ଜୟପୁର: ଆସନ୍ତା ୧୭ତାରିଖ ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ସେ ଅବସରରେ ସୋମବାର ଠାରୁ ୧୪ତାରିଖ ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଅର୍ପଣ ରଥ ଜୟପୁର ସହରର ୨୮ଟି ଯାକ ୱାର୍ଡରେ  ପରିକ୍ରମା କରିବ। ଏନେଇ ଜୟପୁର ପୌର ପାଳିକା ପକ୍ଷରୁ ଟାଉନ ହଲ ଠାରେ ପ୍ରସ୍ତୁତି  ବୈଠକ ଅନୁଷ୍ଟିତ ହୋଇଥିଲା।  ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କ ସଭାପତିତ୍ବରେ ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ଭାରପ୍ରାପ୍ତ ମୁଖ୍ୟ କିରାଣୀ ଗୋପାଳ ସାହୁ, କନିଷ୍ଠ ଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ, ଦେବେନ୍ଦ୍ର ବାହିନୀପତି, ସଂଜୟ ଜୈନ, ନିଶାନ ପଟ୍ଟନାୟକ, ସହଦେବ ପଟ୍ଟନାୟକ, ବିଭିନ୍ନ ୱାର୍ଡର କାଉନସିଲର ଆଦି ଆଲୋଚନା‌ରେ ଭାଗ ନେଇଥିଲେ।

Advertisment

ଜାନୁଆରି ୮ ତାରିଖରୁ ୧୪ ତାରିଖ ମଧ୍ୟରେ ଜୟ ଜଗନ୍ନାଥ ଅର୍ପଣ ଦୁଇଟି ରଥ ଜୟପୁର ସହରର ସମସ୍ତ ଓାର୍ଡ, ସାହି ପରିକ୍ରମା କରିବ। ଏହି ରଥ ଘର ସମ୍ମୁଖରେ ପହଞ୍ଚିଲେ ଗୁଆ, ଚାଉଳ ଓ ଦକ୍ଷିଣା ସଂଗ୍ରହ କରାଯିବ। ସଂଗୃହୀତ  ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ମହାପ୍ରଭୁ ଜଗନ୍ନାଥଙ୍କ ସେବାରେ ବିନିଯୋଗ କରିବା ପାଇଁ ପୁରୀ ପଠାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ଏହି ରଥ ସହ ନାମସଂକୀର୍ତ୍ତନ ମଣ୍ଡଳୀ, କାଉନସିଲର, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସ୍ବତଃସ୍ପୃତ ଭାବେ ଯିଏ ଚାହିଁଲେ ଏଥିରେ ଭାଗ ନେଇ ପାରିବେ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ।

ସକାଳ ୮ଟା ବେଳେ ଜଗନ୍ନାଥ ମନ୍ଦିରରୁ ଏହି ରଥ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା ଆ‌ରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଇଶ୍ବର ପାଣିଗ୍ରାହୀ ଯୋଗ ଦେଇ ପତ୍ତାକା ଦେଖାଇବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ। ସେଭଳି ୧୭ତାରିଖ ଦିନ ଜୟପୁରରେ ଅଧ୍ୟାତ୍ମିକ ପଥଉତ୍ସବ ସହ ପୁରୀ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ବଡ଼ ପରଦା ଟାଙ୍ଗି କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ।