ଏହା ଶୂନ୍ୟ ଗର୍ଭା ହୋଇଛି। ତେବେ ସେହି ସମୟରେ ଏହି କ୍ୟାଚମେଣ୍ଟ ଅଞ୍ଚଳକୁ ପ୍ରତି ବର୍ଷା ଋତୁରେ ୫୫ କ୍ୟୁସିକ ମିଟର ଜଳ ପ୍ରବେଶ କରୁଥିଲା। ଜଳାଷୟରେ ୪୪ ମିଟର ଜଳ ଗଚ୍ଛିତ ରହିବାକୁ ଯୋଜନା ରହିଥିଲା। ହେଲେ ମାତ୍ର ୫ରୁ ୧୦ ମିଟର ଜଳ ରହିଥିବା ଦେଖିବାକୁ ମିଳିଛି। କିପରି ଓ କେଉଁ କାରଣ ପାଇଁ ଏହି ଜଗମଗୁଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଫେଲ ମାରିଲା ତାହାକୁ କୋରାପୁଟ ପ୍ରଶାସନ ତନକ୍ଷୀ କରିନାହିଁ। ଆସନ୍ତା ରବି ଋତୁରେ ଜଳ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ କିପରି ଜଳ ଯୋଗାଣ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ ଚାଷୀ ଡମ୍ବୁରୁ ଜାନି କହିଛନ୍ତି ଯେ ଡ୍ୟାମ ନିର୍ମାଣ ହେବାର କେଇ ବର୍ଷ ଜମିକୁ ପାଣି ଆସିଥିଲା। ଏହାପରେ ଧୀରେ ଧୀରେ କେନାଲ ପୋତିହୋଇଯିବା ସହ ଜମିକୁ ପାଣି ଆସୁନାହିଁ। ବର୍ଷାଦିନେ ଯାହା ଚାଷ ହେଉଥିବାବେଳେ ଅନ୍ୟ ଦିନେ ଚାଷ ବନ୍ଦ କରି କୂଲି କାମ କରୁଛୁ ବୋଲି ସେ କହିଛନ୍ତି। ଏନେଇ ଚାଷୀ ଲଛମା ମୁଦୁଲି କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ ଅଢେଇ ଏକର ଜମିକୁ ପାଣି ମାଡିଥିଲା। କିନ୍ତୁ ଏବେ ଉଭୟ ଖରିଫ ଓ ରବିରେ ଜଳ ଆସୁନାହିଁ। ଉପର ମୁଣ୍ଡରେ କିଛି ଚାଷୀ ମୁଖ୍ୟ କେନାଲକୁ ଫଟାଇ ଦେଇଥିବାରୁ ଆମ ନିକଟକୁ ପାଣି ଆସୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଏନେଇ ବୁଦ୍ଧିଜୀବୀ ଅଜିତ ପାତ୍ର କହିଛନ୍ତି ଯେ କୋଟି କୋଟି ଟଙ୍କା ବ୍ୟୟବରାଦ କରି ଏହି ଜଳସେଚନ ପ୍ରକଳ୍ପ ସରକାର ତିଆରି କରିଥିଲେ। ମା୍ର ୧୦ ବର୍ଷରେ ଏହା ମୁର୍ମୁଷୁ ଅବସ୍ଥା ଚାଲି ଆସିବ ତାହା ଶୋଚନୀୟ ବିଷୟ। ଓଡ଼ିଶା ସରକାର ଚାଷ ଓ ଚାଷୀଙ୍କ ପାଇଁ କାନ୍ଦୁଥିବାବେଳେ ଏହି ପ୍ରକଳ୍ପ ସରକାରଙ୍କର ପାରିବାପାଣିଆକୁ ପଦାରେ ପକାଇଛି। ଯଦି ସରକାରଙ୍କର ୫ଟି କାର୍ଯ୍ୟ କରୁଛି ତେବେ ଏହା ଉପରେ ତନାଘନା ହୋଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କ୍ଷୁଦ୍ର ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି ଯେ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ଖୋଲାଯାଇ ଥିବାବେଳେ ପାଇଁ ଡାହାଣ ପାର୍ଶ୍ବ ଖୋଳା କାର୍ଯ୍ୟ ଚାଲିଛି। ଏବେ ମେନ୍ ଗେଟକୁ ସ୍ଥାନୀୟ ଲୋକେ ଖୋଲି ଦେଉଥିବାରୁ ପାଣି ରହୁନାହିଁ। ଆସନ୍ତା ଦିନରେ ଏନେଇ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର