କୋଭିଡ କଟକଣା ମଧ୍ୟରେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡୁ, ନେତା-ଜନତା ଅଭିନେତା ସମସ୍ତେ ଏକାଠି

ବଡ଼ଦାଣ୍ଡରେ ଆବେଗମୟ ପରିବେଶ

ବାରିପଦା: ଗତଥର ଭଳି ଚଳିତ ବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ ଖାଲି ନପଡୁ। ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ମଧ୍ୟରେ ବାଧକ ନହେଉ ମହାମାରୀ କରୋନା। ବିନା ଭକ୍ତରେ ହେଉ ପଛେ କୋଭିଡ କଟକଣା ମଧ୍ୟରେ ବାରିପଦା ବଡ଼ଦାଣ୍ଡରେ ଗଡୁ ତିନି ରଥ। ପ୍ରତ୍ୟକ୍ଷ ଭାବେ ନହେଉ ପଛକେ ପରୋକ୍ଷରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କୁ ଦର୍ଶନ କରିବାରୁ ବଞ୍ଚିତ ନହୁଅନ୍ତୁ ଅଗଣିତ ଭକ୍ତ।
ଆଜି ବାରିପଦାର ବଡ଼ଦାଣ୍ଡରେ ଏପରି ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା। ନେତା, ଜନତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥିଲେ। ଆଉ ସମସ୍ତଙ୍କ ତୁଣ୍ଡରେ ଥିଲା ଗୋଟିଏ କଥା। ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡୁ। ମନ୍ଦିର ବାହାରକୁ ଆସି ଐତିହ୍ୟସମ୍ପନ୍ନ ମୟୂରଭଞ୍ଜ ଆଶୀର୍ବାଦ କରନ୍ତୁ ତିନି ଠାକୁର। ମହାମାରୀ କରୋନା କାରଣରୁ ଚଳିତ ବର୍ଷ କେବଳ ଶ୍ରୀକ୍ଷେତ୍ର ପୁରୀରେ ହିଁ ବିନା ଭକ୍ତରେ ରଥଯାତ୍ରା ହେବା ନେଇ ନିଷ୍ପତ୍ତି ହୋଇଛି। ପୁରୀରେ ରଥ ଚାଲୁ। ବାରିପଦାରେ ମଧ୍ୟ ରଥ ଗଡୁ, ଏପରି ଦାବିରେ ଆଜି ବାରିପଦାରେ ଶତାଧିକ ଭକ୍ତ ମାନବ ଶୃଙ୍ଖଳରେ ଛିଡା ହୋଇଥିଲେ।
ମନ୍ଦିର ମଠ ସୁରକ୍ଷା ସମିତି, ମୟୁରଭଞ୍ଜର ଆହ୍ବାନ କ୍ରମେ ଆଜି ସକାଳୁ ସକାଳୁ ହିଁ ବାରିପଦା ବଡଦାଣ୍ଡ ଲୋକାରଣ୍ୟ ହୋଇପଡିଥିଲା। ଜଗନ୍ନାଥ ମନ୍ଦିର ଠାରୁ ମା ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ, ରାସ୍ତାର ଉଭୟ ପାର୍ଶ୍ୱରେ ଭକ୍ତମାନେ ମାନବ ଶୃଙ୍ଖଳ ଚେନରେ ଠିଆ ହୋଇ ପ୍ଲାକାର୍ଡ ଧରି ଏଠାରେ ରଥଯାତ୍ରା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ସେହିପରି ମହିଳା ମାନେ ଶଙ୍ଖ ହୁଳୁହୁଳି ବଜାଇ, କୀର୍ତ୍ତନ ର ମଧୁର ତାଳେ ତାଳେ ଧାର୍ମିକ ଭାବନା ସହ ବଡଦାଣ୍ଡ ବାଦ ଅନ୍ୟାନ୍ୟ ଅଞ୍ଚଳରେ ଶ୍ରଦ୍ଧାଳୁମାନେ ନିଜ ନିଜ ଘର ସାମ୍ନାରେ ଶଙ୍ଖ ହୁଳୁହୁଳି ବଜାଇ “ସଂମ୍ପୁର୍ଣ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଳନ ଦାବୀ” ର ପ୍ଲାକାର୍ଡ ଧରି ଧାରଣା ପ୍ରଦର୍ଶନ କରିଥିଲେ।
କୋଭିଡ ନିୟମ ପାଳନ ମଧ୍ୟରେ ବିନା ଭକ୍ତରେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡୁ ବୋଲି ନିବେଦନ କରିଛନ୍ତି ନିରାଶ ଭକ୍ତ ସମାଜ। ଉଲ୍ଲେଖଯୋଗ୍ୟ ଯେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ମୟୂରଭଞ୍ଜ ମାଟିର ପରମ୍ପରା ଓ ଐତିହ୍ୟ, ନୀଳାଚଳ ଧାମ ପୁରୀ ବିଶ୍ୱବିଦିତ । ମହିଳାମାନଙ୍କ ଦ୍ୱାରା ଦେବୀ ସୁଭଦ୍ରାଙ୍କ ରଥ ଟଣା ଅନ୍ୟ କେଉଁଠାରେ ପରିଲକ୍ଷିତ ହୋଇନଥାଏ ।
ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ହୋଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ କରିଥାନ୍ତି ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଜିର ଏହି ଭାବମୟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଜ୍ୟ ସେବାୟତ ସଙ୍ଘ ସଭାପତି କାମେଶ୍ୱର ତ୍ରିପାଠୀ, ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର, ବରିଷ୍ଠ ସିନେ କଳାକାର ଅସିତ ପତି, ବିଶିଷ୍ଟ ପରିବେଶବିତ ତଥା ମନ୍ଦିର ମଠ ସୁରକ୍ଷା ସମିତିର ଭାନୁମିତ୍ର ଆଚାର୍ଯ୍ୟ, କଳିଙ୍ଗ କେଶରୀ ଜେନା, ପିଣ୍ଟୁ ମାଇତି, ସିନେ କଳାକାର ସ୍ୱରାଜ ବାରିକ, ରାକେଶ ବେହେରା, ବାପୁନ ଦାସ, ଶିବୁ ରଣା, ଏମ ଡି ନାଜିରୂଲ ହକ, ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଯାହାକି ବାରିପଦାରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି କରିଥିଲା।
ସମ୍ବନ୍ଧିତ ଖବର