କାର୍ତ୍ତିକ ପୁର୍ଣ୍ଣିମା ପୂର୍ବରୁ ଜଗନ୍ନାଥ ସାଗର କୂଳ ସଫେଇକୁ ନେଇ ଆଲୋଚନା

ଜୟପୁର: ଆଉ ପାଞ୍ଚ ଦିନ ପରେ କାର୍ତ୍ତିକ ପୁର୍ଣ୍ଣିମା। ଏହା ପୂର୍ବରୁ କିଭଳି ଜଗନ୍ନାଥ ସାଗରର କୂଳଗୁଡ଼ିକୁ ସଫା କରାଯିବ ତାହାକୁ ନେଇ ‘‘ମୋ ଜଗନ୍ନାଥ ସାଗର ଟ୍ରଷ୍ଟ’’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଆଜି ଏ ନେଇ ଏକ ବୈଠକ ସତୀଶ ନନ୍ଦଙ୍କ ସଭାପତିତ୍ବରେ ଜୟନଗର ସାରସ୍ବତ ବାଳମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ଦୂଷିତ ନାଳ ପାଣି ପ୍ରବେଶ କିଭଳି ବନ୍ଦ ହେବ, ଖ୍ରୀଷ୍ଠିୟାନ ପେଟା, ନୂଆସାହିରୁ ଆସୁଥିବା ନାଳ ପାଣିକୁ ଅନ୍ୟ ପଟେ ବୁଲାଇ ନେବାକୁ ମତ ପ୍ରକାଶ ପାଇଥିଲା। ସାଗରର ଚାରିପଟେ ତୁରନ୍ତ ସଫା କରାଯିବାକୁ ସଭ୍ୟମାନେ ମତ ଦେଇଥିଲେ।

ପାଞ୍ଚ ଦିନ ଗଲେ ଜଗନ୍ନାଥ ସାଗର କୁଳକୁ ବୋଇତ ବନ୍ଦାଣ ଉତ୍ସବରେ ଡଙ୍ଗା ଭସାଣ କରିବାକୁ ଶହ ଶହ ମହିଳା ଆସିବେ। ତେବେ କୁଳରେ ପଲିଥିନ ଜରି, ଦଳ ଓ ମଇଳା ଭର୍ତ୍ତି ହୋଇ ରହିଥିବାରୁ ଏଠାରେ ଅସ୍ବାଭାବିକ ପରିବେଶ ସୃଷ୍ଟି ହେବ। ତେଣୁ ଏହାକୁ ତୁରନ୍ତ କିଭଳି ସଫା କରାଯିବ ସେ ଦିଗରେ ପୌର ପ୍ରଶାସନକୁ ପୁଣିଥରେ ଅବଗତ କରାଯିବ। ଏହା ସହ ଟ୍ରଷ୍ଟରେ ସାମିଲ ଥିବା ବିଭିନ୍ନ ଅନୁଷ୍ଠାନର ସଭ୍ୟମାନେ ନିଜ ନିଜ ୱାର୍ଡରେ ଏସଂପର୍କରେ ସଚେତନତା ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଥିଲା। ଏହାରି ମଧ୍ୟରେ ଟ୍ରଷ୍ଟ ପକ୍ଷରୁ ପିଡି ଡିଆରଡିଏ ତଥା ତତ୍କାଳୀନ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଭେଟି ଏସଂପର୍କରେ ଆଲୋଚନା କରିଥିଲେ।

ସେ ଏଠାରୁ ଦଳ ସଫା କରି ଏହାକୁ ଶୁଖାଇ ସାର ଭାବେ ପ୍ରସ୍ତୁତ କରିବାକୁ ମତ ଦେଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏଥିରେ ଆବାହକ ରଜନୀକାନ୍ତ ନାୟକ, ନିରଂଜନ ପାଣିଗ୍ରାହୀ, ମୁନ୍ନା ପାଣିଗ୍ରାହୀ, ବି.ଚନ୍ଦ୍ରଶେଖର, ଧନ ଖୋସ୍ଲା, ସୁରେଶ ମହାନ୍ତି, ଦାସରୀ ହରିଜନଙ୍କ ସହ ୭ଟି ସଂଗଠନର କର୍ମକର୍ତ୍ତା ଭାଗ ନେଇଥିଲେ। ଶେଷରେ ରଘୁନାଥ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର